www.samajalive.in
Saturday, December 6, 2025
14.1 C
Bhubaneswar

୯/୧୧ ଆକ୍ରମଣ

ସମଗ୍ର ବିଶ୍ବରେ ୯/୧୧ ଘଟଣା ଭାବେ ପରିଚିତ ଆତଙ୍କବାଦୀ ଆକ୍ରମଣକୁ ଇତିମଧ୍ୟରେ ୨୨ ବର୍ଷ ହୋଇଗଲାଣି। ୨୦୦୧, ସେପ୍ଟେମ୍ବର ୧୧ଦିନର ଲୋମଟାଙ୍କୁରା ଦୁର୍ଘଟଣା ଏବେ ବି ଆମେରିକାବାସୀଙ୍କ ସ୍ମୃତିପଟରୁ ଲିଭିନି। ଆତଙ୍କବାଦୀଙ୍କ ଏଭଳି ବର୍ବରକାଣ୍ଡରେ ୩ହଜାର ଲୋକଙ୍କ ଜୀବନଦୀପ ଅକାଳରେ ଲିଭିଯାଇଥିଲା। ଆତଙ୍କବାଦୀ ସଙ୍ଗଠନ ଅଲ୍‌କାଏଦା ଦ୍ବାରା ଅପହୃତ କରାଯାଇଥିବା ଦୁଇଟି ବିମାନ ନ୍ୟୁୟର୍କର ଆର୍ଥିକ ବ୍ୟବସ୍ଥାର କେନ୍ଦ୍ରସ୍ଥଳ ୱାଲର୍ଡ ଟ୍ରେଡ୍ ସେଣ୍ଟରକୁ ଧକ୍କା ଦେବାର ମାତ୍ର କିଛି ସମୟରେ ବିଶାଳକାୟ ଅଟ୍ଟାଳିକା ହୋଇଥିଲା ଧରାଶାୟୀ। ଏହି ୯/୧୧ ଆକ୍ରମଣ ଆମେରିକାର ଜାତୀୟ ସୁରକ୍ଷା ବ୍ୟବସ୍ଥା ପ୍ରତି ଏକ ଶକ୍ତ ଧକ୍କା ଥିଲା। ସେଦିନ ଥିଲା ମଙ୍ଗଳବାର, ୱାର୍ଲଡ ଟ୍ରେଡ୍ ସେଣ୍ଟର ନର୍ଥ ଟାୱାର୍‌ରେ ବୋଇଂ ୭୬୭ ବିମାନ ମାଡ଼ ହେବା ନିମିଷକରେ ମହଲାଗୁଡ଼ିକରେ ଅଗ୍ନିକାଣ୍ଡ ବ୍ୟାପିବାରେ ଲାଗିଲା। ଦୁର୍ଘଟଣାର ଠିକ୍ ୧୮ ମିନିଟ୍‌ ପରେ ଡବ୍ଲ୍ୟୁଟିସିର ଅନ୍ୟ ଏକ ଟାୱାରକୁ ଧକ୍କା ଦେଇଥିଲା ବିମାନ। କେଇ ମିନିଟ୍‌ରେ ଚତୁର୍ଦିଗ ନିଆଁ, ମୋଟା କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା। ଦୁଇ ଟାୱାର ଭିତରୁ ଆର୍ତ୍ତି ଚିତ୍କାର ଶୁଣାଯିବା ଭିତରେ ଉଦ୍ଧାର କାମ ପାଇଁ ଯୁଦ୍ଧକାଳୀନ ପ୍ରସ୍ତୁତି ହେଲା ଆରମ୍ଭ। ଉଦ୍ଧାର ଚାଲିବା ସମୟରେ ଶୁଣାଗଲା ଆଉ ୨ଟି ବିସ୍ଫୋରଣ। ଗୋଟିଏ ବିମାନ ୱାଶିଂଟନ୍ ଡିସିରେ ଧକ୍କା ହେବାବେଳେ ଅନ୍ୟ ବିମାନଟି ପେନସିଲଭାନିଆରେ ଏକ ପଡ଼ିଆରେ ଖସିପଡ଼ିଲା। ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା ୪ଟି ବିମାନ ଅପହରଣ କରିବା ସହ ଏହି ଆକ୍ରମଣରେ ୧୯ଜଣ ଆତଙ୍କବାଦୀ ନିୟୋଜିତ ହୋଇଥିଲେ। ବିଶ୍ବକୁ ଥରାଇ ଦେଇଥିବା ଏହି ଆକ୍ରମଣର ମୁଖ୍ୟ ଓସାମା ବିନ୍ ଲାଡେନ୍‌୍ଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଆମେରିକା। ୨୦୧୧ ମେ ୨ରେ ଆମେରିକା କମାଣ୍ଡୋ ଓସାମା ବିନ୍ ଲାଡେନ୍‌ଙ୍କୁ ହତ୍ୟା କରିଥିଲେ। ଆମେରିକା ଇତିହାସରେ ଏହା ସବୁଠୁ ଭୟଙ୍କର ଆକ୍ରମଣ ଘଟଣା। ୱାର୍ଲଡ ଟ୍ରେଡ୍ ସେଣ୍ଟର୍ ଧରାଶାୟୀ ହେବା ପରେ ବିଶ୍ବ ଅର୍ଥନୀତି ଉପରେ ସେତେବେଳେ ଏହା ଗଭୀର ପ୍ରଭାବ ପକାଇଥିଲା। ଏହି ଘଟଣାକୁ ମନେରଖିବା ପାଇଁ ନ୍ୟୁୟର୍କରେ ବିଭିନ୍ନ ସ୍ମୃତିପୀଠମାନ ଗଢ଼ାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories