www.samajalive.in
Sunday, December 7, 2025
18.1 C
Bhubaneswar

ପ୍ରଦୂଷଣ ବଳୟରେ ଓଡ଼ିଶାର ୭ ସହର

ଭୁବନେଶ୍ବର : ଦେଶର ପ୍ରାୟ ୧୩୧ଟି ସହରର ଏବେ ବାୟୁ ପ୍ରଦୂଷଣ ବଳୟ ଭିତରେ ରହିଥିବାବେଳେ ଓଡ଼ିଶାର ୭ଟି ସହର ରହିଛି। ରାଜଧାନୀ ଭୁବନେଶ୍ବରର ବାୟୁ ପ୍ରଦୂଷଣ ହାର ନିୟନ୍ତ୍ରଣ ଭିତରେ ରହିଥିଲେ ହେଁ ଲୋକେ ସଚେତନ ନ ହେଲେ ଆଗାମୀ ଦିନରେ ଏହା ଏକ ଆହ୍ବାନ ସୃଷ୍ଟି କରିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଆଗକୁ ଦୀପାବଳି ଥିବାରୁ ଏଠାରେ ଦିଲ୍ଲୀ ପରି ସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ପରିବେଶବିତ୍ ସତର୍କ କରାଇ ଦେଇଛନ୍ତି। ଏଣୁ ପ୍ରଦୂଷଣ ହାର କିଭଳି ୨୦ପ୍ରତିଶତ ହ୍ରାସ କରାଯାଇ ପାରିବ ତାକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଶନିବାର ତଥ୍ୟ ଅନୁଯାୟୀ, ଭୁବନେଶ୍ବରରେ ବାୟୁ ପ୍ରଦୂଷଣ ମାନକ ୯୧ ରହିଥିବାବେଳେ ରାଉରକେଲାରେ ୮୧, କଟକରେ ୬୦ ଏବଂ ନୟାଗଡ଼ରେ ୫୧ ରହିଛି। ଆଗକୁ ଶୀତ ଦିନ ସହିତ ଦୀପାବଳି ରହିଛି। ଯଦି ଲୋକେ ଏଥିପ୍ରତି ସଚେତନ ନ ହୁଅନ୍ତି ତେବେ ପ୍ରଦୂଷଣ ହାର ବହୁ ଗୁଣ ବୃଦ୍ଧି ପାଇବ। ସେହିପରି ୨୦୧୧ ଜନଗଣନା ଅନୁଯାୟୀ ରାଜଧାନୀରେ ପ୍ରାୟ ସାଢ଼େ ୮ଲକ୍ଷ ଲୋକ ବାସ କରୁଥିବାବେଳେ ଏବେ ଏହି ସଂଖ୍ୟା ପ୍ରାୟ ୧୧ ଲକ୍ଷ ଟପିଲାଣି। ଏହି ୧୨ବର୍ଷ ମଧ୍ୟରେ ରାଜଧାନୀରେ ପ୍ରାୟ ୩୦ଲକ୍ଷ ଗାଡ଼ି କିଣାଯାଇଛି। ରାଜଧାନୀର ଲୋକଙ୍କ ଅନୁପାତରେ ମୁଣ୍ଡପିଛା ପ୍ରାୟ ୩ଟି ଗାଡ଼ି ପଡୁଛି। ଯାନବାହନରୁ ନିର୍ଗମନ ହେଉଥିବା କାର୍ବନ ଧୂଆଁ ପରିବେଶକୁ ଅଧିକ ଜଟିଳ କରୁଛି।
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ବରିଷ୍ଠ ଯନ୍ତ୍ରୀ ଡ. ନିହାର କୁମାର ସାହୁ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ‘ଜାତୀୟ ସବୁଜ ବାୟୁ କାର୍ଯ୍ୟକ୍ରମ’ ଜରିଆରେ ଆଗାମୀ ଦିନରେ ଭୁବନେଶ୍ବରର ଏକାମ୍ର ଅଞ୍ଚଳ ସହିତ କଟକ, ଅନୁଗୋଳ, ତାଳଚେର, ରାଉରକେଲା, ଯାଜପୁର ରୋଡ଼, ବାଲେଶ୍ବର ପ୍ରମୁଖ ୭ ସହରକୁ ପ୍ରଦୂଷଣମୁକ୍ତ ବାୟୁ ସହର କରିବାପାଇଁ ସରକାର ଯୋଜନା ରଖିଛନ୍ତି। ଏହାକୁ ନେଇ ମୁଖ୍ୟଶାସନ ସଚିବସ୍ତରରେ ଦୁଇଟି ପର୍ଯ୍ୟାୟରେ ଆଲୋଚନା ହୋଇଛି। ଏଥିରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ନଗର ଉନ୍ନୟନ ବିଭାଗ, ପରିବହନ ବିଭାଗ, ଶକ୍ତି ଏବଂ ଜଳସମ୍ପଦ ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିବ। କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଅନୁଦାନ ସହିତ ସମ୍ପୃକ୍ତ ବିଭାଗର ଆର୍ଥିକ ସହାୟତାରେ ଏହା କାର୍ଯ୍ୟକାରୀ କରାଯିବ।
ଏନେଇ ୨୦୨୧ରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୦୨୮ ସୁଦ୍ଧା ସମ୍ପୃକ୍ତ ସହରର ବାୟୂ ପ୍ରଦୂଷଣ ମାତ୍ରା ହ୍ରାସ କରାଯିବାକୁ ଲକ୍ଷ୍ୟ ରହିଛି। ଏଥିପାଇଁ କେବଳ ଯେ ବ୍ୟାପକ ସଚେତନତା କରାଯିବ ତାହା ନୁହେଁ, ଚାରାରୋପଣ, ବୈଦ୍ୟୁତିକ ଯାନକୁ ଗୁରୁତ୍ବ ସହିତ ରାସ୍ତା ସଫେଇକରଣ, ରାସ୍ତାର ଉଭୟ ପାର୍ଶ୍ବରେ ପେଭରବ୍ଲକ ପକାଯିବା, ଅକ୍ଷୟଶକ୍ତିର ବ୍ୟବହାର,ପ୍ରତି ପରିବାରକୁ ବନୀକରଣ କାର୍ଯ୍ୟକ୍ରମରେ ସାମିଲ କରିବା ଭଳି ବ୍ୟାପକ କାର୍ଯ୍ୟକ୍ରମ କରାଯିବାକୁ ରହିଛି ବୋଲି ସେ ଦର୍ଶାଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories