୬୬୨ବର୍ଗ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ସ୍ମାରକପତ୍ର ପ୍ରଦାନ

୨୦ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

କେନ୍ଦୁଝରଗଡ଼ : ନିଖିଳ ଓଡିଶା ୬୬୨ବର୍ଗ ଯୁକ୍ତ ୨ ଓ ଯୁକ୍ତ ୩ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ୪ଦଫା ଦାବିରେ ଗତ ଫେବୃୟାରୀ ୧୩ ତାରିଖରୁ ଭୁବନେଶ୍ୱର ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଦେଇଆସୁଛନ୍ତି । ସମାନ ଗ୍ରେଡ ପେ’ କୁ ସମାନ ବେତନ ପ୍ରଦାନ, ୨୦୦୮ ଜିଏରେ ଅର୍ନ୍ତଭୁକ୍ତ ସମସ୍ତ ଅଧ୍ୟାପକ କର୍ମଚାରୀଙ୍କୁ ପେନସନ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ୨୦୧୮ ଗ୍ରାଣ୍ଟ-ଇନ-ଏଡ ଅର୍ନ୍ତଭୁକ୍ତ କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନ ଏବଂ ୨୦୦୮ ଓ ୨୦୧୪ ଜିଆଇଏ ଆଦେଶରେ ଥିବା ଅସଙ୍ଗତି ଦୂର କରିବା ଦାବିରେ ଅଧ୍ୟାପକ କର୍ମଚାରୀଙ୍କ ଏହି ଆନ୍ଦୋଳନ ଜାରି ରହିଛି । ସଂଘର ୪ ଦଫା ଦାବିକୁ ଦୃଷ୍ଟିରେ ରଖି ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ ହେଁ ଆନ୍ଦୋଳନର ୪ମାସ ପରେ ମଧ୍ୟ ଦାବି ପୂରଣ ନେଇ କୌଣସି ବାଟ ଫିଟିପାରି ନାହିଁ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଚଳିତମାସ ୧୯ ତାରିଖ ସୁଦ୍ଧା ଦାବି ପୁରଣ ନକଲେ ସଂଘ ପକ୍ଷରୁ ବାଧ୍ୟ ହୋଇ ଜୁଲାଇ ୨୦ରୁ ଅଧ୍ୟାପକ କର୍ମଚାରୀ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି କେନ୍ଦୁଝର ସଂଘ ପକ୍ଷରୁ ଶତାଧିକ ଅଧ୍ୟାପକ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ବୁଧବାର ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅଧ୍ୟାପକ ବିପିନ ବିହାରୀ ସାହୁ, ଅକ୍ଷୟ କୁମାର ସିଂହ, ନାରାୟଣ ସାହୁ, ପ୍ରକାଶ କୁମାର ଆଚାର୍ଯ୍ୟ, ସଂଗ୍ରାମ କେଶରୀ ବେହେରା, ତୁଳସୀ ଚରଣ ମହାନ୍ତ, ଅଧ୍ୟାପିକା ସ୍ମୃତି ବାନାର୍ଜି, ନିରୂପମା ଦାସ, ଅଶୋକ କୁମାର ରାଜ, ନିହାର ରଞ୍ଜନ ସାମଲ, କ୍ଷୀରୋଦ ପ୍ରସାଦ ଷଡଙ୍ଗୀ, ସୁଶାନ୍ତ କୁମାର ସାହୁ, ନରେନ୍ଦ୍ର କୁମାର ରାଉତ, ନିରାକାର ମହାନ୍ତି, ସୁରେଶ ଚନ୍ଦ୍ର ପ୍ରଧାନ, ସୌଦାମିନୀ ବାରିକ, ସ୍ନିଗ୍ଧା ଦାସ, ବିଜୟିନୀ ଆଚାର୍ଯ୍ୟ, ଅଶୋକ କୁମାର ସାହୁ, ହିମାଂଶୁ ଶେଖର ମହାନ୍ତ ପ୍ରମୁଖ ନେତୃତ୍ୱ ନେଇ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

Comments are closed.