www.samajalive.in
Saturday, December 6, 2025
17.1 C
Bhubaneswar

ଭାରତମାଳା ପ୍ରକଳ୍ପ ଯୋଜନାରେ ୬ଲେନ୍‍ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ ପ୍ରସ୍ତୁତି

ନବରଙ୍ଗପୁର: କେନ୍ଦ୍ର ସରକାରଙ୍କର ଦ୍ୱାରା ଭାରତମାଳା ଯୋଜନାରେ ଜାତୀୟରାଜପଥ ପ୍ରାଧିକରଣ ପକ୍ଷରୁ ରାୟପୁରଠାରୁ ବିଶାଖାପାଟଣା ପର୍ୟ୍ୟନ୍ତ ନୂତନ ଭାବେ ୬ଲେନ୍‍ ବିଶିଷ୍ଟ ରାଜପଥ ନିର୍ମାଣ ପାଇଁ ମଞ୍ଜୁର ହୋଇଛି। ଯାହାକି ତିନୋଟି ରାଜ୍ୟ ଛତିଶଗଡ, ଓଡିଶା ଓ ଆନ୍ଧ୍ର ପ୍ରଦେଶକୁ ନେଇ ଜାତୀୟ ରାଜପଥ ନିର୍ମାଣ କରାଯିବାକୁ ପଦକ୍ଷେପ ନିଆଯାଉଛି। ଏହି ତିନୋଟି ରାଜ୍ୟକୁନେଇ ଅର୍ଥନୈତିକ କରିଡର ଭାବେ ଏହି ରାସ୍ତା ବ୍ୟବହାର କରାଯିବ। ଫଳରେ ଏହି ତିନୋଟି ରାଜ୍ୟର ବାଣିଜ୍ୟିକ ଓ ଅର୍ଥନୈତିକ କାରବାର ବ୍ୟାପକ ବୃଦ୍ଧି ପାଇବ ଓ ଏହି ତିନୋଟି ରାଜ୍ୟ ଅର୍ଥନୈତିକ ବିକାଶରେ ଏହା ସହାୟକ ହୋଇ ପାରିବ। ଏହି ରାସ୍ତା ମୋଟ ୪୬୪.୬୬୨କିଲୋମିଟର ରହିଥିବାବେଳେ କେବଳ ଓଡିଶାରେ ସବୁଠାରୁ ଅଧିକ ୨୪୦.୩୭୨ କିଲୋମିଟର ରହିବ। ଓଡିଶାର କେବଳ ନବରଙ୍ଗପୁର ଓ କୋରାପୁଟ ଜିଲାକୁ ଏହି ରାସ୍ତା ଛୁଇଁବ। କେବଳ ନବରଙ୍ଗପୁର ଜିଲାରେ ୧୧୪.୯୮୯ କିଲୋମିଟର ରାସ୍ତା ନିର୍ମାଣ ହେବାକୁ ରହିଥିବାବେଳେ କୋରାପୁଟ ଜିଲାରେ ୧୨୫.୩୮୩ କିଲୋମିଟର ରାସ୍ତା ହେବ। ଏହି ରାସ୍ତାର ଓସାର ୪୫ ରୁ ୬୦ ମିଟର ରହିବ। ଏହା ୬ଲେନ୍‍ ବିଶିଷ୍ଟ ରାସ୍ତା କରାଯିବ ଓ ମାତ୍ର ୭ ଘଣ୍ଟା ମଧ୍ୟରେ ରାୟପୁରରୁ ବିଶାଖାପାଟଣା ପହଞ୍ଚି ହେବ। ନବରଙ୍ଗପୁରରୁ ମାତ୍ର ୩ଘଣ୍ଟାରେ ରାୟପୁର ଓ ୪ଘଣ୍ଟାରେ ବିଶାଖାପାଟଣା ପହଞ୍ଚିହେବ। ଜାତୀୟ ରାଜପଥର ସମ୍ବଲପୁର ଡିଭିଜନ ଅଧିନରେ ଏହି ରାସ୍ତା ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ରାସ୍ତା ପାଇଁ ସର୍ଭେ କାର୍ୟ୍ୟ ଶେଷ ହୋଇଥିବାବେଳେ ବର୍ତ୍ତମାନ ପଥରଚିହ୍ନ ଦିଆ କାମ ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ନବରଙ୍ଗପୁର ଜିଲାର ଜମିଅଧିଗ୍ରହଣ ପାଇଁ ଉପଜିଲାପାଳଙ୍କୁ ଦାୟୀତ୍ୱ ଦିଆଯାଇଛିା ଏହି ରାଜପଥରେ କେବଳ ରାଇଘର,ଉମରକୋଟ ଓ ପାପଡାହାଣ୍ଡିରେ ପ୍ରବେଶ ପଥ ରହିଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ଏହାକୁ ବଢାଇ ନବରଙ୍ଗପୁର,ଡାବୁଗାଁ, ଧୋଡ୍ରା ଓ ହାଟଭରଣ୍ଡିକୁ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି। କେବଳ ଏହି ସ୍ଥାନରୁ ହିଁ ଯାନବାହନ ଏହି ଜାତୀୟରାଜପଥ ଭିତରକୁ ଯାଇ ପାରିବେ। ଅନ୍ୟକୈାଣସି ସ୍ଥାନରୁ ରାଜପଥ ଭିତରକୁ ଯିବାପାଇଁ ବ୍ୟବସ୍ଥା ରହିବ ନାହିଁ। ରାସ୍ତାର ଉଭୟପାର୍ଶ୍ବ ସିଲ କରାଯିବ, ଯାହାଫଳରେ ଯାନବାହନ ଦ୍ରୁତଗତିରେ ଯାତାୟତ କରିପାରିବେ। ଏହି ରାସ୍ତା ଛତିଶଗଡ ରାଜ୍ୟର ସୀମାନ୍ତ କୁନ୍ଦେଇ ଦେଇ ଆସିବାକୁ ଥିବାବେଳେ ଏହା ନବରଙ୍ଗପୁରର ଟିର୍ଲିଆମ୍ବଗୁଡାର ପଲିଟେକନିକ କଲେଜ ଓ ଡିଗ୍ରୀ କଲେଜ ଆଗକୁ ଭତରା ଗ୍ରାମ ନିକଟ ଦେଇଯିବ। ଜୟପୁର ଦେଇ ସିଧା ଦାମନଯୋଡି ବାହାରି ସୁ୍‍ଙ୍କି ଘାଟି ଦେଇ ଆନ୍ଧ୍ର ବାହାରିବ। ନବରଙ୍ଗପୁର ଜିଲାରେ ଏହି କାମର ତ୍ୱରାନ୍ୱୀତ ପାଇଁ ଜାତୀୟ ରାଜପଥ ପକ୍ଷରୁ ଜଣେ ସୁପରଭାଇଜରକୁ ନିଯୁକ୍ତି ଦିଆଯାଇଛିା ତେବେ ଏହିରାସ୍ତା ପାଇଁ ଯଥାଶୀଘ୍ରଶେଷ କରିବାକୁ କେନ୍ଦ୍ରସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କର ସହଯୋଗରେ ଏହି କାର୍ୟ୍ୟ ଆଗେଇ ଚାଲିଛି। ତେବେ ଜିଲାରେ ପ୍ରଥମଥରପାଇଁ ଏହି ନୂତନ ୬ଲେନ୍‍ ବିଶିଷ୍ଠ ଜାତୀୟରାଜପଥ ନିର୍ମାଣ ନେଇ ବିଭିନ୍ନ ରାଜନୈତକି ଦଳ, ବ୍ୟବସାୟୀ ଓ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଥିବାବେଳେ ଏହା ଦ୍ୱାରା ନବରଙ୍ଗପୁର ଜିଲାର ଗମନାଗମନ ସୁଗମ ହେବା ସହ ଜିଲାର ଅର୍ଥନୈତିକ ବିକାଶରେ ଏହା ବିଶେଷ ସହାୟକ ହୋଇ ପାରିବ ବୋଲି ମତପ୍ରକାଶ ପାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories