ସମ୍ବଲପୁର/ଭୁବନେଶ୍ବର: ୨୩୧ କୋଟି ଟଙ୍କା ଠକେଇ ମାମଲାରେ ସମ୍ବଲପୁର ସ୍ଥିତ ଭାରତ ଇଣ୍ଟିଗ୍ରେଟେଡ୍ ସୋସିଆଲ ୱେଲଫେୟାର ଏଜେନ୍ସି (ବିଶ୍ୱ) ଏନ୍ଜିଓରେ ଦୁଇ ଦିନ ଧରି ଚଢ଼ଉରୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) କେତେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଜବତ କରିିଥିବା ସୂଚନା ମିଳିଛି। ଗତ ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଚଢ଼ଉ କରାଯାଇଥିଲା। ସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ଇଡି ଦଳ ଖାନ୍ତଲାସ କରିଥିଲେ। ଏହି ଚଢ଼ଉରେ ଜାଲ୍ ହିତାଧିକାରୀଙ୍କ ନାମରେ ଥିବା ୫୦୫ଟି ବ୍ୟାଙ୍କ ଜମାଖାତା, ୧୦ ଲକ୍ଷ ଟଙ୍କା ସେୟାର ବଜାର ଅଂଶଧନ, ଚେକ୍ବୁକ୍ ଓ ପେନ୍ ଡ୍ରାଇଭ ଏବଂ ହାର୍ଡଡିକ୍ସ ଆଦି ଜବତ କରାଯାଇଛି। ଏଥିସହ ଉକ୍ତ ଜମାଖାତାରେ ଥିବା ୭୨ ଲକ୍ଷ ଟଙ୍କାକୁ ଅକାମୀ କରାଯାଇଥିବା ଇଡି ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଭାଇ ସ୍ବର୍ଗତ କ୍ଷୀରୋଦ ମଲ୍ଲିକ ବିଶ୍ୱ ଏନ୍ଜିଓର ପ୍ରତିଷ୍ଠାତା ଥିଲେ। କ୍ଷୀରୋଦ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍ଏସ୍ଜି) ଓ ଜେଏଲ୍ଏଫ୍ ସଂସ୍ଥା ଗଠନ କରିଥିଲେ। ଏହି ଦୁଇ ସଂସ୍ଥା ନାମରେ ସାଧାରଣ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରିଥିଲେ। ଅଧିକ ଲାଭ ସହ ମୂଳଧନ ଫେରସ୍ତ କରିବା ଲାଗି ପ୍ରତିଶ୍ରୁତି ଦେଇ ସେ ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ। ଆର୍ବିଆଇ ମାର୍ଗଦର୍ଶିକାକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ସେ ଏହି ଅର୍ଥ କାରବାର ଚଳାଇଥିଲେ। ପରେ ଲୋକଙ୍କୁ ଅର୍ଥ ଫେରସ୍ତ କରି ନଥିଲେ। ଏନେଇ ଅଭିଯୋଗ ହେବା ପରେ ସିବିଆଇ, କ୍ରାଇମବ୍ରାଞ୍ଚ ଓ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଏହି ମାମଲାରେ ଇଡି ଚଢ଼ଉ କରିଥିଲା।
ବିଶ୍ବ ସଂସ୍ଥା ୧୫ଟି ଭାରତୀୟ ଓ ୩ଟି ବିଦେଶୀ ବ୍ୟାଙ୍କ ଅଥବା ଅଣବ୍ୟାଙ୍କିଙ୍ଗ୍ ଅର୍ଥ ଲଗାଣକାରୀ ସଂସ୍ଥାରୁ ୨୩୧ କୋଟି ଟଙ୍କାରୁ ଅଧିକ ଋଣ ଆଣି ମାଇକ୍ରୋଫାଇନାନ୍ସ ସୂତ୍ରରେ ଋଣ କାରବାର କରୁଥିଲା ା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ୨୫ଧରୁ ଅଧିକ ସୁଧହାରରେ ଋଣ ଦେଇ ମୋଟା ଅଙ୍କର ଆୟ କରୁଥିଲେ ହେଁ ନିଜେ ଆଣିଥିବା ଋଣ ପରିଶୋଧ କରୁ ନ ଥିଲା। ତା’ଛଡ଼ା ବିଜେଡି ଶାସନ ସମୟରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଛତୁଆ ଓ ଗହମ ବିତରଣର ଟେଣ୍ଡର ମିଳିବା ସଂକ୍ରାନ୍ତରେ ମଧ୍ୟ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏନେଇ ଇଡି ଖୋଳତାଡ଼ କରୁଛି ା ଆର୍ଥିକ ଅନିୟମିତତା ସମେତ ବିଜେଡି ଶାସନ ସମୟରେ ବିଶ୍ବ ସଂସ୍ଥାର ମାଲିକ କ୍ଷୀରୋଦ ମଲ୍ଲିକଙ୍କ ନାମରେ ଥିବା କେତେକ ଦୁର୍ନୀତି ଅଭିଯୋଗର ଖିଅ ଇଡି ଖୋଜୁଥିବା ଜଣାପଡିଛି।
‘ବିଶ୍ବ’ରୁ ୫୦୫ ଜାଲ୍ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଜବତ
Popular Categories



