ଓଡ଼ିଶାରେ ୪ ପର୍ଯ୍ୟାୟରେ ମତଦାନ

ଭୁବନେଶ୍ବର : ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ ପାଇଁ ଶନିବାର ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ରାଜ୍ୟରେ ମେ’ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ ତାରିଖରେ ଭୋଟ୍ ଗ୍ରହଣ ହେବ। ଆଜିଠୁ ସମଗ୍ର ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଜୁନ୍ ୬ରେ ନିର୍ବାଚନର ସମସ୍ତ ପ୍ରକ୍ରିୟା ସରିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସିଇଓ ଶ୍ରୀ ଧଳ କହିଛନ୍ତି, ଓଡ଼ିଶାରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଏବଂ ସମଗ୍ର ଦେଶରେ ଚତୁର୍ଥ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ଏଥିପାଇଁ ବିଧିବଦ୍ଧ ଭାବେ ଏପ୍ରିଲ ୧୮ରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନପତ୍ର
ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ ୨୫ରେ ନାମାଙ୍କନ ପତ୍ର ଦାଖଲ ଶେଷଦିନ ରହିଛି। ଏପ୍ରିଲ ୨୬ରେ ନାମାଙ୍କନପତ୍ର ଯାଞ୍ଚ, ଏପ୍ରିଲ ୨୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ ହୋଇଛି। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ମେ’ ୧୩ ତାରିଖ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ସମଗ୍ର ଦେଶରେ ପଞ୍ଚମ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ବରଗଡ଼,ସୁନ୍ଦରଗଡ଼,ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ସମେତ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ଏପ୍ରିଲ ୨୬ରେ ପ୍ରକାଶ ପାଇବା ସହ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମେ’ ୩ରେ ନାମାଙ୍କନପତ୍ର ଦାଖଲ ଶେଷଦିନ ରହିଛି। ମେ’ ୪ରେ ନାମାଙ୍କନପତ୍ର ଯାଞ୍ଚ, ମେ’ ୬ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ମେ’ ୨୦ରେ କରାଯିବ। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଏବଂ ସମଗ୍ର ଦେଶରେ ଷଷ୍ଠ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ସମେତ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ଏପ୍ରିଲ ୨୯ରେ ପ୍ରକାଶ ପାଇବା ସହ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମେ’ ୬ରେ ନାମାଙ୍କନପତ୍ର ଦାଖଲ ଶେଷଦିନ ରହିଛି। ମେ’ ୭ରେ ନାମାଙ୍କନପତ୍ର ଯାଞ୍ଚ, ମେ’ ୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ ହୋଇଛି। ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ମେ’ ୨୫ରେ ହେବ। ରାଜ୍ୟରେ ଶେଷ ପର୍ଯ୍ୟାୟ ଏବଂ ସମଗ୍ର ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ସମେତ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ମେ’ ୭ରେ ପ୍ରକାଶ ପାଇବା ସହ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମେ’ ୧୪ରେ ନାମାଙ୍କନପତ୍ର ଦାଖଲ ଶେଷଦିନ ରହିଛି। ମେ’ ୧୫ରେ ନାମାଙ୍କନପତ୍ର ଯାଞ୍ଚ, ମେ’ ୧୭ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ ହୋଇଛି। ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜୁନ ୧ରେ ହେବ। ଏକକାଳୀନ ସାଧାରଣ ନିର୍ବାଚନ ଘୋଷଣା ହେବା ସହିତ ଆଦର୍ଶ ଆଚରଣ ସଂହିତା ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ଆଦର୍ଶ ଆଚରଣ ସଂହିତାର ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି। ଆଦର୍ଶ ଆଚରଣ ସଂହିତା ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହି ମାର୍ଗଦର୍ଶିକାର କୌଣସି ପ୍ରକାଣ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରାର୍ଥୀ ସେମାନଙ୍କ ଅପରାଧିକ ମାମଲା ବିବରଣୀ ନାମାଙ୍କନପତ୍ର ଦାଖଲ ସମୟରେ ଦେବେ। ବିଧାୟକ ପ୍ରାର୍ଥୀ ୪୦ ଲକ୍ଷ ଏବଂ ସାଂସଦ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ଧାର୍ଯ୍ୟଠାରୁ ଅଧିକ ଖର୍ଚ୍ଚ କଲେ ସେମାନଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରାଯିବ। ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ କୌଣସି ସାମଗ୍ରୀ ବଣ୍ଟନ କରାଯାଇ ପାରିବ ନାହିଁ। ଜନସାଧାରଣ ଚାହିଁଲେ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସି-ଭିଜିଲ ଆପ୍ ମାଧ୍ୟମରେ ନିର୍ବାଚନ ଅଧିକାରୀଙ୍କୁ ଜଣାଇପାରିବେ। ଆପ୍‌ରେ ଜଣାଇବାର ୧୦୦ ମିନିଟ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍.ତିରୁମାଲା ନାଏକ, ଶତ୍ରୁଘ୍ନ କର, ମିହିର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.