୪ର୍ଥ ଦଧୀଚି ସମ୍ମାନ ପ୍ରଦାନ ସମାରୋହ
ଭୁବନେଶ୍ୱର : ପରୋପକାର ଓ ସେବା କଲେ ପୁଣ୍ୟ ହୁଏ। ଜଣେ ମଣିଷ ମୃତ୍ୟୁପରେ ଅଙ୍ଗଦାନ କଲେ ତାଙ୍କର ମନୁଷ୍ୟ ଜୀବନ ସାର୍ଥକ ହୁଏ। ଜନ୍ମ ମୃତ୍ୟୁ ଚିରନ୍ତନ ସତ୍ୟ। କିନ୍ତୁ ଜୀବଦ୍ଦଶାରେ ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ପାଇଁ ସଂକଳ୍ପ ପାଠ କଲେ ଅନ୍ୟ ଜୀବନ ବଞ୍ଚାଇବାର ବିକଳ୍ପ ବାଟ ଦେଖାଇଥାଏ ବୋଲି ଚତୁର୍ଥ ଦଧୀଚି ସମ୍ମାନ ମହୋତ୍ସବରେ ବକ୍ତାମାନେ ମତ ଦେଇଛନ୍ତି।
ଜୟଦେବ ଭବନଠାରେ ଆୟୋଜିତ ଦଧୀଚି ସମ୍ମାନ ମହୋତ୍ସବରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ମୁଦ୍ରାକର ନିରଞ୍ଜନ ରଥଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର କହିଥିଲେ ଯେ ଅଙ୍ଗଦାନ ଠାରୁ ମହତ ଦାନ କିଛି ନାହିଁ। ସେବା, ତ୍ୟାଗ ଓ ଦାନ ଫଳରେ ଯେତିକି ପୁଣ୍ୟ ମିଳେ ଅଙ୍ଗଦାନ କଲେ ମହାପୁ୍ଣ୍ୟ ପ୍ରାପ୍ତି ହୁଏ। ହାଇକୋର୍ଟର ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତୀ ଡ଼ିପି ଚୌଧୁରୀ କହିଥିଲେ ଯେଉଁମାନେ ଦାନ କରନ୍ତିି ତାହା ଗୋପନ ରଖାଯାଏ। ଅନ୍ନଦାନ, ଧନ, ବସ୍ତ୍ରଦାନ ଓ ଗୁରୁଙ୍କ ବିଦ୍ୟା ଦାନଠାରୁ ଅଙ୍ଗଦାନ ସର୍ବଶ୍ରେଷ୍ଠ ଦାନ। ବଞ୍ଚିଥିବା ଅବସ୍ଥାରେ ଅଙ୍ଗଦାନ କରିବା ପାଇଁ ନିୟମ ରହିଛି। ଏଥିପାଇଁ ଏକ ପ୍ରାଧିକୃତ କମିଟି ରହିଛି ବୋଲି ସେ ଉଲ୍ଲେଖ କରିଥିଲେ। ସାଂସଦ ରୀତା ତରାଇ କହିଥିଲେ ଯେ ମୃତ୍ୟୁ ସମୟରେ ନିଜର ଅଙ୍ଗଦାନ କଲେ ଆତ୍ମା ମୁକ୍ତି ପାଇଥାଏ। ସମାଜର ପ୍ରକାଶକ ତଥା ମୁଦ୍ରାକର ନିରଞ୍ଜନ ରଥ କହିଥିଲେ ଯେ ଯେଉଁମାନେ ଅଙ୍ଗଦାନ କରିବା ପାଇଁ ଅଙ୍ଗିକାରବଦ୍ଧ ସେମାନେ ନିଶ୍ଚିତ ଭାବେ ଏହାର ମହତ୍ୱକୁ ଅନୁଭବ କରିଥିବେ। ଏଥିପାଇଁ ଅଧିକ ସଚେତନତା ସୃଷ୍ଟି ହେବା ଆବଶ୍ୟକ।
ଶରୀର ଅଙ୍ଗଦାନ ଅଭିଯାନର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ଼ ପ୍ରଭାସ ଆଚାର୍ଯ୍ୟ କହିଥିଲେ ଯେ ୧୩୫୦ ଜଣ ବ୍ୟକ୍ତି ସେମାନଙ୍କ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଛିନ୍ତି। ଦଧୀଚି ଦେଶର ଷଷ୍ଠ ସ୍ଥାନରେ ରହିଛି। ଜଣଙ୍କ ମୃତ୍ୟୁ ହୋଇଥିଲେ ସେ କେବଳ ଚକ୍ଷୁଦାନ କରିପାରିବ। ରାଜ୍ୟର ୩୫୦୦ ସ୍ୱେଚ୍ଛାସେବୀ ଅଙ୍ଗଦାନ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ଅଛନ୍ତି। ଏଭଳି କାର୍ଯ୍ୟରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ସେ ଆହ୍ୱାନ ଦେଇଥିଲେ। ଅଙ୍ଗଦାନ ପାଇଁ ଇଛୁକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଶରୀର ମେଡିକାଲ କଲେଜ ପର୍ଯ୍ୟନ୍ତ ଆଣିବା ପାଇଁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବା ଆବଶ୍ୟକ ବୋଲି ସେ କହିଥିଲେ।
ମହୋତ୍ସବର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଆଇନ୍ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ବି.କେ ନାୟକ କହିଥିଲେ, ଅଙ୍ଗଦାନର ମହତ୍ତ୍ୱ ଅନ୍ୟ ସବୁ ପ୍ରକାର ଦାନ ଠାରୁ ମହାନ୍। ଏହାକୁ ଅନ୍ୟ କୌଣସି ଦାନ ସହିତ ତୁଳନା କରାଯାଇ ପାରିବ ନାହିଁ। ଏହି ଅବସରରେ ଜଷ୍ଟିସ୍ ନାୟକ ନିଜ ଅଙ୍ଗଦାନ ପାଇଁ ସହମତି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି କହିଥିଲେ, ଅଙ୍ଗଦାନ ଏପରି ଏକ ଦାନ ଯଦ୍ଦ୍ୱାର ଜଣେ ବ୍ୟକ୍ତି ମୃତ୍ୟୁ ପରେ ବି ଅନ୍ୟର ଶରୀରରେ ବଞ୍ଚି ରହିବ। ଅଙ୍ଗଦାନ କରୁଥିବା ବ୍ୟକ୍ତି ଈଶ୍ୱରଙ୍କ ଠାରୁ କମ୍ ନୁହନ୍ତି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦ୍ୱୈତନଗରୀ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଥିଲେ, ପୂର୍ବାପେକ୍ଷା ଆମ ରାଜ୍ୟରେ ଅଙ୍ଗଦାନକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଲୋକେ ଦାନ କରୁଥିବା ଅଙ୍ଗକୁ ସୁରକ୍ଷିତ ଭାବେ ସଂରକ୍ଷଣ କରି ରଖିବା ପାଇଁ ବିଶେଷ ସୁବିଧା ନାହିଁ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଯତ୍ନବାନ୍ ହେବା ଆବଶ୍ୟକ। ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ କହିଥିଲେ ଯେ ଅଙ୍ଗଦାନ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଥିବାବେଳେ ଏହାକୁ ଅଧିକ କ୍ରୀୟାଶୀଳ କରିବା ଦିଗରେ ଯୁବପିଢ଼ୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।
ଶେଷ ଅଧିବେଶନରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସରକାରୀ ଦଳର ମୁଖ୍ୟସଚେତନ ଅମର ପ୍ରସାଦ ଶତପଥୀ କହିଲେ ଯେ, ବର୍ତ୍ତମାନ ଆମେ ଯେଉଁ ସେବା ନାମରେ ବିଭିନ୍ନ କାର୍ଯ୍ୟ କରୁଛେ ତାହା ସମର୍ପିତ ସେବା ନୁହେଁ। ମଣିଷ ପ୍ରବୃତ୍ତି ନିହିତ ହେଲେ ପ୍ରକୃତ ସେବା ମିଳିପାରିବ। ତେବେ ଗୋପବନ୍ଧୁଙ୍କ ଆଦର୍ଶରେ ପରିଚାଳିତ ‘ସମାଜ’ ସେବାର ଅନ୍ୟତମ ମାଧ୍ୟମ। ଏବେ କିନ୍ତୁ ସେବା କାର୍ଯ୍ୟର ପ୍ରଚାରକୁ ଅଧିକ ଗୁରୁତ୍ୱ ଦିଆଯାଉଛି। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ କହିଲେ ଯେ ଦାନ ସ୍ୱଚ୍ଛ ହେବା ଆବଶ୍ୟକ। ବର୍ତ୍ତମାନ ଆବଶ୍ୟକ
ହେଉଥିବା ରକ୍ତର ମାତ୍ର ୨୫% ଉପଲବ୍ଧ ହେଉଛି। ସେହିପରି ଅଙ୍ଗର ମଧ୍ୟ ଆବଶ୍ୟକତା ରହିଛି। ଚାହିଦା ବଢୁଥିବାବେଳେ ଅଙ୍ଗଦାନ ପର୍ଯ୍ୟାପ୍ତ ହେଉନାହିଁ। ଏସ୍ସିବି ମେଡିକାଲ କଲେଜରୁ ଅବସର ନେଇଥିବା ସର୍ଜରୀ ବିଭାଗ ଡାକ୍ତର ପି.କେ ମହାପାତ୍ର ଅଙ୍ଗଦାନ କାର୍ଯ୍ୟକ୍ରମ ଆଗକୁ ନେବା ପାଇଁ ଆହ୍ୱାନ ଦେଇଥିଲେ। ଶେଷରେ ‘ସମାଜ’ ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ପ୍ରଥମ ଅଙ୍ଗଦାନ କରିଥିବା ଛତିଆର ଡ. ଜଗନ୍ନାଥ ଦାସଙ୍କ ସ୍ମୃତିରେ ଡା ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କୁ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଶରୀର ଦାନ ପାଇଁ ସତ୍ୟପାଠ କରିଥିବା ରାଜ୍ୟର ବିଭିନ୍ନ ଜିଲାର ୨୭୦ ଜଣ ବ୍ୟକ୍ତଙ୍କୁ ଦଧୀଚି ସମ୍ମାନରେ ସମ୍ମାନିତ କରାଯାଇ ଥିଲା। ଏଥିସହ ଅଙ୍ଗଦାନ କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ସର୍ବଶ୍ରୀ କୈଳାସ ପଣ୍ଡା, ଡ. ଶ୍ରୀମାନ ଶ୍ରୀଚନ୍ଦନ, ସଂଗ୍ରାମ କେଶରୀ ସ୍ୱାଇଁ, ଡ଼ ମନୋରଞ୍ଜନ ମହାନ୍ତି, ମୀରା ପରିଡ଼ା, ପ୍ରଣବ ରାଉତ, ଡ଼ ନୀଳିମା ପ୍ରିୟଦର୍ଶିନୀ,ବସନ୍ତ କୁମାର ଦାନୀ, ସ୍ମତିରଞ୍ଜନ ଦାସ, ସତ୍ୟ ନାରାୟଣ ଦାସଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଅନ୍ୱେଶାନ, ସାହା, ଗୋପବନ୍ଧୁ ସେବାକେନ୍ଦ୍ର ଓ ସମାଜ ରିଲିଫର ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମରେ ଶୃଙ୍ଖଳା ରକ୍ଷା କରିଥିବା ବେଳେ ଶ୍ରୀ ଲକ୍ଷ୍ମୀଛଡ଼ା ଓ ଜିମସାର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେହିପରି ଇନ୍ଭେଲିଡ୍ କୋଡ୍ ସଙ୍ଗଠନ ପକ୍ଷରୁ ସଙ୍ଗୀତ ପରିବେଷଣ ହୋଇଥିଲା।