ବ୍ରହ୍ମପୁର: ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ନିର୍ଯ୍ୟାତନାର ଶିକାର ହୋଇଥିବା ଘଟଣା ରାଜ୍ୟରେ ନିଛି ନୂଆ ନୁହେଁ। ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପାଇଁ କିଛି ଆଖି ଦୃଶିଆ ପଦକ୍ଷେପ ନେଇଥିବା ଦେଖିବାକୁ ମିଳିନାହିଁ। ଏଭଳି ପରିସ୍ଥିତିରେ କର୍ଣ୍ଣାଟକରେ ନିର୍ଯାତିତ ଅବସ୍ଥାରେ ଥିବା ଗଞ୍ଜାମର ୪୨ ଜଣ ଶ୍ରମିକ କୌଣସିମତେ ସେଠାରୁ ଖସି ଆସିବାରେ ସଫଳ ହୋଇଛନ୍ତି। ଏନେଇ ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲାର ହିଂଜିଲିକାଟୁ, ଆସିକା, ସେରଗଡ଼, ଦିଗପହଣ୍ଡି ଅଂଚଳର ଏହି ଶ୍ରମିକମାନେ ପ୍ରାୟ ୩ ମାସ ତଳେ ଜଣେ ଠିକାଦାରଙ୍କ ନେତୃତ୍ୱରେ କର୍ଣ୍ଣାଟକରେ ଥିବା ଏକ ସିମେଣ୍ଟ କମ୍ପାନୀରେ କାମ କରିବାକୁ ଯାଇଥିଲେ। ଶ୍ରମିକଙ୍କ ଖାଇବା ଓ ରହିବ ବ୍ୟବସ୍ଥା ସହ ମାସିକ ୧୩ ହଜାର ଟଙ୍କା ଲେଖାଏଁ ଦରମା ଦିଆଯିବ ବୋଲି ଠିକାଦାର ଜଣକ କହିଥଲେ। ହେଲେ ୩ ମାସ ହେବ ସେମାନଙ୍କୁ ଦରମା ଦିଆଯାଇନଥିଲା। ଶେଷରେ ମାଧ୍ୟ ହୋଇ ଶ୍ରମିକମାନେ ଲୁଚିଛପି ଟ୍ରେନ ଯୋଗେ ନିଜ ଗ୍ରାମକୁ ଫେରି ଆସିଛନ୍ତି। ସେଠାରେ ଦରମା ମାଗିଲେ ମାଡ଼ ମାରିବା ସହ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଥିଲା ବୋଲି ଶ୍ରମିକମାନେ ଆଜି ବ୍ରହ୍ମପୁର ଶ୍ରମ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ଶ୍ରମିକଙ୍କ ବୟାନ ରେକର୍ଡ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଠିକାଦାର ଜଣଙ୍କ ଫେରାର ହୋଇ ଯାଇଥିବା ଜଣାପଡିଛି ।



