କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସନ୍ତରଣ ପ୍ରତିଯୋଗିତା ଉଦ୍‌ଘାଟିତ, ନିଜ ରାଜ୍ୟର ପ୍ଲାକାର୍ଡ ଧରି କ୍ରୀଡ଼ାବିତଙ୍କ ଫ୍ଲାଗମାର୍ଚ୍ଚ ପ୍ରଦର୍ଶନ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ତମ ସବ -ଜୁନିୟର ଏବଂ ୫୦ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ ଏବଂ ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୧୦୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି। ଓଡିଶାରୁ ବାଳକ ବର୍ଗରେ ୨୧ ଜଣ ଏବଂ ବାଳିକା ବର୍ଗରେ ୧୮ ଜଣ ତଥା ସର୍ବମୋଟ୍ ୩୯ ଜଣ ପ୍ରତିଯୋଗୀ ପ୍ରତିଯୋଗିତାରେ ଭାଗ ନେଇଛନ୍ତି।

ଓଡ଼ିଶା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡାକ୍ଷେତ୍ରର ବିକାଶ ଏବଂ କ୍ରୀଡ଼ାବିତମାନଙ୍କୁ ଉଚ୍ଚକୋଟୀରର ପ୍ରଶିକ୍ଷଣ ଯୋଗାଇ ଦେବାରେ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମତପ୍ରକାଶ କରିଥିଲେ। ସେ କହିଥିଲେ ଯେ ୪୦ତମ ସବ -ଜୁନିୟର ଏବଂ ୫୦ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ହେଉଛି କ୍ରୀଡାବିତମାନଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ଯେଉଁଠାରେ ସେମାନେ ନିଜ ପ୍ରତିଭା ପ୍ରଦର୍ଶନ କରିପାରିବେ। ଓଡ଼ିଶାରେ ଜାତୀୟ ସନ୍ତରଣ ପ୍ରତିଯୋଗିତା  ଆୟୋଜନ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ମୁଁ ସାଧୁବାଦ ଦେବା ସହ ପ୍ରତିଯୋଗିତାରେ ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ମୋର ଆଶା ଓ ବିଶ୍ୱାସ।

ଭାରତୀୟ ସନ୍ତରଣ ମହାସଂଘର ମହାସଚିବ ମୋନାଲ ଚୋକ୍ସି ସମସ୍ତ ପ୍ରତିଯୋଗୀଙ୍କୁ ସ୍ୱାଗତ ଜଣାଇବା ସହ କହିଥିଲେ ଯେ, ଯୁବ ପ୍ରତିଭାଗୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ତଥା ସେମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଜାତୀୟ ସନ୍ତରଣ ପ୍ରତିଯୋଗିତାର ଆୟୋଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅତ୍ୟାଧୁନିକ ଭିତ୍ତିଭୂମିରେ ନିର୍ମିତ କଳିଙ୍ଗ ଷ୍ଟାଡିୟମର ଜଳକ୍ରୀଡା କେନ୍ଦ୍ର ପ୍ରତିଯୋଗୀମାନଙ୍କୁ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିବା ପାଇଁ ଏକ ଉତ୍ତମ ପରିବେଶ ଯୋଗାଇ ଦେଉଛି। ଭାରତୀୟ ସନ୍ତରଣ ମହାସଂଘକୁ ନିରନ୍ତର ସମର୍ଥନ ଏବଂ ସନ୍ତରଣକୁ ଏକ ପ୍ରମୁଖ କ୍ରୀଡା ରୂପେ ପ୍ରୋତ୍ସାହିତ କରୁଥିବାରୁ ମୁଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଉଛି।

କ୍ରୀଡା ଓ ଯୁବସେବା ବିଭାଗ ର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଓ ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନର ସଭାପତି ପ୍ରଦୀପ ପାଢ଼ୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ଏବଂ ବିଭିନ୍ନ ରାଜ୍ୟ ରୁ ଆସିଥିବା ଖେଳାଳିମାନେ ନିଜର ଅନୁଭୂତି ପ୍ରକାଶ କରିଥିଲେ ଏବଂ ନିଜ ରାଜ୍ୟର ପ୍ଲାକାର୍ଡ ଧରି ଏକ ଫ୍ଲାଗମାର୍ଚ୍ଚ ପ୍ରଦର୍ଶନ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏଥର ତୃତୀୟ ଥର ପାଇଁ ଓଡ଼ିଶାରେ ଜାତୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ପ୍ରତିଯୋଗିତାରେ ଫ୍ରି ଷ୍ଟାଇଲ୍, ବ୍ୟାକ୍ ଷ୍ଟ୍ରୋକ, ବଟରଫ୍ଲାଏ ଷ୍ଟ୍ରୋକ ଆଦି ୭ ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।

Comments are closed.