ଜୁଆ ଆଡ୍ଡାରେ ଚଢାଉବେଳେ ପୁଲିସକୁ ଆକ୍ରମଣ, ୪ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକରଡାଠାରେ ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚିକରଡା ଛକ ସାହିର ଏସ. ସୁନିଲ ରେଡ୍ଡୀ, ମଝି ସାହିର ଟି. ସାଗର ରେଡ୍ଡୀ, ବାସ୍ତପୁର ସାହିର ଇ. ଈଶ୍ଵର ରେଡ୍ଡୀ ଓ ଢିମିରା ସାହିର ବି. ସୁରେଶ ପାତ୍ର। ଅନ୍ୟ ୪ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।

ଗତ ୧୭ ତାରିଖ ଭୋର ସମୟରେ ଚିକରଡା ଗାଁରେ ରାସ୍ତା ଉପରେ ଜୁଆ ଖେଳ ଚାଲିଥିବାବେଳେ ଏଏସଆଇ କହ୍ନେଇ ମିର୍ଦ୍ଧା ଓ ଅନ୍ୟ ପୁଲିସ କର୍ମଚାରୀମାନେ ପହଞ୍ଚି ଚଢ଼ାଉ କରିଥିଲେ। ଫଳରେ ଜୁଆ ଖେଳୁଥିବା ଲୋକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ସେଠାରୁ ଥାନାକୁ ଫେରୁଥିବା ସମୟରେ ଅଭିଯୁକ୍ତମାନେ ପୁଲିସ ଗାଡ଼ିକୁ ଅଟକାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ପୁଲିସ କର୍ମଚାରୀମାନେ ନିଜ ପରିଚୟ ଦେଇଥିଲେ ହେଁ ଅଭିଯୁକ୍ତମାନେ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଏଏସଆଇ ମିର୍ଦ୍ଧା, ହାବିଲଦାର ପି. କେ. ରଥଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ଆହତ ହୋଇଥିଲେ। ଏ ନେଇ ଥାନାରେ ଏକ ମାମଲା(୪୩୦/୨୪) ରୁଜୁ ହୋଇଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

Comments are closed.