ସମଲିଙ୍ଗୀ ଯୌନ ସମ୍ପର୍କ ଅସମୀଚୀନ ନୁହେଁ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ସମ୍ମତି ଭିତ୍ତିକ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରୁଥିବା ଭାରତୀୟ ପିଙ୍ଗଳ କୋଡ (ଆଇପିସି) ଧାରା ୩୭୭ର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ କ୍ରମାଗତ ୩ଦିନ ହେଲା ଶୁଣାଣି ଚଳାଇଛନ୍ତି। ଗୁରୁବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସମଲିଙ୍ଗୀ ଯୌନ ସମ୍ପର୍କ ଏକ ଅସମୀଚୀନ କାର୍ଯ୍ୟ ନୁହେଁ; ମାତ୍ର ଏହା ସାଧାରଣ କାର୍ଯ୍ୟ ଠାରୁ ଏକ ଭିନ୍ନ। ସର୍ବୋଚ୍ଚ ଅଦାଲତ ଆହୁରି କହିଛନ୍ତି ଯେ ଧାରା ୩୭୭କୁ ଅବୈଧ ଘୋଷଣା କରିଦିଆଗଲେ ଏଲଜିବିଟି ସମ୍ପ୍ରଦାୟ (ଲେସବିୟାନ, ଗେ, ବାଇସେକ୍ସୁଆଲ ଓ ଟ୍ରାନ୍ସଜେଣ୍ଡର)ଙ୍କ ପ୍ରତି ରହିଥିବା ସାମାଜିକ କଳଙ୍କ ଦୂର ହୋଇଯିବ। ଭାରତ ସମାଜରେ ଏଲଜିବିଟିମାନଙ୍କ ପ୍ରତି ଦୀର୍ଘ ବର୍ଷ ହେଲା ବୈଷମ୍ୟତା ପ୍ରଦର୍ଶନ କରାଯାଇଆସୁଛି। ଏପରି ବୈଷମ୍ୟ ଯୋଗୁଁ ଏଲଜିବିଟିମାନେ ମାନସିକ ଆଘାତ ପାଇଆସୁଛନ୍ତି। ଏହି ସମ୍ପ୍ରଦାୟଙ୍କ ପ୍ରତି ହେଉଥିବା ପକ୍ଷପାତ ଯୋଗୁଁ ସେମାନେ ଉପଯୁକ୍ତ ଚିକିତ୍ସା ସୁବିଧା ମଧ୍ୟ ମିଳୁ ନାହିଁ ବୋଲି ବିଚାରପତି ଇନ୍ଦୁ ମାଲହୋତ୍ରା ମତବ୍ୟକ୍ତ କରିଥିଲେ।
ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ପୀଠ ଏହି ପ୍ରସଙ୍ଗ ଉପରେ ଶୁଣାଣି କରୁଛନ୍ତି। ଶୁଣାଣି କାଳରେ ଜଷ୍ଟିସ ମିଶ୍ର ଜନୈକ ଆବେଦନକାରୀଙ୍କ ଓକିଲ ମେନକା ଗୁରୁସ୍ୱାମୀଙ୍କୁ ପ୍ରଶ୍ନ କରିଥିଲେ ଯେ ସାଧାରଣ ଦମ୍ପତିଙ୍କୁ ମିଳୁଥିବା ସୁବିଧାସୁଯୋଗ ସମଲିଙ୍ଗୀଙ୍କୁ ଦିଆ ନଯିବା ଲାଗି କୌଣସି ଆଇନ, ନିୟମ କିମ୍ବା ନୀତି ରହିଛି କି? ଉତ୍ତରରେ ଓକିଲ ମେନକା କହିଥିଲେ ସେପରି କୌଣସି ଆଇନ କିମ୍ବା ନୀତି, ନିୟମ ନାହିଁ। ବୁଧବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି ଯେ ଏହି ଧାରା ସମାଜରେ ଘୃଣାର ବାତାବରଣ ସୃଷ୍ଟି କରୁଛି। ଏହି ଧାରାକୁ ନିଷିଦ୍ଧ କରାଗଲେ ଏଲଜିବିଟି ସମ୍ପ୍ରଦାୟ (ଲେସବିୟାନ, ଗେ, ବାଇସେକ୍ସୁଆଲ ଓ ଟ୍ରାନ୍ସଜେଣ୍ଡର) ପୂର୍ଣ୍ଣ ଜୀବନ ବିତାଇ ପାରିବେ। ଏହା ସହିତ ସମାଜକୁ ଜାଗ୍ରତ କରିବାରେ ସହାୟକ ହେବ। ତେବେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିଜର ଚୂଡାନ୍ତ ରାୟ ଶୁଣାଇ ନାହାନ୍ତି।
୧୮୬୦ ବ୍ରିଟିଶ ଶାସନ କାଳରୁ ସମଲିଙ୍ଗୀଙ୍କ ମଧ୍ୟରେ ଯୌନ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରାଯାଇ ଆସୁଛି। ତେବେ ୨୦୦୯ ଜୁଲାଇରେ ଦିଲ୍ଲୀ ହାଇକୋର୍ଟ ଏହାକୁ ଅପରାଧ ମୁକ୍ତ କରିଥିଲେ। ୨୦୧୨ ଡିସେମ୍ବରରେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ଖାରଜ କରିଦେଇଥିଲେ। ୨୦୧୪ରେ ନାଜ ଫାଉଣ୍ଡେସନ ସୁପ୍ରିମକୋର୍ଟଙ୍କ ଏହି ରାୟର ସମୀକ୍ଷା ପାଇଁ ଆବେଦନ କରିଥିବାବେଳେ ଏହାକୁ ଅଗ୍ରାହ୍ୟ କରିଦିଆଯାଇଥିଲା। ତେବେ ୨୦୧୬ରେ ୫ଜଣ ଆବେଦନକାରୀ ଏସ୍‍ ଜୋହର, ସାମ୍ବାଦିକ ସୁନୀଲ ମେହଟ୍ଟା, ରୋଷେୟା ରିତୁ ଡାଲମିଆ, ହୋଟେଲ ବ୍ୟବସାୟୀ ଅମନ ନାଥ ଓ ବ୍ୟବସାୟୀ ଆୟେସା କାପୁର ଧାରା ୩୭୭ର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ପିଟିସନ ଦାୟର କରିଥିଲେ।

Leave A Reply