କାନପୁର ଟେଷ୍ଟରେ ବର୍ଷା ବାଧକ ପ୍ରଥମ ଦିନରେ ୩୫ ଓଭର ଖେଳ; ବାଂଲାଦେଶ ୩/୧୦୭

କାନପୁର: ଘରୋଇ ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରର ଗ୍ରୀନପାର୍କ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ଚଳିତ ଟେଷ୍ଟ ଶୃଙ୍ଖଳାର ଅନ୍ତିମ ତଥା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ବର୍ଷା ବାଧକ ସାଜିଛି। ବର୍ଷା ପାଇଁ ଶୁକ୍ରବାର ପ୍ରଥମ ଦିନରେ ମାତ୍ର ୩୫ ଓଭର ଖେଳ ସମ୍ଭବପର ହୋଇଛି। ଏଥିରେ ବାଂଲାଦେଶ ୩ ୱିକେଟ ବିନିମୟରେ ୧୦୭ରନ କରିଛି।
ଖରାପ ଆଉଟ୍‌ଫିଲ୍ଡ ପାଇଁ ଖେଳ ଦେଢ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ରାତିରେ ବର୍ଷା ​ହୋଇଥିବାରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବାଂଲାଦେଶକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ବାଂଲାଦେଶ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା।

ଦୁଇ ଓପନର ଜାକିର ହାସନ ଓ ସଦ୍‌ମାନ ଇସ୍‌ଲାମ ପ୍ରଥମ ୱିକେଟରେ ୨୬ରନ ସଂଗ୍ରହ କରିଥିଲେ। ଜାକିର ୨୪ଟି ବଲ ଖେଳିଥିଲେ ମଧ୍ୟ ଖାତା ଖୋଲିବା ପୂର୍ବରୁ ଆକାଶ ଦୀପ୍‌ଙ୍କ ବଲରେ ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟର ପତନ ୨୯ରନରେ ଘଟିଥିଲା। ସଦ୍‌ନାମ ଇସ୍‌ଲାମ ୨୪ରନ କରି ଆକାଶ ଦୀପ୍‌ଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ୩ୟ ୱିକେଟରେ ମୋମିନୁଲ ହକ୍‌ ଓ ଅଧିନାୟକ ନାଜମୋଲ ହୋସେନ ଶାନ୍ତୋ ସ୍ଥିତି ସମ୍ଭାଳିଥିଲେ। ଉଭୟେ ୩ୟ ୱିକେଟ ପାଇଁ ୫୧ରନ ଭାଗିଦାରୀ କରିଥିଲେ।

୮୦ରନ ସ୍କୋର ଥିବାବେଳେ ଶାନ୍ତୋ ୩୧ରନ କରି ରବିଚନ୍ଦ୍ରନ ଅଶ୍ବିନଙ୍କ ବଲରେ ଆଉଟ୍‌ ହୋଇଥିଲେ। ଚତୁର୍ଥ ୱିକେଟରେ ମୁସ୍‌ଫିକ୍ୟୁର ରହିମ ଓ ମୋମିନୁଲ ହକ୍‌ ଅବିଭାଜିତ ୨୭ରନ ସଂଗ୍ରହ କରିଛନ୍ତି। ମଧ୍ୟାନ ବିରତିର କିଛି ଓଭର ଖେଳ ପରେ ବର୍ଷା ହେବାରୁ ଆଉ ମ୍ୟାଚ ସମ୍ଭବପର ହୋଇନଥିଲା। ପ୍ରଥମ ଦିନ ଖେଳ ବନ୍ଦ ହେବା ବେଳକୁ ମୋମିନୁଲ ୪୦ ଓ ମୁସ୍ତାଫିକ୍ୟୁର ୬ରନ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ଆକାଶ ଦୀପ୍‌ ୨ଟି ଓ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ୱିକେଟ ନେଇଛନ୍ତି। ମ୍ୟାଚରେ ଭାରତ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

Comments are closed.