BJD Bijuli 480×75 Mob

ଆଇଆଇଏମ୍‌-ସମ୍ବଲପୁର ଜମି ଅନିଶ୍ଚିତ: ଓଡ଼ିଶା ଲିଜ୍‌ରେ ଦେବାକୁ ରାଜି, କେନ୍ଦ୍ର ଚାହୁଁଛି ସ୍ଥାୟୀ ପଟ୍ଟା

BJD Bijuli 480×75 Mob
0

ସମ୍ବଲପୁର: ଆଇଆଇଏମ-ସମ୍ବଲପୁର ଜମିକୁ ନେଇ ଅନିଶ୍ଚିତତା ଜାରି ଅଛି। ଓଡ଼ିଶା ସରକାର ଗୋଶାଳା ପାଖ ବସନ୍ତପୁରରେ ଆଇଆଇଏମ ପାଇଁ ୧୮୦ ଏକର ଜମି ଦେଇଛନ୍ତି ବୋଲି ଏହି ଅନୁଷ୍ଠାନର ଆରମ୍ଭରୁ କୁହାଯାଉଛି। କିନ୍ତୁ ଅନୁଷ୍ଠାନ ପ୍ରତିଷ୍ଠା ହେବାର ୩ ବର୍ଷ ପରେ ବି ଏ ଦିଗରେ କିଛି ଅଗ୍ରଗତି ହୋଇନାହିଁ। ରାଜସ୍ୱ ବିଭାଗ ଦ୍ୱାରା ଏ ଦିଗରେ ଆନୁଷଙ୍ଗିକ ପ୍ରକ୍ର୍ରିୟା ସରିଛି ଓ ଶୀଘ୍ର ପଟ୍ଟା ପ୍ରସ୍ତୁତ ହେବ ବୋଲି କୁହା ଯାଉଥିଲା। ଏବେ ସଦ୍ୟତମ ସୂଚନା ହେଲା ଓଡ଼ିଶା ସରକାର ସଂସ୍ଥା ନାମରେ ଜମି ଦେବାକୁ ପ୍ରସ୍ତୁତ ନୁହେଁ। ଗୋଟିଏ ପଟେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ(ଏମ୍‍ଏଚ୍‍ଆରଡି) ଜମି ସମ୍ପୂର୍ଣ୍ଣ ହସ୍ତାନ୍ତରଣ ଆବଶ୍ୟକ ବୋଲି କହୁଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏହି ଜମିକୁ ଦୀର୍ଘସୂତ୍ରୀ ଲିଜ ଆକାରରେ ଦେବାକୁ ରାଜି ହେଉଛନ୍ତି। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମତଭିନ୍ନତା ପ୍ରକାଶ ପାଇଥିବା ଏକ ସୂତ୍ରରୁ ଜଣାପଡ଼ିଛିି। ଏ ସମ୍ପର୍କରେ ଆଇଆଇଏମ ନିର୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜାୟସ୍ୱାଲ କହିଛନ୍ତି ଯେ ରାଜ୍ୟ ସରକାର ଏ ପର୍ୟ୍ୟନ୍ତ ଆମକୁ ଜମି ଦେଇ ନାହାନ୍ତି। ରାଜ୍ୟ ସରକାର ଲିଜରେ ଜମି ଦେବାକୁ ଚାହୁଛନ୍ତି। ଅନ୍ୟ ସମସ୍ତ ରାଜ୍ୟରେ ଆଇଆଇଏମ ପାଇଁ ଜମି ପୂରା ହସ୍ତାନ୍ତର କରାଯାଉଛି। ଏଠାରେ କାହିଁକି ଦିଆ ଯାଉ ନାହିଁ ବୁଝି ହେଉ ନାହିଁ।
ଆଇଆଇଏମ ଜମି ପ୍ରସଙ୍ଗକୁ ନେଇ ଉତ୍ପନ୍ନ ସ୍ଥିତି ସହ ଜିଲା ପ୍ରଶାସନ ଅବଗତ ଅଛି। ଏ ସଂପର୍କରେ ମୁଖ୍ୟ ସଚିବଙ୍କୁ ଅବଗତ କରାଯାଇଛି। ରାଜ୍ୟ ସ୍ତରରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ଦେଶରେ ଯେତେ ଗୁଡ଼ିଏ ଆଇଆଇଏମ ଅଛି ସମସ୍ତେ ନିଜ ଜମିର ସତ୍ୱାଧିକାରୀ। କିନ୍ତୁ ସମ୍ବଲପୁର କ୍ଷେତ୍ରରେ ପ୍ରକ୍ରିୟା ବିଳମ୍ବିତ ହେଉଛି। ରାଜ୍ୟ ସରକାର ମାଗଣାରେ ଜମି ଦେବା ପାଇଁ ଆଇନ ଅଛି। କିନ୍ତୁ ୩ ବର୍ଷ ପରେ ବି ଜମି ଦିଆଯାଉ ନାହିଁ। ତେଣୁ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଆରମ୍ଭ ହୋଇ ପାରୁନାହିଁ। ନିଜସ୍ୱ କୋଠା ନ ଥିଲେ ଆଇଆଇଏମର ଗରିମା ହ୍ରାସ ପାଇବ ବୋଲି ପଶ୍ଚିମାଞ୍ଚଳ ପିପୁଲ୍ସ ଫୋରମର ସଦସ୍ୟ ଭକ୍ତପ୍ରସାଦ ନନ୍ଦ କହିଛନ୍ତି। ଗତ ଜୁନ ୨୨ ତାରିଖ ଓଡ଼ିଶା କ୍ୟାବିନେଟରେ ଆଇଆଇଏମ-ସମ୍ବଲପୁର ପାଇଁ ୧୮୧.୭୭ ଏକର ଜମି ମଞ୍ଜୁର କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତା ପୂର୍ବରୁ ୨୦୧୫ ସେପ୍ଟେମ୍ବର ୨୩ ତାରିଖରେ ରାଜସ୍ୱ ବିଭାଗ ପକ୍ଷରୁ ଆଇଆଇଏମକୁ ଜମି ହସ୍ତାନ୍ତର କରାଗଲା ବୋଲି ଘୋଷଣା କରା ଯାଇଥିଲା। ହେଲେ ଏବେ ୩ ବର୍ଷ ପରେ ସ୍ଥିତି ଯେଉଁଠିକୁ ସେଇଠି।

Leave A Reply