www.samajalive.in
Saturday, December 13, 2025
26.1 C
Bhubaneswar

ଘରେ ନିଆଁ ଲଗାଇ ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତ ବାପ-ପୁଅ ଜେଲ୍‍ ଗଲେ

ପିପିଲି:ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପିପିଲିର ବହୁଚର୍ଚ୍ଚିତ ଦାନୋଗହିର ଟ୍ରିପଲ ମର୍ଡର ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଇମତିଆଜ ଅଲ୍ଲୀ ଖାଁ (୬୦) ଓ ତାଙ୍କ ପୁଅ ଇଲିଆଜ ଅଲ୍ଲୀ ଖାଁ (୨୦)କୁ ଶନିବାର ସଂନ୍ଧ୍ୟାରେ କଡା ସୁରକ୍ଷା ମଧ୍ୟରେ ପିପିଲି କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭୟଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ୧୪ଦିନ ପାଇଁ ରିମାଣ୍ଡରରେ ପଠାଇ ଦିଆଯାଇଛି।

ସୂଚନା ଯୋଗ୍ୟ ଗତ ଫେବୃଆରୀ ୧୦ ତାରିଖ ବିଳମ୍ବିତ ରାତିରେ ଦାନୋଗହିର ବଜାରରେ ଥିବା ଏକ ବଖରା ବିଶିଷ୍ଟ ଆଜବେଷ୍ଟସ ଭଡା ଘରର କବାଟକୁ ଇମତିଆଜ ବାହାର ପଟୁ ତାଲାପକାଇ ଦେବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଏଥିରେ ଉକ୍ତ ଘର ମଧ୍ୟରେ ଶୋଇଥିବା ତାର ସମୁଦି ତଥା ଦାନୋଗହିର ଗ୍ରାମର ମହମ୍ମଦ ଅବୁଲ(୬୫), ତାଙ୍କ କନ୍ୟା ନଜମୁନ ପରୱିନ୍‍ ଓରଫ ନାଜୋ(୧୩) ଓ ପତ୍ନୀ ରହିମା ବିବି(୫୫) ଗୁରୁତର ଭାବେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ। ମୁଖ୍ୟ ଅଭିଯୁକ୍ତ ଇମତିଆଜ ର ପୁଅ ତଥା ମୃତ ଅବୁଲଙ୍କ ଜ୍ୱାଇଁ ଇଲିଆଜ ଏଥିରେ ବାପକୁ ସହଯୋଗ କରିଥିଲା। ପାରିବାରିକ କଳହ ଓ ମାରପିଟ୍‍କୁ କେନ୍ଦ୍ର କରି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିଲା। ପୁଲିସ ଏହି ଘଟଣାରେ ବ୍ୟବହୃତ ସ୍କୁଟି, ଦରପୋଡା ଜାରକିନ, ଅଭିଯୁକ୍ତର ପୋଷାକ, ମୋବାଇଲ ଓ ଏକ ସୁଇସାଇଡାଲ ନୋଟକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା ସଂପର୍କରେ ତଦନ୍ତକାରୀ ଅଧିକାରୀ ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଛନ୍ତି।

ବର୍ତ୍ତିଗଲେ ପୁଅ, ବଳି ପଡିଲେ ମାଆ-ଝିଅ

- Advertisement -

ଅଭିଯୁକ୍ତ ସମୁଦି ଇମତିଆଜକୁ ଗତ ଜାନୁଆରୀ ମାସରେ ଦାନୋଗହିର ଠାରେ ମୃତକଙ୍କ ପରିବାର ଲୋକେ ଅପମାନିତ କରିବା ସହ କୁଆଡେ ନିସ୍ତୁକ ମାଡ ମାରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ସମୁଦି ଅବୁଲ ଓ ତାଙ୍କର ଜଣେ ପୁଅକୁ ଜୀବନରେ ମାରିଦେବା ପାଇଁ ସେ ଯୋଜନା କରିଥିଲା। ଦାନୋଗହିର ବଜାରରେ ଥିବା ଉକ୍ତ ଘରେ ଅବୁଲ ଓ ତାଙ୍କ ପୁଅ ଶୋଇଥିବାର ଭାବି ସେ ଉକ୍ତ ଘରେ ନିଆଁ ଲଗାଇଥିଲା। ତେବେ ପୁଅ ଉକ୍ତ ଘରେ ନଥିବା ବେଳେ ଅବୁଲଙ୍କ ସମେତ ତାଙ୍କ ପତ୍ନୀ ଓ କନ୍ୟା ଏଥିରେ ମୃତ୍ୟୁବରଣ କରିଥିଲେ। ସମୁଦୁଣି ଓ ତାଙ୍କ କନ୍ୟା ଉକ୍ତ ଘରେ ଶୋଇଥିବା ସଂପର୍କରେ ଯଦି ସେ ଜାଣିଥାନ୍ତା ତେବେ ସେ ନିଆଁ ଲଗାଇନଥାନ୍ତା ବୋଲି ଅଭିଯୁକ୍ତ ଇମତିଆଜ ପୁଲିସକୁ ବୟାନ ଦେଇଛି। ସମୁଦି ଯେପରି ଉକ୍ତ ଘରୁ ବାହାରକୁ ନବାହାରି ପାରିବେ ସେଥିପାଇଁ ସେ କବାଟରେ ତାଲା ପକାଇ ଦେଇଥିବା ସଂପର୍କରେ ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଛନ୍ତି।

 ବୋହୁ ଠାରୁ ସୁଇସାଇଡାଲ ନୋଟ୍‍ ଲେଖା ଯାଇଥିଲା

ସମୁଦି ଓ ତାର ପରିବାର ଲୋକଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ନିଜର ବୋହୁକୁ ମଧ୍ୟ ମାରିବାକୁ ଅଭିଯୁକ୍ତ ଷଡଯନ୍ତ୍ର ରଚନା କରିଥିଲା। ମୃତ ଅବୁଲଙ୍କ କନ୍ୟା ତଥା ନିଜର ଏକମାତ୍ର ବୋହୁକୁ ଧମକାଇ ତାର ନିଜ ହାତରେ ଏକ ସୁଇସାଇଡାଲ ନୋଟ୍‍ ଇମତିଆଜ ଲେଖାଇ ନେଇଥିଲା। ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଥିବା ଉକ୍ତ ଚିଠିକୁ ସେ ବୋହୁକୁ ସାଇତି ରଖିବାକୁ ଧମକ ଦେଇ ନିର୍ଦ୍ଦେଶ ଦେଇଥିଲା। ଚିଠିକୁ ବୋହୁ ନିଜର ବାକ୍ସ ମଧ୍ୟରେ ରଖିଥିବା ବେଳେ ପୁଲିସ ଗତକାଲି ରାତିରେ କଟକ ଜୋବ୍ରା ସ୍ଥିତ ସେ ରହୁଥିବା ଭଡାଘରୁ ଅଭିଯୁକ୍ତର ଉପସ୍ଥିତିରେ ସୁଇସାଇଡାଲ ନୋଟ୍‍କୁ ଜବତ କରିଛି। ଏହା ସହ ଇମତିଆଜ ଦୈନିକ ଲେଖୁଥିବା ଏକ ଡାଏରୀକୁ ମଧ୍ୟ ପୁଲିସ ତାନିକଟରୁ ଜବତ କରିଛି। ସେଥିରେ ହତ୍ୟାକାଣ୍ଡ ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ସୂଚନା ମିଳିଛି। ଶନିବାର ପୂର୍ବାହ୍ନରେ ଇମତିଆଜକୁ ପୁଲିସ କଡା ସୁରକ୍ଷା ମଧ୍ୟରେ ବିଭିନ୍ନ ସ୍ଥାନକୁ ନେଇଥିବା ବେଳେ ସେ କେଉଁ କେଉଁ ସ୍ଥାନରୁ ପ୍ଲାଷ୍ଟିକ ବାଲ୍‍ଟି, ଜାରକିନ, ପେଟ୍ରୋଲ ଆଦି କିଣିଥିଲା ତାହା ପୁଲିସକୁ ବୁଲି ଦେଖାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories