BJD Bijuli 480×75 Mob

ଅଧିକ କରୋନା ସଂକ୍ରମିତ ୩ ଜିଲ୍ଲା ପାଇଁ ବରିଷ୍ଠ ଅଧିକାରୀ ନିଯୁକ୍ତ

BJD Bijuli 480×75 Mob

ସମାଜ ପୋର୍ଟାଲ ଡେସ୍କ: ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ ଗତ ୩ ଦିନ ମଧ୍ୟରେ ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ଏହି ଭୁତାଣୁରେ ପ୍ରତ୍ୟେକ ଦିନ କିଛି ଜଣ ସୁସ୍ଥ ହେଉଥିବା ଖବର ଆସ୍ୱସ୍ଥି ଦେଉଥିବା ବେଳେ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ଅଧିକ ଆଶଙ୍କା ସୃଷ୍ଟି କରୁଛି। ବିଶେଷ ଭାବରେ ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ କଲିକତି ଫେରନ୍ତାଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ରାଜ୍ୟରେ କରୋନା ସ୍ଥିତିକୁ ସଂଗୀନ କରିଛି। ସେହି ତିନୋଟି ଜିଲ୍ଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ସହ ପ୍ରଶାସନକୁ ସହଯୋଗ ଉଦ୍ଦେଶ୍ୟରେ ରାଜ୍ୟ ସରକାର ୩ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି।

ଅବକାରୀ ବିଭାଗ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ରାଜ୍ୟପାଳଙ୍କ ସଚିବ ଡକ୍ଟର ପ୍ରମୋଦ କୁମାର ମେହେର୍ଦାଙ୍କୁ ଯାଜପୁର ଓ କୃଷି ବିଭାଗ ସ୍ୱତନ୍ତ୍ର ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ବାଲେଶ୍ୱର ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମାରେ ସମ୍ପୃକ୍ତ ଅଧିକାରୀଙ୍କୁ ଜିଲ୍ଲା ପରିଦର୍ଶନ ସହ ପରିସ୍ଥିତି ନିରୀକ୍ଷଣ କରିବାକୁ କୁହାଯାଇଛି। ତେବେ ଜିଲ୍ଲା ପରିଦର୍ଶନ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବଙ୍କ ଠାରୁ କରୋନା ସଂକ୍ରମିତ ତଥା ଅନ୍ୟାନ୍ୟ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଅବଗତ ହେବାକୁ କୁହାଯାଇଛି। ଅନ୍ୟ ପକ୍ଷରେ କଣ୍ଟାକ୍ଟ ଟ୍ରେସିଙ୍ଗ, କଣ୍ଟେନମେଣ୍ଟ ଅଂଚଳ ଧାର୍ଯ୍ୟ କରିବା ଓ ନମୁନା ପରୀକ୍ଷଣ ସମ୍ପର୍କରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଓ ସାମାଜିକ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ଠାରୁ ମଧ୍ୟ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଯୋଗ୍ୟ ଯେ ଇତି ମଧ୍ୟରେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୮୩ରେ ଥିବାବେଳେ ୩୨ ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ଏଥିରେ ମୃତ୍ୟୁ ଘଟିଛି । ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୮୦ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି। ଭଦ୍ରକ ଜିଲ୍ଲାରେ ୯ ଜଣ, ବାଲେଶ୍ୱର ଜିଲ୍ଲାରେ ୭ ଜଣ ଓ ଯାଜପୁର ଜିଲ୍ଲାରେ ୭ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସଂକ୍ରମିତଙ୍କ ତାଲିକାରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୪୬ ଜଣଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ୨୪ ଜଣ ଚିକିତ୍ସିତ ହେଉଛନ୍ତି ଓ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଭଦ୍ରକର ୧୧, ବାଲେଶ୍ୱରର ୮, ଯାଜପୁରର ୭, ସୁନ୍ଦରଗଡ଼ର ୩, କେନ୍ଦ୍ରାପଡାର ୨, କଳାହାଣ୍ଡିର ୨, ଢେଙ୍କାନାଳ, କଟକ ଓ ପୁରୀରେ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୧, ଭଦ୍ରକରୁ ୨, ଯାଜପୁରରୁ ୧, ସୁନ୍ଦରଗଡ଼ରୁ ୨, କେନ୍ଦ୍ରାପଡାରୁ ୧, କଳାହାଣ୍ଡିରୁ ୨ ଢେଙ୍କାନାଳ, କଟକ ଓ ପୁରୀରୁ ଜଣେ ଲେଖାଏଁ ଅଛନ୍ତି।

Comments are closed.