ବଲାଙ୍ଗୀର: ଶ୍ରୀକ୍ଷେତ୍ରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାତ୍ରା କରୁଥିବାବେଳେ ତାହା ପାଲଟିଲା ଶେଷ ଯାତ୍ରା। ବାଟରେ ଦୁର୍ଘଟଣା ଘଟିବାରୁ ଚାଲିଗଲା ୩ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲାର ସାତମାଇଲ ଛକରେ। ରାସ୍ତାପାର୍ଶ୍ଵରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଗୋଟିଏ ବୋଲେରୋ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ଜଣେ ସୋନପୁରର ତରଭା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକୋ କରିଛନ୍ତି।
ସୂଚନା ଅନୁସାରେ, ପାଟଣାଗଡ଼ର ଲରମ୍ଭା ଥାନା ଅନ୍ତର୍ଗତ ଘୁମେର ଓ ଗେଡି ଗାଁର ୧୩ ଜଣ ଏକ ବୋଲେରୋ(ଓଆର ୦୩ ଜି ୪୯୪୯)ରେ ପୁରୀ ଯାଉଥିଲେ। ଶନିବାର ରାତି ୩ ଟାରେ ସେମାନେ ଗାଁରୁ ବାହାରିଥିଲେ। ରବିବାର ଭୋର ପ୍ରାୟ ସାଢ଼େ ୪ ଟାରେ ବୋଲେରୋଟି ୫୭ ନମ୍ବର ଜାତୀୟ ରାଜପଥର ସାତମାଏଲ ଛକ ନିକଟ ଏକ କୁକୁଡ଼ା ଫାର୍ମ ସମ୍ମୁଖ ରାସ୍ତାପାର୍ଶ୍ଵରେ ପୂର୍ବରୁ ଛିଡ଼ା ହୋଇଥିବା ଏକ ଟ୍ରକ(ସିଜି ୦୪ ଜେସି ୯୩୯୧) ପଛକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ବୋଲେରୋଟର ସାମ୍ନା ଏବଂ ଉପର ଭାଗ ଚୂରମାର୍ ହୋଇଯାଇଥିଲା। ଘଟଣାସ୍ଥଳରେ ଘୁମେର ଗାଁର ତେଜରାଜ ବାରିକ, ଶକୁନ୍ତଳା ସାହୁଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୮ ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରି ବଲାଙ୍ଗୀର ମେଡିକାଲ ଏବଂ ତରଭା ହସ୍ପିଟାଲରେ ଭର୍ତ୍ତି କରିଥିଲା। ତରଭା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨ ଆହତଙ୍କ ମଧ୍ୟରୁ ଘୁମେର ଗାଁର ପବିତ୍ର ସାହୁଙ୍କର ମୃତ୍ୟୁ ହୋଇଛି। ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକୋ କରିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି। ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରୁଥିବା ସୂଚନା ମିଳିଛି।



