www.samajalive.in
Wednesday, December 10, 2025
26.1 C
Bhubaneswar

ନୌବାହିନୀର ୨୬ ସଂକ୍ରମିତ

ମୁମ୍ବଇ: ଭାରତୀୟ ନୌବାହିନୀରେ ପ୍ରବେଶ କରିଛି କରୋନା। ମୁମ୍ବଇଠାରେ ଡେରା ପକାଇଥିବା ଜାହାଜ ‘ଆଇଏନ୍‌ଏସ୍‌ ଆଙ୍ଗ୍ରେ’ରେ ୨୬ କର୍ମଚାରୀ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ନାବିକ ଅଛନ୍ତି। ଏପ୍ରିଲ ୭ରେ ଜଣେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଅନ୍ୟମାନେ ତାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ବଇ ନୌବାହିନୀ କାର୍ୟ୍ୟାଳୟର ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ସହ ସଂକ୍ରମିତଙ୍କୁ କୋଲାବାସ୍ଥିତ ନୌସେନା ହସ୍ପିଟାଲ ‘ଆଇଏନ୍‌ଏଚ୍‌ଏସ୍‌ ଅଶ୍ବିନୀ’ରେ ଭର୍ତ୍ତି କରାଯାଇଛି। ‘ୱେଷ୍ଟର୍ଣ୍ଣ ନେଭାଲ୍ କମାଣ୍ଡ୍‌’ର ବିଭିନ୍ନ ଅଭିଯାନ ନିମନ୍ତେ ସମୁଦ୍ରକୂଳରେ ଥିବା ଏହି ଜାହାଜ ଗୋଦାମ ଭାବେ କାର୍ୟ୍ୟ କରେ ଓ ପ୍ରଶାସନିକ ଦାୟିତ୍ବ ତୁଲାଏ। ଏହା ପ୍ରାୟତଃ ଉପକୂଳରେ କାରବାର କରିଥାଏ। ଜାହାଜର ଆବାସିକ ବିଭାଗରେ ଥିବା କର୍ମଚାରୀମାନେ ସଂକ୍ରମିତ ହୋଇଛନ୍ତି। ନୌବାହିନୀର ଅନ୍ୟ କୌଣସି ଜାହାଜ କିମ୍ବା କାର୍ୟ୍ୟାଳୟକୁ ସଂକ୍ରମଣ ବ୍ୟାପି ନ ଥିବା ପଶ୍ଚିମ କମାଣ୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏହି ପରିପ୍ରେକ୍ଷୀରେ ନୌସେନା ମୁଖ୍ୟ ରବିବାର ନିଜ ବାହିନୀର ସମସ୍ତଙ୍କୁ ସମ୍ବୋଧନ କରିବେ ବୋଲି ସୂଚନା ଦିଆଯାଇଛି। ତାଲାବନ୍ଦ ସମୟରେ ଏହି କର୍ମଚାରୀମାନେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଡ଼ କରିବା ପାଇଁ ଆଖପାଖ ଅଞ୍ଚଳରେ ବୁଲାବୁଲି କରିବା କିମ୍ବା ସହର ମଧ୍ୟକୁ ଯାଇ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଏହି କର୍ମଚାରୀମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରି ବାହାର କରିବାକୁ ବ୍ୟାପକ ଉଦ୍ୟମ ଆରମ୍ଭ ହୋଇଛି। ମାର୍ଚ୍ଚରେ ମୁମ୍ବଇସ୍ଥିତ ନୌସେନା କମାଣ୍ଡରେ ୬ ଯବାନ ସଂକ୍ରମିତ ହୋଇଥିବା ଖବର ପ୍ରକାଶ ପାଇଥିଲା। ପରେ ସେମାନେ ସୁସ୍ଥ ହୋଇଥିବା ଜଣାପଡ଼ିଥିଲା। ଅପରପକ୍ଷରେ ଭାରତୀୟ ସେନାରେ ଅଦ୍ୟାବଧି ମୋଟ ୮ ଜଣ ବିଭିନ୍ନ ସ୍ଥାନରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଆମେରିକା ଓ ଫ୍ରାନ୍ସ ନୌବାହିନୀର ଶତାଧିକ କର୍ମଚାରୀ ସମ୍ପ୍ରତି କାରୋନା ସଂକ୍ରମିତ ହୋଇଛନ୍ତି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories