କଟକ : କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ପ୍ରସୂତିଙ୍କ ଯମଜ ଶିଶୁକନ୍ୟା ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ପ୍ରଘଟ ହେବା ପରେ ମେଡିକାଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଖବରପାଇ ଚାଇଲ୍ଡ ଲାଇନର ଏକ ଦଳ ମହିଳାଙ୍କ ଗ୍ରାମରେ ପହଞ୍ଚି ଅନୁଧ୍ୟାନ କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ମହିଳାଙ୍କ ମାନସିକ ବିକୃତି ରହିଥିବାବେଳେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହାୟତାରେ ଏହି ଦୁଇଶିଶୁ କନ୍ୟାଙ୍କୁ ଯୋଜନାବଦ୍ଧଭାବେ ନିଖୋଜ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଚାଇଲ୍ଡ ଲାଇନର ଜଣେ ଅଧିକାରୀ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନିଆଳି କଳଖା ଅଞ୍ଚଳର ଜନୈକା ମହିଳାଙ୍କ ପ୍ରସବ ବେଦନା ହେବାରୁ ଫେବୃଆରୀ ୨୭ତାରିଖରେ ଜଣେ ସମ୍ପର୍କୀୟ ତାଙ୍କୁ ଏସସିବିରେ ଭର୍ତ୍ତି କରିଥିଲେ। ମହିଳାଙ୍କର ମାନସିକ ବିକୃତି ରହିଥିଲା। ମେଡିକାଲରେ ଭର୍ତ୍ତି ହେବା ପରେ ମାର୍ଚ୍ଚ ୧ତାରିଖରେ ଅସ୍ତ୍ରୋପଚାର ଦ୍ୱାରା ସେ ଯମଜ କନ୍ୟା ଜନ୍ମ ଦେଇଥିଲେ। ସମ୍ପର୍କୀୟ ଜଣକ ମହିଳାଙ୍କୁ ଦୁଇଟି କନ୍ୟା ସନ୍ତାନ ହୋଇଥିବା ନ କହି ଜନ୍ମ ପରେ ପିଲାଟି ମରିଯାଇଛି ବୋଲି କହିଥିଲେ। ୨ ତାରିଖରେ ସମ୍ପର୍କୀୟଜଣକ ତାଙ୍କୁ ମେଡିକାଲରୁ ଡିସ୍ଚାର୍ଜ କରି ଗ୍ରାମକୁ ନେଇଯାଇଥିଲେ। ୧ତାରିଖରେ ସମ୍ପର୍କୀୟ ଏହି ଦୁଇ ଶିଶୁକନ୍ୟାଙ୍କୁ ଦେଇଦେବା ସମ୍ପର୍କରେ ଜଣେ ସେବିକାଙ୍କ ସହିତ କଥାବାର୍ତ୍ତା କରିଥିଲେ। ସେବିକା ଗୋଟିଏ ଶିଶୁକନ୍ୟାକୁ ନେବାକୁ ରାଜି ହୋଇଥିଲେ। ମାଛୁଆବଜାର ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଏକ ଶିଶୁକନ୍ୟା ନେବା ପାଇଁ ସମ୍ପୃକ୍ତ ସେବିକା ଠିକ୍ କରିଦେଇଥିଲେ। ଗ୍ରାମରେ ପହଞ୍ଚି ପରିବାର ଲୋକଙ୍କୁ ଜନ୍ମ ହୋଇଥିବା ଶିଶୁ କନ୍ୟା ମରିଯାଇଥିବା ସମ୍ପର୍କୀୟ ଜଣକ କହିଥିଲେ।
ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଚାଇଲ୍ଡ ଲାଇନର ନାରାୟଣ ଶୁକ୍ଳା ମହିଳାଙ୍କ ଗ୍ରାମରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ପ୍ରାଥମିକ ତଦନ୍ତରୁ ମହିଳାଙ୍କ ଦୁଇ ଶିଶୁକନ୍ୟାଙ୍କୁ ବିକ୍ରି କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଘଟଣାକୁ ଲୁଚାଇବା ପାଇଁ ମହିଳାଙ୍କ ସମ୍ପର୍କୀୟ ଘଟଣା ସମ୍ପର୍କରେ ସଠିକ୍ କଥା କହୁନାହାନ୍ତି। ଆବଶ୍ୟକ ହେଲେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଦୁଇ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି। ତେବେ ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲେ ଘଟଣାର ତଦନ୍ତ କରାଯିବ ବୋଲି ଏସ୍ସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା କହିଛନ୍ତି।
ଏସ୍ସିବିରୁ ଦୁଇ ଶିଶୁକନ୍ୟା ନିଖୋଜ !
Popular Categories



