+୨ ପରୀକ୍ଷା ଆରମ୍ଭ, କପି କରି ଧରା ପଡିଲେ ୨୯

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିିିତ +୨ ଥିଓରୀ ପରୀକ୍ଷା ଆରମ୍ଭ ହୋଇଛି। ରାଜ୍ୟରେ କରୋନା ସଂକ୍ରମଣ କମିବା ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ବସି ପରୀକ୍ଷା ଦେଇଛନ୍ତି। ରାଜ୍ୟର ୧୧୩୩ ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିନ ପରୀକ୍ଷା ଦେଇଛନ୍ତି ୨ ଲକ୍ଷରୁ ଊର୍ଦ୍ଧ୍ବ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ। ଅପରପକ୍ଷେ କପି କରି ପ୍ରଥମ ଦିନ ଧରାପଡ଼ିଛନ୍ତି ୨୯ ଛାତ୍ରଛାତ୍ରୀ। କପି ରୋକିବାକୁ କେନ୍ଦ୍ରୀୟ ଜୋ‌ନ୍‌ ସ୍କ୍ବାଡ୍‌ର ୫୮ ସଦସ୍ୟଙ୍କ ସମେତ ସମ୍ବଲପୁର ଜୋନାଲ୍‌ ସ୍କ୍ବାଡ୍‌ର ୩୫, ବାରିପଦା ଓ ବ୍ରହ୍ମପୁର ଜୋନାଲ୍‌ ସ୍କ୍ବାଡ୍‌ରେ ୩୦ ସଦସ୍ୟ ବିଭିନ୍ନ ପରୀକ୍ଷା‌ କେନ୍ଦ୍ର ଗସ୍ତ କରିଥିଲେ। ସମ୍ବଲପୁର ଜୋନ୍‌ରେ ୧୧ ଜଣ କପି କରି ଧରା ପଡ଼ିଥିବାବେଳେ ବାରିପଦାରେ ୧୦ ଜଣ ଧରା ପଡ଼ିଛନ୍ତି। ବ୍ରହ୍ମପୁର ଜୋନ୍‌ରେ କେହି ଧରା ପଡ଼ି ନ ଥିବାବେଳେ କେନ୍ଦ୍ରୀୟ ଜୋନ୍‌ ସଦସ୍ୟ କପି କରୁଥିବାବେଳେ ୮ ଛାତ୍ରଛାତ୍ରୀଙ୍କୁ ଧରିଥିଲେ।

ରାଜ୍ୟରେ ପ୍ରଥମ ଦିନରେ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଓ ବାଣିଜ୍ୟରେ ୨୪ ହଜାର ୧୩୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପ୍ରଥମ ଦିନ ବାଣିଜ୍ୟ ଓ କଳା ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ମାତୃଭାଷା(ଏମ୍‌ଆଇଏଲ) ଓଡ଼ିଆ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହୋଇଥିଲା। ପ୍ରବେଶ ସମୟରେ ଶିକ୍ଷାନୁଷ୍ଠାନରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। ଏ ବର୍ଷ +୨ ପରୀକ୍ଷା ପାଇଁ ୧ ୧୩୩ ଟି ପରୀକ୍ଷାକେନ୍ଦ୍ର ଏବଂ ୨୦୨ ଟି ପରୀକ୍ଷା ପରିଚାଳନା ହବ୍ (ନୋଡାଲ୍‌ ସେଣ୍ଟର) କରାଯାଇଛି। କେତେକ ଶିକ୍ଷାନୁଷ୍ଠାନରେ ପୁରାତନ ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷ ବିଦ୍ୟାର୍ଥୀଙ୍କୁ ସ୍ବାଗତ କରିଥିବା ଦେଖିବାକୁ ମିଳିଥିଲା। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ସତ୍ୟରଞ୍ଜନ ସାହୁଙ୍କ ସମେତ ଉପାଧ୍ୟକ୍ଷ ରାଜଧାନୀର ବିଭିନ୍ନ ପରୀକ୍ଷା କେନ୍ଦ୍ର ଗସ୍ତ କରି ସ୍ଥିତି ପରଖିଥିଲେ।

ସୂଚନାଯୋଗ୍ୟ ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେଉଛନ୍ତି।

Comments are closed.