ଆରମ୍ଭ ହେଲା +୨ ନାମଲେଖା, ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ
ଆଠଗଡ : ମାଟ୍ରିକ ପରୀକ୍ଷା ଫଳାଫଳ ବାହାରିବା ପରେ ଏବେ ବିଭିନ୍ନ କନିଷ୍ଠ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ରେ ନାମଲେଖା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳ ଭଲ ହୋଇଥିବା ଏବଂ ବହୁ ସଂଖ୍ୟାରେ ପିଲା କୃତକାର୍ଯ୍ୟ ହୋଇଥିବାରୁ ବିଭିନ୍ନ କଲେଜ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସମସ୍ତଙ୍କୁ ସିଟ୍ ମିଳିବା କଷ୍ଟକର ହେବାର ଆଶଙ୍କା ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ନାମ ଲେଖାଇବାକୁ ସୁଯୋଗ ପାଇଥିବା ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଆଠଗଡ ସହରର ଗୋପବନ୍ଧୁ କନିଷ୍ଠ ବିଜ୍ଞାନ କଲେଜରେ କଳାରେ ୨୫୬, ବିଜ୍ଞାନରେ ୨୨୪ ଏବଂ ବାଣିଜ୍ୟରେ ୬୪ଟି ସିଟ୍ ରହିଥିବାବେଳେ ଗୋପବନ୍ଧୁ ମହିଳା କନିଷ୍ଠ କଲେଜରେ କଳାରେ ୨୩୨ଟି ସିଟ୍ ରହିଛି। ଗୋପବନ୍ଧୁ ବିଜ୍ଞାନ କନିଷ୍ଠ କଲେଜରେ କଳାରେ ପ୍ରଥମ ଚୟନରେ କଟଅଫ୍ ୬୬.୫୦%, ବିଜ୍ଞାନରେ ୭୦.୫୦% ଏବଂ ବାଣିଜ୍ୟରେ ୫୩.୫୦% କଟ୍ ଅଫ୍ ନମ୍ବର ରହିଛି । ସେହିପରି ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ କଲେଜ)ର କଳାରେ କଟ୍ଅଫ ନମ୍ବର ୬୪.୮୩% ରହିଥିବା ଜଣାପଡିଛି । ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ପ୍ରଥମ ଚୟନ ପ୍ରକ୍ରିୟାରେ ନାମଲେଖା ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ ଗୋପବନ୍ଧୁ ବିଜ୍ଞାନ କନିଷ୍ଠ କଲେଜରେ ବିଜ୍ଞାନରେ ୫୨, କଳାରେ ୪୯ ଓ ବାଣିଜ୍ୟରେ ୪ଜଣ ନାମ ଲେଖାଇଥିବା କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ପ୍ରକାଶ କରିଛନ୍ତି। ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୬୨ଜଣ ନାମ ଲେଖାଇଥିବା କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ସୁତ୍ରରୁ ପ୍ରକାଶ।
Comments are closed.