କଲକାତା: ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଠାରେ ୨୪୬୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୨୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ରାଜ୍ୟର ରାଜଧାନୀ କଲକାତା ଏହା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି। ଅନ୍ୟ ଅଞ୍ଚଳ ତୁଳନାରେ କଲାକାତାରେ ସଂକ୍ରମିତଙ୍କ ସଂଖ୍ୟା ବେଶୀ ହୋଇଥିବାବେଳେ ବିଭିନ୍ନ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ପ୍ରାୟ ୧୮୫ ନର୍ସ ଚାକିରି ଛାଡ଼ିଛନ୍ତି। ସେମାନେ ଚାକିରି ଛାଡ଼ି ନିଜ ରାଜ୍ୟ ମଣିପୁର ଫେରିଯାଇଛନ୍ତି।
ଏକ ଘରୋଇ ହସ୍ପିଟାଲର ବରିଷ୍ଠ ଅଧିକାରୀ କୁହନ୍ତି, ପୂର୍ବରୁ ନର୍ସମାନଙ୍କ ଅଭାବ ରହିଥିଲା। ଏବେ କୋଭିଡ-୧୯ ମହାମାରୀ ସମୟରେ ନର୍ସମାନେ ଚାକିରି ଛାଡ଼ିବା ଯୋଗୁ ସମସ୍ୟା ଆହୁରି ବୃଦ୍ଧି ପାଇବ। ତାଙ୍କ ହସ୍ପିଟାଲରୁ ବି ୯ ଜଣ ନର୍ସ ଚାକିରି ଛାଡ଼ିଥିବା ଅଧିକାରୀ ଜଣକ କହିଛନ୍ତି।
ଚାକିରି ଛାଡ଼ିଥିବା ଜଣେ ନର୍ସ କୁହନ୍ତି, ଆମ ଅଭିଭାବକମାନେ ଚିନ୍ତିତ ଅଛନ୍ତି। ଏଠାରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଆମ ରାଜ୍ୟ ମଣିପୁର ଏବଂ ସବୁଜ ଅଞ୍ଚଳ ଏବଂ ଆମେ ଘରକୁ ଫେରିବାକୁ ଚାହୁଁଛୁ। ଅନ୍ୟ ଜଣେ ନର୍ସ କୁହନ୍ତି, ଆମେ ଯଦି ନିଜ ଜୀବନ ରକ୍ଷା କରିପାରିବୁ ତେବେ ଆଗକୁ ଚାକିରି କରିପାରିବୁ। ତେବେ ବିପତ୍ତି ସମୟରେ ନର୍ସମାନେ ଏପରି ଚାକିରି ଛାଡ଼ିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି।



