ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବେ ୧୬ ଦଳ
ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇଯାଇଛନ୍ତି। କଂଗ୍ରେସ ସମେତ ୧୬ଟି ରାଜନୈତିକ ଦଳ ମିଶି ବଜେଟ ଅଧିବେଶନର ପ୍ରଥମ ଦିନ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ୧୬ଟି ଦଳ ପକ୍ଷରୁ ଗୁରୁବାର ଏହି ସୂଚନା ଦେଇଛନ୍ତି।
ଗୁଲାମ ନବୀ ଆଜାଦ କହିଛନ୍ତି, ଜାନୁୟାରୀ ୨୯ରୁ ସଂସଦରେ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣକୁ ବର୍ଜନ କରିବା ଲାଗି କଂଗ୍ରେସ ସମେତ ୧୬ ଦଳ ନିଷ୍ପତ୍ତି ନେଇଛନ୍ତି। କୃଷି ଆଇନ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଛି।
ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ କହିଛନ୍ତି, ଆମେ ୩ଟି ଯାକ କୃଷି ଆଇନକୁ ବିରୋଧ କରିଆସୁଛୁ ଏବଂ କରିବୁ ମଧ୍ୟ। ଏଥିପାଇଁ ଆମ ଆଦମୀ ପାର୍ଟି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବ। ଆମର ଲୋକସଭା ସଦସ୍ୟ ଭଗବନ୍ତ ମାନ ଏବଂ ରାଜ୍ୟସଭାର ୩ ସଦସ୍ୟ ଅଭିଭାଷଣ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ।
ଅଭିଭାଷଣ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ଦଳଗୁଡ଼ିକ ମଧ୍ୟରେ କଂଗ୍ରେସ, ଏନସିପି, ଏନସି, ଡିଏମକେ, ଟିଏମସି, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ(ଏମ), ଆଇଜେଏମଏଲ, ଆରସିପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ, ଏଆଇୟୁଡିଏଫ ଏବଂ ଆମ୍ ଆଦମୀ ପାର୍ଟି।
Comments are closed.