ନୂଆଦିଲ୍ଲୀ : ଦେଶ ବ୍ୟାପୀ ଚାଲିଥିବା କରୋନା ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି । ବିଭିନ୍ନ ବର୍ଗ ଓ ବୟସର ଲୋକ ଟିକାନେବା ପାଇଁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ଅନ୍ୟପକ୍ଷରେ ଦେଶରେ ସାମଗ୍ରିକ ଟିକାକରଣ ୧୫୫ କୋଟି ୨୧ଲକ୍ଷ ୯୮ ହଜାର ଅତିକ୍ରମ କରିଛି ।
ଗତ ତିନି ତାରିଖରୁ ୧୫ରୁ ୧୮ବର୍ଷ ବୟସର ପିଲାମାନଙ୍କୁ ଟିକା ଦିଆଯାଉଛି । ଏପର୍ଯ୍ୟନ୍ତ ୩ କୋଟିରୁ ଅଧିକ ପିଲାଙ୍କୁ ଟିକା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି ଟିକା ନେବାକୁ ପିଲାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଏହି ବର୍ଗର ସବୁ ପିଲାମାନେ ଆସି ଟିକା ନେବାକୁ ସେ ଅନୁରୋଧ କରିଛନ୍ତି ।
ସେହିପରି ଗତ ୧୦ ତାରିଖ ଠାରୁ ସ୍ୱାସ୍ଥ୍ୟସେବା କର୍ମଚାରୀ, ଆଗଧାଡ଼ିର କରୋନା ଯୋଦ୍ଧା ଏବଂ ଏକାଧିକ ରୋଗରେ ପୀଡିତ ୬୦ ବର୍ଷରୁ ଅଧିକ ବୟସର ନାଗରିକମାନଙ୍କୁ ବୁଷ୍ଟର ଡୋଜ ଟିକାଦାନ କରାଯାଉଛି। ଦେଶରେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୩୨ ଲକ୍ଷ ୪ ହଜାର ୫୧ ଜଣଙ୍କୁ ବୁଷ୍ଟର ଡୋଜ ଟିକା ଦିଆଯାଇଛି।
ରାଜ୍ୟରେ ଏପର୍ଯ୍ୟନ୍ତ ୫ କୋଟି ୩୭ ଲକ୍ଷ ୮ ହଜାରୁ ଅଧିକ ପାନ ଟିକା ଦିଆଯାଇଛି । ସେଥିମଧ୍ୟରୁ ୩ କୋଟି ୯ ଲକ୍ଷରୁ ଅଧିକ ପ୍ରଥମ ପାନ ଟିକା ନେଇ ଥିବାବେଳେ ୨ କୋଟି ୨୬ ଲକ୍ଷ ୨୩ ହଜାରରୁ ଅଧିକ ଦ୍ୱିତୀୟ ପାନ ଟିକା ନେଇଛନ୍ତି । ସେହିଭଳି ୧୫ରୁ ୧୮ ବର୍ଷ ବୟସ ବର୍ଗରେ ୧ ଲକ୍ଷ ୬୬ ହଜାର ୮୦୩ ଜଣ ଟିକା ନେଇଛନ୍ତି ।



