ଶ୍ରୀନଗର : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ସେନାବାହିନୀ ଜାମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଗତ ୨୧ ଦିନରେ ମୋଟ୍ ୧୮ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି । ଭିନ୍ନ ଭିନ୍ନ ସ୍ଥାନରେ ସେନାବାହିନୀ ସହିତ ଗୁଳିବିନିମୟରେ ଏହି ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ଏହି ୧୮ ଆତଙ୍କବାଦୀଙ୍କ ମଧ୍ୟରୁ ୧୪ ଜଣ ଜୈସ ଆତଙ୍କବାଦୀ ଏବଂ ୮ ପାକିସ୍ତାନୀ ନାଗରିକ ବୋଲି ଜଣାପଡିଛି।
ଜାମ୍ମୁ-କାଶ୍ମୀର ପୁଲିସ ଓ ସିଆରପିଏଫର ଅଧିକାରୀ ସହିତ ସୋମବାର ଶ୍ରୀନଗରରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ସେନାର ୧୫ତମ କୋରର ଜିଓସି କେଜେଏସ ଲେଫ୍ଟନାଣ୍ଟ ଜେନେରାଲ ଧିଲ୍ଲନ ଏହା କହିଛନ୍ତି । ଏହି ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରି ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିଲେ ବୋଲି ସେ କହିଛନ୍ତି ।
ଗତ କିଛି ଦିନ ହେବ ଆତଙ୍କବାଦୀଙ୍କ ବିରୋଧରେ ବଡ଼ ଅପରେସନ ଜାରି ରହିଛି ବୋଲି ଜିଓସି ଶ୍ରୀ ଧିଲ୍ଲନ କହିଛନ୍ତି । ସମସ୍ତ ସୁରକ୍ଷାବାହିନୀ ସଫଳତାର ସହିତ ମିଶନକୁ ସଫଳ କରାଇଛନ୍ତି । ତେବେ ଜାମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନାବାହିନୀର ଏହି ଅଭିଯାନ କ୍ରମାଗତ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଉରୀ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ର ବିରତୀ ଉଲଙ୍ଘନ କରାଯାଇ ଗୁଳିଗୋଳା ମାଡରେ ୫ଜଣ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ଦିଆଯାଇଛି।



