ଫୁଲବାଣୀ: କନ୍ଧମାଳ ଜିଲା ନିଶା ବିନାଶ କମିଟିର ଅଧ୍ୟକ୍ଷ କନ୍ଧମାଳ ଏସ୍.ପି ହରିଶ୍ ବି.ସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକର ନିଷ୍ପତ୍ତିକ୍ରମେ ବିଭିନ୍ନ ଅଞ୍ଚଳରୁ ଜବତ ହୋଇଥିବା ଗଞ୍ଜେଇକୁ ଗୁରୁବାର ପୋଡ଼ି ଦିଆଯାଇଛି। ଖଜୁରିପଡା, ଗୋଛାପଡ଼ା ଏବଂ ଫିରିଙ୍ଗିଆ ଥାନା ଅନ୍ତର୍ଗତ ୨୦ଟି ମାମଲାରେ ପୂର୍ବରୁ ଜବତ ହୋଇଥିବା ପ୍ରାୟ ୧୨୬୫ କେଜି ଗଞ୍ଜେଇକୁ ଗଞ୍ଜାମ ଜିଲ୍ଲା ଶେରଗଡ଼ଠାରେ ସରକାରୀ ନୀତି ଓ ନିୟମ ପ୍ରକାରେ ପୋଡ଼ି ନଷ୍ଟ କରିଦିଆଯାଇଛି।
ଏହି ଅବସରରେ ଜିଲା ନିଶା ବିନାଶ କମିଟିର ସଭ୍ୟ ତଥା ପୁଲିସ ଅଧିକାରୀ ମାନସ ରଂଜନ ବାରିକ, ଅବକାରୀ ବିଭାଗ ପକ୍ଷରୁ ଇନ୍ସପେକ୍ଟର ବିନୋଦ ବିସ୍କେ, ମାଜିଷ୍ଟ୍ରେଟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଯେଉଁସବୁ ମାମଲାର ଜବତ ଗଂଜେଇ ପୋଡ଼ି ଦିଆଯାଇଛି ସେହିସବୁ ମାମଲା ବର୍ତ୍ତମାନ ବିଚାରାଧୀନ ଥିବାବେଳେ ଜବତ ଗଞ୍ଜେଇର ଆବଶ୍ୟକତା ନ ଥିବାରୁ ଉକ୍ତ କମିଟି ତାହାକୁ ପୋଡ଼ିବା ପାଇଁ ନିଷ୍ପତ୍ତି ନେଇଥାଏ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ କେଜି ଜବତ ଗଂଜେଇ ପୋଡ଼ା ଯାଇଥିବା ବେଳେ ଆଗାମୀ ଦିନରେ ଆହୁରି ଜବତ ଗଂଜେଇ ପୋଡ଼ି ନଷ୍ଟ କରାଯିବ ବୋଲି ଜିଲା ନିଶା ବିନାଶ କମିଟିର ସଭ୍ୟ ମାନସ ରଂଜନ ବାରିକ ପ୍ରକାଶ କରିଛନ୍ତି।



