ପରୀକ୍ଷା କେନ୍ଦ୍ରରେ ଝଗଡ଼ାରୁ ୧୦ମ ଛାତ୍ରଙ୍କୁ ଗୁଳିକରି ହତ୍ୟା

ସମାଜ ଡିଜିଟାଲ ଡେସ୍କ: ପରୀକ୍ଷା କେନ୍ଦ୍ରରେ ଝଗଡ଼ା ହେବାରୁ ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଛି। ବିହାରର ସାସାରାମ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣା ପ୍ରତିବାଦରେ ଶୁକ୍ରବାର ମୃତ ଛାତ୍ରଙ୍କ ପରିବାର ଲୋକେ ମୃତଦେହକୁ ଜାତୀୟ ରାଜପଥରେ ରଖି ଅବରୋଧ କରିଥିଲେ। ପୁଲି ପହଞ୍ଚି ବୁଝାଶୁଝା କରିଥିଲା। ମୃତ ଛାତ୍ରଙ୍କ ନାଁ ଅମିତ କୁମାର। ତାଙ୍କର ଜଣେ ସହପାଠୀ ମଧ୍ୟରେ ଗୁଳିମାଡ଼ରେ ଆହତ ହୋଇଛି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଛାତ୍ରକୁ ଗିରଫ କରିଛି।
ସୂଚନା ଅନୁସାରେ, ସାସାରାମ ଅଞ୍ଚଳର ଏକ ପରୀକ୍ଷା କେନ୍ଦ୍ରରେ ଗୁରୁବାର ଦିନ କୌଣସି କାରଣକୁ ନେଇ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଅମିତ ଏବଂ ତାଙ୍କର ଅନ୍ୟ ଜଣେ ସହପାଠୀ ଅଟୋରେ ଘରକୁ ଫେରୁଥିଲେ। ବାଟରେ ଅଭିଯୁକ୍ତ ଛାତ୍ର ଜଣକ ଅମିତଙ୍କୁ ଅଟକାଇଥିଲେ। ପରେ ଅମିତ ଓ ତାଙ୍କ ସହପାଠୀଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଉଭୟଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ଅମିତଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି।
Comments are closed.