ସାଂସଦ ପଦରୁ ଇସ୍ତଫା ଦେଲେ ବିଜେପିର ୧୦ ନିର୍ବାଚିତ ବିଧାୟକ

ଡେସ୍କ: ସଦ୍ୟତମ ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୧୦ ଜଣ ସାଂସଦ ଇସ୍ତଫା ଦେଇଛନ୍ତି। ସେହି ସାଂସଦ ମାନେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ସାଂସଦ ବିଜେପି ଦଳର ଅଟନ୍ତି। ଇସ୍ତଫା ଦେଇଥିବା ସାଂସଦଙ୍କ ମଧ୍ୟରେ ବାବା ବାଳକନାଥ ଓ ପ୍ରହ୍ଲାଦ ସିଂ ପଟେଲ ଅଛନ୍ତି।

ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି ସାଂସଦ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ତାଙ୍କୁ ସାଂସଦ ପଦରୁ ଇସ୍ତଫା ଦେବାକୁ ପଡିବ।

ରିପୋର୍ଟ ଅନୁଯାୟୀ, ବିଜେପିର ୧୦ ଜଣ ଲୋକସଭା ସାଂସଦ ଇସ୍ତଫା ଦେଇସାରିଛନ୍ତି। ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ, ଲୋକସଭା ସାଂସଦ ରାକେଶ ସିଂ, ଉଦୟ ପ୍ରତାପ ଏବଂ ରୀତି ପାଠକ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଜିତିବା ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।

ସେହିପରି ଛତିଶଗଡ଼ ବିଧାନସଭା ନିର୍ବାଚନରେ ଜିତିବା ପରେ ଲୋକସଭା ସାଂସଦ ଅରୁଣ ସାଓ ଏବଂ ଗୋମତୀ ସାଇ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଜିତିବା ପରେ ଲୋକସଭା ସଦସ୍ୟ ରାଜ୍ୟବର୍ଦ୍ଧନ ସିଂ ରାଠୋର, ଦିୟା କୁମାରୀ ଓ ରାଜ୍ୟସଭା ସାଂସଦ କିରୋଡି ଲାଲ ମିନା ମଧ୍ୟ ସେମାନଙ୍କ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।

ଇସ୍ତଫା ଦେଇଥିବା ସାଂସଦ ମାନେ ବିଜେପି ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କୁ ସାକ୍ଷାତ କରିଥିଲେ। ଅନ୍ୟ ଦୁଇ ସାଂସଦ ବାବା ବାଳକନାଥ ଓ ରେଣୁକା ସିଂ ଆଜି ଗୃହରେ ଅନୁପସ୍ଥିତ ରହିଛନ୍ତି।

ମଧ୍ୟପ୍ରଦେଶ ନରସିଂହପୁର ବିଧାନସଭା ଆସନରୁ ନିର୍ବାଚିତ ବିଜେପି ନେତା ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି ଯେ ସେ ସାଂସଦ ପଦରୁ ଇସ୍ତଫା ଦେଇସାରିଛନ୍ତି ଓ ଖୁବ ଶୀଘ୍ର କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ।

Comments are closed.