ମହାଲ୍ଲିକପଡା ପଞ୍ଚାୟତରେ ବିକାଶ ପାଇଁ ସାମର୍ଥ୍ୟ ଥିବା ପ୍ରାର୍ଥୀଙ୍କୁ ବାଛିବେ ଭୋଟର

ହରଭଙ୍ଗା : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସବୁ ସ୍ଥାନରେ ରାଜନୈତିକ ମାହୋଲ ସରଗରମ। ଚା’ ଖଟି ଠାରୁ ଆରମ୍ଭ କରି ଧାନ ଖଳା ପର୍ଯ୍ୟନ୍ତ ପ୍ରାର୍ଥୀ ଏବଂ ପ୍ରାର୍ଥୀତ୍ୱକୁ ନେଇ ଭୋଟର କଷୁଛନ୍ତି ଅଙ୍କ। କି’ଏ ଆସିଲେ ଲୋକଙ୍କ ସମସ୍ୟା ଦୂର କରିବ। ଆଉ କି’ଏ ଆସିଲେ ପଂଚାୟତରେ ଦୁର୍ନୀତି ବଢିବ ତାକୁ ନେଇ ଭୋଟରଙ୍କ ମଧ୍ୟରେ ଚାଲିଛି ତର୍କ ବିତର୍କ। ଏହା ସାଙ୍ଗକୁ ଗତ ପାଂଚ ବର୍ଷରେ ପଂଚାୟତର ବିକାଶକୁ ନେଇ ମଧ୍ୟ ଗୁଣଣ ଫେଡାଣ ଚଲେଇଛନ୍ତି ଭୋଟର। ହରଭଙ୍ଗା ବ୍ଲକର ଦୁର୍ଗମ ପଂଚାୟତଭାବେ ଜଣାଶୁଣା ମହାଲ୍ଲିକପଡା ପଂଚାୟତ। ଗତ ୨୦୧୭ରେ ନୂଆ ପଂଚାୟତ ମାନ୍ୟତା ପାଇଛି। ୨୧ଟି ରାଜସ୍ୱ ଗ୍ରାମର ୧୨ଟି ଓାର୍ଡକୁ ନେଇ ଗଠିତ ଏହି ପଂଚାୟତରେ ୧୧୯୬ ପରିବାରରେ ୪୮୭୦ଜଣ ଲୋକ ବସବାସ କରନ୍ତି। ସେଥିରୁ ଅନୁସୂଚିତ ଜାତି ବର୍ଗର-୧୫୫୭,ଅନୁସୂଚିତ ଜନଜାତି ବର୍ଗର-୧୪୧୨ ଏବଂ ଅନ୍ୟାନ୍ୟ ବର୍ଗର-୧୯୦୧ଜଣ ଲୋକସଂଖ୍ୟା ରହିଛନ୍ତି।ଚଳିତ ନିର୍ବାଚନରେ ୩୧୯୧ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବୋଲି ଜଣାପଡିଛି।
ଗତ ୫ ବର୍ଷ ମଧ୍ୟରେ ନୂଆ ପଂଚାୟତ କାର୍ଯ୍ୟାଳୟ ନିର୍ମାଣକୁ ଛାଡିଦେଲେ ପଂଚାୟତରେ ସେଭଳି ଆଖିଦୃଶିଆ ବିକାଶ ହୋଇ ନହିଁ। ଏବେ ମଧ୍ୟ  ଅନେକ ଦୁର୍ଗମ ଗାଁକୁ ରାସ୍ତା,ପିଇବାପାଣି,ଶିକ୍ଷା,ସ୍ୱାସ୍ଥ୍ୟ ଭଳି ମୌଳିକ ସମସ୍ୟା ଅପହଂଚ ରହିଛି। ଅନେକ ଗାଁରେ ବନ୍ଧ ,ପୋଖରୀ ନଥିବା ମଧ୍ୟ ଜଣାପଡିଛି। ଦୁର୍ଗମ ପଂଚାୟତର ଲୋକ ଚାଷବାସ ,ଦିନମଜୁରୀ କରି ଜୀବନନିର୍ବାହ କରୁଥିବାବେଳେ ଅନେକ ଗାଁରେ ଜଳସେଚନ ସମସ୍ୟା ମଧ୍ୟ ରହିଛି। ସେହିପରି ଶ୍ରମଜୀବି ପରିବାରଙ୍କୁ କାମ ମିଳୁନଥିବାରୁ ଅନେକ ପରିବାରର ଲୋକେ ଦାଦନ ଖଟିବାକୁ ବାହାରକୁ ଚାଲିଯାଉଛନ୍ତି। ଚଳିତ ପଂଚାୟତ ନିର୍ବାଚନରେ ଏହି ପଂଚାୟତରେ ସରପଂଚ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସରପଂଚ ଆସନ ପାଇଁ ଏହି ପଂଚାୟତରୁ ଗାୟତ୍ରୀ ପ୍ରଧାନ,ଅମ୍ବିକା ଲଉରିଆ,ମାମୁନ ବାଘ,ରଶ୍ମିତା ସାହୁ,ରୁଦୁନା ଦାସ,ସୁଜାତା ସାହୁ ଏବଂ ସୁବାଷୀନି ସାହୁ ଭଳି ୭ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ନୂଆ ପଂଚାୟତ ଗଠନ ପରେ ଦ୍ୱିତୀୟଥର ସରପଂଚ ଆସନ ପାଇଁ ଏତେ ସଂଖ୍ୟକ ପ୍ରାର୍ଥୀ ନିର୍ବାଚନ ଲଢୁଥିବାରୁ ପ୍ରାର୍ଥୀତ୍ୱକୁ ନେଇ ଭୋଟରଙ୍କ ମଧ୍ୟରେ ଅଙ୍କକଷା ଚାଲିଛି। ପଂଚାୟତ ବିକାଶ ପାଇଁ ସାମର୍ଥ୍ୟଥିବା ପ୍ରାର୍ଥୀଙ୍କୁ ଭୋଟର ବାଛିବେ ବୋଲି ରାଜନୈତିକ ଅଙ୍କକଷା ଚାଲିଥିବା କୁହାଯାଉଛି।
ଭୋଟରଙ୍କ ମତାମତ———-

ମହେନ୍ଦ୍ର ଗୁରୁ -ପଂଚାୟତର ୧୧ନଂ ଓାର୍ଡ ଅର୍ନ୍ତଗତ ବୁଢାଆମ୍ବ ଗାଁରେ କୋଡିଏରୁ ଅଧିକ ପରିବାର ଆଦିବାସୀ ବର୍ଗର।ଗାଁରେ ବନ୍ଧଟିଏ ନାହିଁ।ପିଇବା ପାଣି ସୁବିଧା ନାହିଁ।ଅନେକ ପରିବାର ଆବାସ ଘର ମଧ୍ୟ ପାଇନାହାଁନ୍ତି।ମନରେଗା କାମ ଆମ ପାଇଁ ସ୍ୱପ୍ନ।ଫଳରେ ଅଧିକାଂଶ ପରିବାର ଲୋକେ କାମଧନ୍ଦା ପାଇଁ ଭୂବନେଶ୍ୱର ,କଟକ ଯାଉଛନ୍ତି। ୫ ବର୍ଷରେ ଗାଁରେ କୌଣସି ବିକାଶ ମୂଳକ କାମ ଖଣ୍ଡିଏ ହୋଇନାହିଁ।ଏଥର ପଂଚାୟତ ବିକାଶ ପାଇଁ ଯାହାର ସାମର୍ଥ୍ୟ ଥିବ ତାକୁ ଆମେ ହିଁ ଭୋଟଦେବୁ।

ଦିଲ୍ଲିପ କୁମାର ସାହୁ -ନିର୍ବାଚନ ସମୟରେ ଅବାଧ ମଦ ଏବଂ ଅର୍ଥକାରବାର ରୋକାଗଲେ ହିଁ ନିର୍ବାଚନରେ ସ୍ୱଛତା ଆସିବ।ଯାହାଫଳରେ ଭୋଟର ଜଣେ ଭଲ ପ୍ରାର୍ଥୀଙ୍କୁ ଚୟନ କରିପାରିବେ।ମାତ୍ର ଆଜିର ନିର୍ବାଚନରେ ନିଶା ଏବଂ ପଇସାରେ ଭୋଟ କିଣା ବିକା ଯୋଗୁଁ ଜଣେ ଯୋଗ୍ୟ ପ୍ରାର୍ଥୀ ପରାଜୟ ବରଣ କରୁଛି।   ପଂଚାୟତ ନିର୍ବାଚନରେ ମଦ,ମାଂସ,ଏବଂ ପଇସା ଦ୍ୱାରା ପରିଚାଳିତ ହେଉଛି । ଏ ଦିଗରେ ଦୃଷ୍ଟି ଦିଆଗଲେ ସବୁ ପଂଚାୟତରେ ଭୋଟର ଠିକ୍ ପ୍ରାର୍ଥୀଙ୍କୁ ବାଛିପାରନ୍ତେ। ପଂଚାୟତ ନିର୍ବାଚନର ମୂଲ୍ୟ ରୁହନ୍ତା।ସୋସିଆଲ ମିଡିଆ ପ୍ରଚାରକୁ ଗୁରତ୍ୱ ଦିଆଯାଉଥିବାବେଳେ ଆମ ପଂଚାୟତରେ ମୋବାଇଲ ଟାୱାର ନାହିଁ।

Comments are closed.