ବିପଦ ସଙ୍କୁଳ ଅବସ୍ଥାରେ ପୁଟା ଲୁହାପୋଲ

ଗୁଣୁପୁର : ଦୁର୍ଗମରେ ଦୁର୍ଦ୍ଦଶା । ପୂର୍ବଘାଟ ପର୍ବତମାଳା ପାଦଦେଶରେ ଅବସ୍ଥାନ କରୁଥିବା ତଥା ଆଦିମ ଜନଜାତି ଲାଞ୍ଜିଆ ସୌରା ବସବାସ କରୁଥିବା ଗୁଣୁପୁର ବ୍ଳକ ଶଗଡା ପଞ୍ଚାୟତ ଅନ୍ତର୍ଗତ ପୁଟା ନାଳ ଉପରେ ନିର୍ମାଣ କରାଯାଇଥିବା ଲୁହା ପୋଲ ଏବେ ବିପଦ ସଙ୍କୁଳ ଅବସ୍ଥାରେ । ଏଥିରେ ଖଞ୍ଜା ଯାଇଥିବା ନଟ ବୋଲଟ ଗଳି ପଡିବା ଯୋଗୁଁ ଲୁହା ପ୍ଲେଟ ଗୁଡ଼ିକ ବାହାରି ଯାଉଛି । ଯାନବାହନ ଚଳାଚଳ କଲାବେଳେ ଅତି ଭୟଙ୍କର ଶବ୍ଦ ହେବା ସହ ଯାତାୟତ କରୁଥିବା ଯାତ୍ରୀ ଭୟଭୀତ ହୋଇ ପଡୁଛନ୍ତି । ଏଠାରେ ପୂର୍ବରୁ ସିମେଣ୍ଟ ନିର୍ମିତ ଛୋଟିଆ ପୋଲ ଥିବା ବେଳେ ପାହାଡ଼ି ନାଳରେ ବନ୍ୟାପାଣି ପ୍ରବାହିତ ହେଲେ ପୋଲ ଧୋଇଯିବା ସହ ଯୋଗାଯୋଗ ବିଛିନ୍ନ ହୋଇଯାଉଥିଲା । ଗତ ୨୦୧୫ ରେ ଏଠାରେ ସ୍ଥାୟୀ ପ୍ରତିକାର ସ୍ୱରୂପ ଏକ ଲୁହା ପୋଲ ପ୍ରାୟ ୭୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା । ଦୀର୍ଘ ସାତ ବର୍ଷ ଅତିକ୍ରାନ୍ତ ହୋଇଥିବା ରୁ ଏହାର ତଦାରଖ ଓ ରକ୍ଷଣାବେକ୍ଷଣ ଆବଶ୍ୟକ ହେଉଛି ।  ନିକଟରେ ଗୁଜୁରାଟରେ ଏକ ଝୁଲା ପୋଲ ଛିଣ୍ଡି ପଡିବାରୁ ଦେଢ ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶାର ଧବଳେଶ୍ବର ପୀଠର ଝୁଲା ପୋଲ ମଧ୍ୟ ବନ୍ଦ ରହିଛି । ମୃତ୍ୟୁ ଯନ୍ତା ସାଜିଥିବା ରାୟଗଡା ଉପକଣ୍ଠ ରେ ଥିବା ଝୁଲା ପୋଲ ମଧ୍ୟ ଯାତ୍ରୀ ଙ୍କ ପାଇଁ ବନ୍ଦ ରଖାଯାଇଛି । ଦୁର୍ଗମ ଅଞ୍ଚଳ କୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତା ଉପରେ ଥିବା ପୁଟା ନାଳ ଲୁହପୋଲର ରକ୍ଷଣାବେକ୍ଷଣ ବ୍ୟବସ୍ଥା ଗ୍ରହଣ ନକଲେ ଆଗକୁ ଅଘଟଣ  ଘଟିପାରେ ବୋଲି କୁହାଯାଉଛି।

Comments are closed.