୧୦୦ ଡେସିବଲ୍ରୁ କମ ରହିବ ହର୍ଣ୍ଣ ଶବ୍ଦ
ନୂଆଦିଲ୍ଲୀ: ରାସ୍ତାରେ ହର୍ଣ୍ଣ ଶବ୍ଦ ପ୍ରଦୂଷଣ ଯୋଗୁଁ ଅତିଷ୍ଠ ଜନସାଧାରଣଙ୍କ ପାଇଁ ଏକ ଖୁସି ଖବର। ଗାଡ଼ିର ହର୍ଣ୍ଣର ସର୍ବୋଚ୍ଚ ଶବ୍ଦ ୧୦୦ ଡେସିବଲ୍ରୁ କମ୍ ରହିବ। ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଏ ସମ୍ପର୍କରେ କଟକଣା ଜାରି କରିବେ।
ପ୍ରଚଳିତ ମୋଟର ଯାନ ଆଇନ୍ ଅନୁଯାୟୀ ହର୍ଣ୍ଣର ଶବ୍ଦ ସ୍ତର ୯୩ ଡେସିବଲ୍ ରୁ ୧୧୨ ଡେସିବଲ୍ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଭାରତର ସଡ଼କ ପଥରେ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଇବା ସହିତ ତଦ୍ଜନିତ ଦୁର୍ଘଟଣା, ଶ୍ରବଣ ହ୍ରାସ ସମସ୍ୟା ବୃଦ୍ଧି ପାଉଥିବା ଅଭିଯୋଗମାନ ଆସୁଛି। ତେଣୁ ହର୍ଣ୍ଣ ସ୍ୱର ଯଥାସମ୍ଭବ କମାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଗାଡ଼ି ନିର୍ମାତାଙ୍କ ସହିତ କେନ୍ଦ୍ର ସଡ଼କ ମନ୍ତ୍ରାଳୟ ଆଲୋଚନା କରିଥିବା ଜଣାପଡ଼ିଛି। କିନ୍ତୁ ଅନେକ କ୍ଷେତ୍ରରେ ଗାଡ଼ି କିଣିସାରିବା ପରେ ଗ୍ରାହକମାନେ ସେଥିରେ ବହୁସ୍ୱର ବିଶିଷ୍ଟ ଓ କର୍କଶ ଶବ୍ଦଯୁକ୍ତ ହର୍ଣ୍ଣ ବ୍ୟବହାର କରୁଛନ୍ତି। ଏଥିରେ ଗାଡ଼ି ନିର୍ମାତାଙ୍କର କୌଣସି ଭୂମିକା ନ ନଥିବାରୁ ଜନସଚେତନତା ଦ୍ୱାରା ନିୟନ୍ତ୍ରଣ ଆଣିବାକୁ ମନ୍ତ୍ରାଳୟ ଚିନ୍ତା କରୁଛି।