ସରକାରୀ ମେଡିକାଲ କଲେଜରେ ୨୧୧୮ ପଦ ଖାଲି

0

ଭୁବନେଶ୍ୱର: ଓଡ଼ିଶାରେ ଥିବା ସରକାରୀ ମେଡ଼ିକାଲ କଲେଜଗୁଡ଼ିକରେ ବିଭିନ୍ନ ପାହ୍ୟାରେ ୨୧୦୦ରୁ ଅଧିକ ପଦ ଖାଲିପଡ଼ିଛି। ଏଥିରୁ ଡାକ୍ତରୀ ଶିକ୍ଷକ ପଦ ପ୍ରାୟ ୬୦୦। ରାଜ୍ୟରେ ବର୍ତ୍ତମାନ ୭ଟି ସରକାରୀ ମେଡ଼ିକାଲ କଲେଜ, ଗୋଟିଏ ଡେଣ୍ଟାଲ କଲେଜ ଓ ୪ଟି ହୋମିଓପାଥିକ କଲେଜ ଓ ୩ଟି ଆୟୁର୍ବେଦିକ କଲେଜ ରହିଛି। ଏହି ସରକାରୀ ସଂସ୍ଥାଗୁଡ଼ିକରେ ୧୫୨୩ଟି ଅଣଶିକ୍ଷକ ପଦ ଓ ୫୯୫ ଶିକ୍ଷକ ପଦ ଫାଙ୍କା ପଡ଼ିଛି। ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।
ସରକାରୀ ମେଡ଼ିକାଲ କଲେଜରେ ଶିକ୍ଷକ ଓ ଅଶଣିକ୍ଷକ ପଦ ପୂରଣ ସଂକ୍ରାନ୍ତରେ ବିଧାୟକ ଦିଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ରଖିଥିବା ତଥ୍ୟରୁ ଜଣାପଡ଼ିଛି ଯେ ୭ଟି ସରକାରୀ ମେଡ଼ିକାଲ କଲେଜ ମଧ୍ୟରୁ ବୁର୍ଲାସ୍ଥିତ ଭୀମ୍‍ସାରରେ ସର୍ବାଧିକ ୧୪୯ଟି ଡାକ୍ତର ଶିକ୍ଷକ ପଦ ଗତ ମଇ ମାସ ସୁଦ୍ଧା ଖାଲି ପଡ଼ିଥିଲା। ଏହି ମେଡ଼ିକାଲ କଲେଜ ଲାଗି ୨୫୦ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ଶିକ୍ଷକ ପଦ ଥିବାବେଳେ ସେଠାରେ ମାତ୍ର ୧୦୧ ଜଣଙ୍କୁ ନେଇ କାମ ଚାଲିଛି। କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ୯୭ଟି ଓ ବ୍ରହ୍ମପୁରର ଏମ୍‍କେସିଜି ମେଡ଼ିକାଲ କଲେଜରେ ୬୫ଟି ଡାକ୍ତରୀ ଶିକ୍ଷକ ପଦ ଖାଲିପଡ଼ିଛି। ବାରିପଦାର ପିଆର୍‍ଏମ୍‍ ଓ କୋରାପୁଟର ଏସ୍‍ଏଲ୍‍ଏନ୍‍ ମେଡ଼ିକାଲ କଲେଜ ହସ୍ପିଟାଲରେ ୧୨ଟି କରି ଡାକ୍ତରୀ ଶିକ୍ଷକ ପଦ ଖାଲିଥିବାବେଳେ ସଦ୍ୟ ଉଦ୍‍ଘାଟିତ ବାଲେଶ୍ୱରର ଫକିର ମୋହନ ମେଡ଼ିକାଲ କଲେଜ ହସ୍ପିଟାଲରେ ୨୨ଟି ଓ ବଲାଙ୍ଗୀରର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ୨୮ଟି ଡାକ୍ତରୀ ଶିକ୍ଷକ ପଦ ଖାଲିପଡ଼ିଛି।
ବାଲେଶ୍ୱରର ଫକିରମୋହନ ମେଡ଼ିକାଲ କଲେଜ ହସ୍ପିଟାଲରେ ସର୍ବାଧିକ ୩୩୧ଟି ଓ ବଲାଙ୍ଗୀରର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ୩୧୯ଟି ଅଣଡାକ୍ତରୀ ପଦ ଖାଲିପଡ଼ିଛି। ବାରିପଦା ମେଡ଼ିକାଲ କଲେଜ ହସ୍ପିଟାଲରେ ୧୭୯ ଓ କୋରାପୁଟ ମେଡ଼ିକାଲ କଲେଜ ହସ୍ପିଟାଲରେ ୧୪୯ଟି ଅଣଶିକ୍ଷକ ପଦ ଖାଲିଥିବାବେଳେ ଏସ୍‍ସିବି ମେଡ଼ିକାଲ କଲେଜରେ ୧୩୮ଟି ଅଣଶିକ୍ଷକ ପଦ ଖାଲି ପଡ଼ିଛି। ଏମ୍‍କେସିଜିରେ ଏହି ସଂଖ୍ୟା ୯୮ ଓ ଭୀମ୍‍ସାରରେ ୮୨ ଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ମୋଟାମୋଟି ଭାବେ ଏହି ୭ଟି ମେଡ଼ିକାଲ କଲେଜ ହସ୍ପିଟାଲରେ ୩୯୫ଟି ଡାକ୍ତରୀ ଶିକ୍ଷକ ଓ ୧୨୯୬ଟି ଅଣଶିକ୍ଷକ ପଦ ଖାଲି ଅଛି। ଏସ୍‍ସିବିରେ ଥିବା ଏକମାତ୍ର ସରକାରୀ ଡେଣ୍ଟାଲ କଲେଜ ହସ୍ପିଟାଲରେ ୮ଟି ଡାକ୍ତରୀ ଶିକ୍ଷକ ଓ ୯ଟି ଅଣଶିକ୍ଷକ ପଦ ମଧ୍ୟ ଖାଲି।
ରାଜ୍ୟର ୭ଟି ହୋମିଓପାଥିକ ଓ ଆୟୁର୍ବେଦିକ ମେଡ଼ିକାଲ କଲେଜ ହସ୍ପିଟାଲରେ ଅର୍ଦ୍ଧାଧିକ ଡାକ୍ତରୀ ଶିକ୍ଷକ ପଦ ଖାଲି। ୪ଟି ହୋମିଓପାଥିକ କଲେଜ ଲାଗି ୧୪୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ଶିକ୍ଷକ ପଦ ଥିବା ବେଳେ ଏଥିରୁ ୧୧୪ଟି ଖାଲି। ରାଉରକେଲା ଉତ୍କଳମଣି ହୋମିଓପାଥିକ ମେଡ଼ିକାଲ କଲେଜ ହସ୍ପିଟାଲ ଲାଗି ୩୬ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ଶିକ୍ଷକ ପଦ ଥିବା ବେଳେ ସେଥିରୁ ୨୯ଟି ଖାଲିପଡ଼ିଛି। ଭୁବନେଶ୍ୱରସ୍ଥିତ ଡ. ଅଭିନ୍ନ ଚନ୍ଦ୍ର ମେଡ଼ିକାଲ କଲେଜର ୩୭ଟି ଡାକ୍ତରୀ ଶିକ୍ଷକ ପଦବୀରୁ ୨୮ଟି ଖାଲି ପଡ଼ିଥିବା ବେଳେ ସମ୍ବଲପୁରର ସରକାରୀ ହୋମିଓପାଥିକ କଲେଜର ୩୬ରୁ ୩୦ ଓ ବ୍ରହ୍ମପୁରର ସରକାରୀ ହୋମିଓପାଥିକ କଲେଜର ୩୫ରୁ ୨୭ଟି ଡାକ୍ତରୀ ଶିକ୍ଷକ ପଦ ମଧ୍ୟ ଖାଲି। ଏହି ୪ଟି ସଂସ୍ଥାରେ ୩୧ଟି ଅଣଶିକ୍ଷକ ପଦ ମଧ୍ୟ ଖାଲି ପଡ଼ିଛି।
ଓଡ଼ିଶାରେ ଥିବା ତିନୋଟି ସରକାରୀ ଆୟୁର୍ବେଦିକ ମେଡ଼ିକାଲ କଲେଜରେ ୧୨୪ରୁ ୭୮ଟି ଡାକ୍ତରୀ ଶିକ୍ଷକ ପଦ ଖାଲି ଅଛି। ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମେଡ଼ିକାଲ କଲେଜରେ ୪୬ରୁ ୨୬, ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜରେ ୪୩ରୁ ୨୮ ଓ ଗଞ୍ଜାମର ଅଙ୍କୁଶପୁର ଠାରେ ଥିବା ଆୟୁର୍ବେଦିକ କଲେଜରେ ୩୫ରୁ ୨୪ଟି ଡାକ୍ତରୀ ଶିକ୍ଷକ ପଦ ଖାଲି। ଏହି ତିନୋଟି ସଂସ୍ଥାରେ ୧୮୭ଟି ଅଣଶିକ୍ଷକ ପଦ ଖାଲି ପଡ଼ିଥିବା ବିଭାଗୀୟ ତଥ୍ୟରୁ ଜଣାପଡ଼ିଛି।

kalyan agarbati
Leave A Reply