www.samajalive.in
Saturday, December 6, 2025
16.1 C
Bhubaneswar

ସରକାରୀ ଚାଉଳ ଗୋଦାମରେ ହେରାଫେରି

ଭଦ୍ରକ : ଭଦ୍ରକ ଜିଲାରେ ଯୋଗାଣ ବିଭାଗରେ ଚାଉଳ ସଂଗ୍ରହଠାରୁ ବଣ୍ଟନ ଯାଏ ବ୍ୟାପକ ଦୁର୍ନୀତି ଚାଲିଛି। ଏହି ରାକେଟରେ ଯୋଗାଣ ବିଭାଗର ଜିଲା ସ୍ତରରେ କାର୍ଯ୍ୟରତ ଅଫିସରଙ୍କଠାରୁ ସରକାରୀ ଚାଉଳ ଗୋଦାମରେ ନିୟୋଜିତ ଅଧିକାରୀ, ପରିବହନ ଠିକାଦାର, ରିଟେଲର ଆଦି ସାମିଲ ଅଛନ୍ତି। ଏହି ରାକେଟ ମିଳିମିଶି କୋଟି କୋଟି ଟଙ୍କାର ଚାଉଳ ବାଟମାରଣା କରୁଛନ୍ତି। ଗତ ଦୁଇଦିନ ମଧ୍ୟରେ ଠୋସ ଖବର ପାଇ ଜିଲାପାଳ ଯାଞ୍ଚ ଆରମ୍ଭ କରିଛନ୍ତି। ଯାଞ୍ଚ ପରେ ସୋମବାର ଚରମ୍ପାସ୍ଥିତ ସରକାରୀ ଚାଉଳ ଗୋଦାମ (ଆରଆରସି)କୁ ସିଲ କରାଯାଇଥିଲା। ମଙ୍ଗଳବାର ପୁଣି ବାସୁଦେବପୁର ବ୍ଲକର ବ୍ରାହ୍ମଣୀଗାଁ ଗୋଦାମକୁ ସିଲ କରାଯାଇଛି। ଗତକାଲି ଭଦ୍ରକ ତହସିଲଦାର ଚରମ୍ପା ଗୋଦାମକୁ ଯାଞ୍ଚ କରିବା ପରେ ସେଠାରେ ଷ୍ଟକ ରେଜିଷ୍ଟାରରୁ ପାଖାପାଖି ୨୦୦ କ୍ୱିଣ୍ଟାଲ ଚାଉଳ କମ୍‍ ଥିବା ଜଣାପଡିଥିଲା। ଏହି ଅନିୟମିତତା ପଦାକୁ ଆସିବା ପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଉକ୍ତ ଗୋଦାମକୁ ସିଲ କରାଯାଇଛି। ତେବେ ଗତକାଲିର ଚରମ୍ପା ଗୋଦାମରେ ଯାଞ୍ଚ ଖବରରେ ବ୍ୟତିବ୍ୟସ୍ତ ଏହି ରାକେଟ ଆଜି ସକାଳୁ ସକାଳୁ ବ୍ରାହ୍ମଣୀଗାଁ ଗୋଦାମରୁ ଟ୍ରକ ଲଗାଇ ଚାଉଳ ନେବା ଆରମ୍ଭ କରିଥିଲେ। ଏହି ଗୋଦାମରେ ଷ୍ଟକ ରେଜିଷ୍ଟାରଠାରୁ ଅଧିକ ଚାଉଳ ଥିବାରୁ ସକାଳୁ ସକାଳୁ ଚାଉଳ ହଟାଇବାକୁ ଯୋଜନା ହୋଇଥିଲା। ଖବର ପାଇ ଜିଲାପାଳ ବାସୁଦେବପୁର ତହସିଲଦାରଙ୍କୁ ଯାଞ୍ଚ ପାଇଁ ପଠାଇଥିଲେ। ତହସିଲଦାର ପହଞ୍ଚିବା ପୂର୍ବରୁ ଗୋଦାମରୁ ୨ ଗାଡି ଚାଉଳ ଚାଲାଣ ହୋଇସାରିଥିବା କୁହାଯାଉଛି। ତେବେ ତହସିଲଦାର ପ୍ରକାଶ ରାଉଳ, ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ଯୋଗାଣ ନିରୀକ୍ଷକ ବିଭୀଷଣ ନାୟକ ପୁଲିସ ସହ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚ ପରେ ଏଠାରେ ଚାଉଳ ଅଧିକ ଥିବା ପ୍ରମାଣ ମିଳିଥିଲା। ପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଉକ୍ତ ଗୋଦାମକୁ ମଧ୍ୟ ସିଲ କରାଯାଇଛି।
ଖବର ଅନୁଯାୟୀ, ବ୍ରାହ୍ମଣୀଗାଁର ଏହି ଗୋଦାମ ଘରଟି ଘରୋଇ ମାଲିକାନାରେ ଅଛି। ଜଣେ ପ୍ରକ୍ୟରମେଣ୍ଟ ଅଧିକାରୀ ଗୋଦାମ ଦାୟିତ୍ୱରେ ଥିଲେ। ତେବେ ଗୋଦାମରେ ଚାଉଳ ଷ୍ଟକ ରେଜିଷ୍ଟାରରୁ କମ୍‍ ରହିବା ଅଥବା ଅଧିକ ରହିବା ସିଧାସଳଖ ଚାଉଳ ହେରାଫେରିକୁ ସୂଚିତ କରୁଛି। ସମ୍ପୃକ୍ତ ରାକେଟ ରିଟେଲରଙ୍କୁ ହାତରେ ରଖି ଗୋଦାମକୁ ପରିଚାଳନା କରୁଛନ୍ତି। କେଉଁଠି ଗୋଦାମରୁ ସରକାରୀ ଚାଉଳ ହଟାଇ ଦେଇ ତାହାକୁ ପରେ ରିଟେଲରଙ୍କ ଖାତାରେ ଚଢ଼ାଇ ଭରଣା କରାଯାଉଛି ତ କେଉଁଠି ରିଟେଲରଙ୍କୁ କେବଳ କାଗଜପତ୍ରରେ ଚାଉଳ ଇସ୍ୟୁ କରି ସେହି ଚାଉଳକୁ ଗୋଦାମରେ ରଖି ସୁଯୋଗ ଏବଂ କଳାବଜାର ଦରକୁ ଲକ୍ଷ୍ୟ କରି ଗୋଦାମ ବାହାରକୁ ନେବାର ବ୍ୟବସ୍ଥା ହେଉଛି। ତେବେ ବ୍ରାହ୍ମଣୀଗାଁ ଗୋଦାମରୁ କେତେ ପରିମାଣର ଚାଉଳ ଅଧିକ ବାହାରିଲା ସେନେଇ କିଛି ସ୍ପଷ୍ଟ କରିନାହାନ୍ତ ବାସୁଦେବପୁର ତହସିଲଦାର। କେବଳ ଚାଉଳ ଅଧିକ ବାହାରିଛି ଓ ସେ ତାଙ୍କ ରିପୋର୍ଟ ଜିଲାପାଳଙ୍କୁ ଦେଇଛନ୍ତି ବୋଲି ତହସିଲଦାର ଶ୍ରୀ ରାଉଳ ସୂଚନା ଦେଇଛନ୍ତି। ଅପରପକ୍ଷେ ଜିଲାପାଳ କହିଛନ୍ତି ଯେ ‘ତହସିଲଦାରଙ୍କ ରିପୋର୍ଟ ପାଇଛି, କିନ୍ତୁ ଅନୁଧ୍ୟାନ କରିନାହିଁ। ଗୋଦାମକୁ ସିଲ କରାଯାଇଛି। ଅନୁଧ୍ୟାନ ପରେ ଅଧିକ ତଥ୍ୟ ଗଣମାଧ୍ୟମକୁ ଦେବି। ଜିଲାର ଅନ୍ୟସବୁ ଗୋଦାମକୁ ମଧ୍ୟ ଯାଞ୍ଚ ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛି’। ତେବେ ବାସୁଦେବପୁର ଗୋଦାମରେ ୫ ଶହ କ୍ୱିଣ୍ଟାଲରୁ ଅଧିକ ଚାଉଳ ଅଧିକ ବାହାରିଥିବା ଅସମର୍ଥିତ ସୂତ୍ରରୁ ଜଣାଯାଇଛି। ଉକ୍ତ ଚାଉଳ ରିସାଇକ୍ଲିଂ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ମଧ୍ୟ ଆଲୋଚନା ହେଉଛି। ତେବେ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‍ ଜରିଆରେ ତଦନ୍ତ କରାଗଲେ କୋଟି କୋଟି ଟଙ୍କାର ଚାଉଳ ଦୁର୍ନୀତି ପଦାକୁ ଆସନ୍ତା ବୋଲି ସାମାଜିକ କର୍ମୀ ଦିଗମ୍ବର ସାହୁ ମତ ରଖିଛନ୍ତି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories