କଟକ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ର ୯୯ ବର୍ଷ ପୂର୍ତ୍ତି ଉପଲକ୍ଷେ କଟକରେ ପଦଯାତ୍ରା ଓ ସଭା ଅନୁଷ୍ଠିତ ହୋଇଛି। ଗୁରୁବାର ସକାଳୁ ସ୍ଥାନୀୟ ଗୌରୀଶଙ୍କର ପାର୍କଠାରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଆୟୋଜିତ ପଦଯାତ୍ରାରେ କଟକ-ଭୁବନେଶ୍ୱର ପୁଲିସ କମିଶନର ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଦୈନିକ ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ, ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ, ମୁଖ୍ୟ ପରିଚାଳକ(କାର୍ଯ୍ୟକାରୀ) ପ୍ରିୟବ୍ରତ ମହାନ୍ତି, ବାର୍ତ୍ତା ସମ୍ପାଦକ ସୁଶାନ୍ତ ମହାନ୍ତି, ‘ସମାଜ’ ପୋର୍ଟାଲ୍ ମୁଖ୍ୟ ମହେଶ ଶର୍ମା, ଓଡ଼ିଶା ବ୍ୟୁରୋ ସମରେନ୍ଦୁ ଦାସ, ଲୋକସେବକ ମଣ୍ଡଳ ରିଲିଫ୍ କମିଟି ସହଯୋଗୀ ସୌରଭ ସାହୁ, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁଭାସ ସିଂହ, କଟକ ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ନାଥ ସାହୁ ଓ ସମ୍ପାଦକ ଭିକାରୀ ଦାସ, ସିଏମ୍ସି ଲାଇସେନ୍ସିଂ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିକାଶ ରଞ୍ଜନ ବେହେରା, ସିଏମ୍ସି ହେଲ୍ଥ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ, ସମାଜସେବୀ ସୁଲେମାନ ବକ୍ସ, ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବିିଭିନ୍ନ ସ୍କୁଲ୍ କଲେଜର ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। କଟକ ସହରର ପ୍ରାୟ ସବୁ ଅଞ୍ଚଳର ସବୁ ବର୍ଗର ଲୋକ ପଦଯାତ୍ରାରେ ସାମିଲ୍ ହୋଇଥିଲେ।
ପଦଯାତ୍ରା ବକି୍ସବଜାର ସ୍ଥିତ ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଲୋକସେବକ ମଣ୍ଡଳର ସଭାପତି ତଥା ‘ସମାଜ’ ପରିଚାଳନା ବୋର୍ଡର ଅଧ୍ୟକ୍ଷ ଦୀପକ ମାଲବ୍ୟ ସ୍ୱାଗତ କରିଥିଲେ। ଏହାପରେ ‘ସମାଜ’ କାର୍ଯ୍ୟାଳୟରେ ବିଶିଷ୍ଟ ବ୍ୟକ୍ତିମାନେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବ୍ୟକ୍ତି ଓ ବିଭିନ୍ନ ସ୍କୁଲ୍ର ଛାତ୍ରଛାତ୍ରୀ ଯୋଗ ଦେଇ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିଥିଲେ।
‘ସମାଜ’ର ୯୯ ବର୍ଷ ପୂର୍ତ୍ତି: ପଦଯାତ୍ରାରେ ସାମିଲ ହେଲା ସାରା କଟକ
Popular Categories



