ପିପିଲି: ପିପିଲି ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତେଜନା ସୃଷ୍ଟି ହୋଇଥିବାରୁ ଡାକ୍ତରଖାନା ସମ୍ମୁଖରେ ପୁଲିସ ମୁତୟନ କରାଯାଇଛି। ଗୋପ ଥାନା ନାଗପୁର ଗ୍ରାମର ଗଜେନ୍ଦ୍ର ମୁଦୁଲି (୪୦) ନିଜ ଶ୍ୱଶ୍ୱର ଘର ପିପିଲି ଥାନା ଅନ୍ତର୍ଗତ ପଦ୍ମକଇଁରୀ ଗ୍ରାମରେ ରାତିରେ ହଠାତ ଅସୁସ୍ଥ ହୋଇଯିବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ତେବେ ସେଠାରେ ଡାକ୍ତର ନ ଥିବାରୁ ଚିକିତ୍ସାରେ ଅବହେଳା ଯୋଗୁଁ ଗଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ବହୁ ସମୟ ଧରି ରୋଗୀ ରହିବା ପରେ ଫାର୍ମାସିଷ୍ଟ ଗଜେନ୍ଦ୍ରଙ୍କ ମୃତ୍ୟୁ ହୋଇ ଯାଇଥିବାର ଟିକେଟରେ ଲେଖି ଦେଇଥିଲେ। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ମୃତଦେହ ଧରି ଡାକ୍ତରଖାନାରେ ବସି ରହିଛନ୍ତି।
ରୋଗୀ ମୃତ୍ୟୁ ନେଇ ପିପିଲି ଡାକ୍ତରଖାନାରେ ଉତ୍ତେଜନା
Popular Categories



