ରାଜ୍ୟ ବଜେଟ : ପ୍ରାକ୍ ପ୍ରାଥମିକ ଶିକ୍ଷାରେ ସୁଧାର ସମ୍ଭାବନା
କଟକ(ରଜତ କାନ୍ତ ଦାଶ) : ଚଳିତ ବର୍ଷର ରାଜ୍ୟ ବଜେଟ କେବେ ଆସିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ପ୍ରାୟ କେନ୍ଦ୍ର ବଜେଟ ଆଗତ ପରେ ଫେବୃୟାରୀ ମାସର ଦ୍ୱିତୀୟ ସପ୍ତାହରେ ରାଜ୍ୟ ବଜେଟ ଆସିଥାଏ। ଚଳିତ ବର୍ଷ ଫେବୃୟାରୀ ମାସ ଶେଷ ହେବାକୁ ବସିଲାଣି, ହେଲେ ବଜେଟ ଅଧିବେଶନ ବସିବାର କୌଣସି ସମ୍ଭାବନା ଦେଖାଯାଉନାହିଁ । ସେପଟେ ରାଜ୍ୟ ସରକାର ଓ ବିରୋଧୀ ଦଳଗୁଡ଼ିକ ବିଜେପୁର ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ବିଜେପୁର ନିର୍ବାଚନ ଫଳାପଳ ପ୍ରକାଶ ପରେ ମାର୍ଚ୍ଚ ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ବଜେଟ ଆସିବ ବୋଲି ଆଶା କରାଯାଉଛି । ଅର୍ଥାତ ଆଉ ୨୦ରୁ ୨୫ ଦିନ ମଧ୍ୟରେ ଓଡ଼ିଶା ବଜେଟ ଅଧିବେଶନ ବସିପାରେ । ରାଜନୈତିକ ମହଲରେ ଚାଲିଥିବା ଚର୍ଚ୍ଚା ଅନୁସାରେ ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହରେ ସ୍ୱଳ୍ପକାଳୀନ ଅଧିବେଶନ ଡାକି ନବୀନ ସରକାର ୨୦୧୮-୧୯ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ନଆଣି ୩ ମାସ ପାଇଁ କାମଚଳା ବଜେଟ ଆଗତ କରିବେ । ଏହାପରେ ଜୁନ କିମ୍ବା ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ ଆଣିପାରନ୍ତି । ମାତ୍ର ଏହା ପୂର୍ବରୁ ବଜେଟର ରୂପରେଖ କ’ଣ ହେବ ? ଏଥିରେ କେଉଁ କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ ? କେଉଁ କ୍ଷେତ୍ର ପାଇଁ କେତେ ଟଙ୍କା ଆବଣ୍ଟନ କରାଯିବ ? ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।
ପଲ୍ଲୀରୁ ସହର ସବୁଠି ବଜେଟକୁ ନେଉ ଉତ୍କଣ୍ଠା ଲାଗି ରହିଛି । ଏହି କ୍ରମରେ ପ୍ରାକ୍ ପ୍ରାଥମିକ ଅବା ଅଙ୍ଗନୱାଡି ଶିକ୍ଷାକୁ ନେଇ ଆମର ବିଶେଷ ଉପସ୍ଥାପନା ।
ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍)ର ମେରୁଦଣ୍ଡ ବୋଲି କୁହାଯାଉଥିବା ପ୍ରାକ୍ ପ୍ରାଥମିକ ବା ଅଙ୍ଗନୱାଡି ଶିକ୍ଷା (ପିଏସ୍ଇ) ଓଡ଼ିଶାରେ ଅବହେଳିତ ହୋଇ ରହିଛି। ଚଳିତ ବଜେଟରେ ଏହି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନେକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି । ପ୍ରାକ୍ ପ୍ରାଥମିକ ଶିକ୍ଷା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଆବଣ୍ଟିତ ପାଣ୍ଠି ସମ୍ପୂର୍ଣ୍ଣ ରୂପେ ଆଖୃ ଦୃଶିଆ ହେଉନାହିଁ । ୨୦୧୬-୧୭ ଆର୍ଥିକ ବର୍ଷର ବଜେଟରେ ପ୍ରାକ୍ ପ୍ରାଥମିକ ଶିକ୍ଷା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଶିକ୍ଷା ବାବଦରେ ୩୪ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ୨୦୧୭-୧୮ରେ ସରକାର ଏକ ନୂତନ ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବଜେଟରେ କୌଣସି ବୃଦ୍ଧି ପରିଲକ୍ଷିତ ହୋଇନଥିଲା । ୨୦୧୭-୧୮ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବ ବଜେଟ ଭଳି ମାତ୍ର ୩୪ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ଅର୍ଥାତ ଏହି ବଜେଟରେ ପ୍ରାକ୍ ପ୍ରାଥମିକ ଶିକ୍ଷାରେ ପିଲାଙ୍କ ପାଇଁ ଖେଳନା, ଖେଳ ବହି, ଖେଳ ଉପକରଣ କିଣିବା ବାବଦ କୌଣସି ଅର୍ଥ ଆବଣ୍ଟିତ କରାଯାଇନଥିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି । ପ୍ରକାଶ ଯେ ନିୟମ ଅନୁସାରେ ପ୍ରତି ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାକ୍ ପ୍ରାଥମିକ ଶିକ୍ଷା ଉପକରଣ କିଣିବା ବାବଦ ୩୦୦୦ ଟଙ୍କା ଦେବାର ବ୍ୟବସ୍ଥା ରହିଛି । ଏପଟେ ଓଡ଼ିଶାର ପ୍ରାକ୍ ପ୍ରାଥିକ ଶିକ୍ଷା ଅନଭିଜ୍ଞ ଓ ପ୍ରଶିକ୍ଷଣ ବିହୀନ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଉପରେ ନିର୍ଭର କରୁଛି । ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଗ୍ରାମାଞ୍ଚଳରେ ଅଙ୍ଗନୱାଡି କର୍ମୀ ଓ ସହାୟିକା, ସର୍କଲ ସୁପରଭାଇଜର, ବ୍ଲକ୍ସ୍ତରରେ ସିଡିପିଓଙ୍କ ଦ୍ୱାରା ପ୍ରାକ୍ ପ୍ରାଥମିକ୍ ଶିକ୍ଷା ପରିଚାଳିତ ହେଉଛି । କିନ୍ତୁ ଦୀର୍ଘ ଦିନ ହେବ ଅନେକ ସ୍ଥାନରେ ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜର ପଦ ଖାଲି ପଡିଛି । ଏପର୍ଯ୍ୟନ୍ତ ବୌଦ୍ଧ, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କୋରାପୁଟ ଓ ମାଲକାନାଗିରି ଭଳି ଅଧିକ ଚାପଗ୍ରସ୍ତ ଜିଲାରେ ୯,୫୨୪ ଅଙ୍ଗନୱାଡି କେନ୍ଦ୍ର ଚିହ୍ନଟ ହୋଇଥିବାବେଳେ ବାକି ୨୪ଟି ଅଣଚାପଗ୍ରସ୍ତ ଜିଲାରେ ୬୧, ୬୧୦ଟି ଅଙ୍ଗନୱାଡି କେନ୍ଦ୍ର ଚିହ୍ନଟ ହୋଇଛି। ସେହିପରି ଆଦିବାସୀ ଅଧ୍ୟୁଷିତ ଜିଲାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀଙ୍କୁ ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ଓ କ୍ରମାଗତ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି । ହେଲେ ନୂଆ-ଅରୁଣିମା ଯୋଜନାରେ ବହୁ ଅଙ୍ଗ୍ନୱାଡି କର୍ମୀ କୌଣସି ପ୍ରଶିକ୍ଷଣ ନେଇନାହାନ୍ତି । ତେଣୁ ଖାଲିପଡିଥିବା ଅଙ୍ଗନୱାଡି କର୍ମୀ ସୁପରଭାଇଜର ପଦ ପୂରଣ ସହ ପ୍ରଶିକ୍ଷଣ ପାଇଁ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା କରାଯିବା ଆବଶ୍ୟକ । ଅଙ୍ଗନୱାଡି କେନ୍ଦ୍ର ଶିଶୁଙ୍କ ସୁରକ୍ଷା ଦୃଷ୍ଟିରୁ ଉତ୍କୃଷ୍ଟ ହେବାର ଆବଶ୍ୟକତା ଥିଲେ ବି ଅନେକ ସ୍ଥାନରେ ପକା ଅଙ୍ଗନୱାଡି ଘର ନାହିଁ । ଗତ ୨ରୁ ୩ ବର୍ଷ ହେଲା ଅନେକ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲେ ବି ନିର୍ମାଣ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ୧୦ରୁ ୧୨ ବର୍ଷ ତଳେ ନିର୍ମିତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ଏବେ ବିପଦଜନକ ଅବସ୍ଥାରେ ଅଛନ୍ତି । ରାଜ୍ୟର ୭୧,୩୦୬ ଅଙ୍ଗନୱାଡି ଓ ମିନି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୩୫ ହଜାର କେନ୍ଦ୍ରର ନିଜସ୍ୱ ପକା ଗୃହ ରହିଛି । ୧୫ ହଜାର କେନ୍ଦ୍ର ପାଇଁ ପକା ଘର ନିର୍ମାଣଧୀନ ରହିଛି । ଅର୍ଥାତ ବର୍ତ୍ତମାନ ଅଧାରୁ ଅଧିକ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ୭୧ ହଜାର ଅଙ୍ଗନୱାଡି ବି ପ୍ରାକ୍ ପ୍ରାଥମିକ୍ ଶିକ୍ଷାର ଚାହିଦା ଅନୁସାରେ ବହୁତ୍ କମ ରହିଛି । ୨୦୧୮-୧୯ ଆର୍ଥିକ ବର୍ଷରେ ବଜେଟରେ ୨୧ ହଜାର ପକା ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ୧,୦୫୦ କୋଟି ଟଙ୍କା ଆବଣ୍ଟନ କରାଯିବାର ଆବଶ୍ୟକତା ରହିଛି ।