ରହସ୍ୟମୟ ଶ୍ରୀମନ୍ଦିରବାଇଶି ପାହାଚ

0

ଶ୍ରୀମନ୍ଦିର ସମ୍ପର୍କରେ ଏଭଳି ସବୁ ରହସ୍ୟମୟ ତଥ୍ୟ ରହିଛି ଯେଉଁ ବିଷୟରେ ଅନେକ ଶ୍ରଦ୍ଧାଳୁ ଏବେ ବି ଅଜ୍ଞ । ବାଇଶି ପାହାଚ ନିର୍ମାଣ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି । ତତ୍କାଳୀନ ଗଜପତି ମହାରାଜା ଭାନୁଦେବ ଶ୍ରୀମନ୍ଦିରରେ ବାଇଶି ପାହାଚ ନିର୍ମାଣ କରାଇଥିଲେ । ତାଙ୍କ ପୁଅର ୨୨ ବର୍ଷରେ ଏକ ଘାଟି ରହିଥିଲା । ଏହାର ପ୍ରତିକାର ଲାଗି ରାଜଗୁରୁ ବାଇଶି ପାହାଚ ତିଆରି କରାଇବାକୁ ଗଜପତିଙ୍କୁ ପରାମର୍ଶ ଦେଇଥିଲେ । ତଦନୁଯାୟୀ ମହାରାଜାଙ୍କ ନିର୍ଦେଶକ୍ରମେ ବାଇଶି ପାହାଚ ତିଆରି କାମ ଆରମ୍ଭ ହୋଇଥିଲା । ମାତ୍ର ତିଆରି ବେଳେ ଗୋଟିଏ ପାହାଚରେ ଝର ପଡିବା ଦେଖାଯାଇଥିଲା । ଯେତେ ଚେଷ୍ଟା କଲେ ବି ଝରଟି ବନ୍ଦ ହୋଇ ନଥିଲା। ଚାରିଆଡେ ଭାଳେଣି ପଡିଯାଇଥିଲା । ଏହାଦେଖି ଗଜପତି ମହାରାଜା ବିବ୍ରତ ହୋଇପଡିଥିଲେ । ଏହାର ପ୍ରତିକାର ଲାଗି ଗଜପତି ଭାନୁଦେବ ଜମେଶ୍ୱରଙ୍କ ଠାରେ ଅଧିଆ ପଡିଥିଲେ । ଗଜପତିଙ୍କୁ ସ୍ୱପ୍ନାଦେଶ ହେଲା । “ହେ ଭାନୁଦେବ! ସମୁଦ୍ର କୂଳକୁ ଯାଅ । ସେଠାରେ ଯାହା ପାଇବ, ତାକୁ ଆଣି ବାଇଶି ପାହାଚରେ ରଖିବ’ । ତଦନୁଯାୟୀ ଗଜପତି ପରଦିନ ସମୁଦ୍ରକୂଳକୁ ଯାଇ ଦେଖନ୍ତି, ସେଠାରେ ଗୋଟିଏ ମାଙ୍କଡା ପଥରଟିଏ ପଡିଛି । ମହାରାଜା ପଥରଟିକୁ ଉଠାଇ ଆଣି ବାଇଶି ପାହାଚର ଝର ସ୍ଥାନରେ ରଖିଦେବା ମାତ୍ରେ ଝରଟି ହଠାତ୍‌ ବନ୍ଦ ହୋଇଯାଇଥିଲା । ବାଇଶି ପାହାଚ ତିଆରି ହେବା ପରେ ମହାରାଜା ଭାନୁଦେବଙ୍କ ପୁଅର ରିଷ୍ଟ ମଧ୍ୟ ଖଣ୍ଡନ ହୋଇଯାଇଥିଲା। ଏହି ପୌରାଣିକ ତଥ୍ୟକୁ ଉଜ୍ଜୀବିତ କରି ରଖିବା ଲାଗି କୁନି କୁନି ପିଲାମାନଙ୍କୁ ଦୀର୍ଘାୟୁ କରିବା ସହିତ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବାକୁ କାମନା କରି ସେମାନଙ୍କୁ ଶ୍ରୀମନ୍ଦିରର ବାଇଶି ପାହାଚରେ ଗଡାଇବାର ପରମ୍ପରା ଏବେ ବି ଅକ୍ଷୁଣ୍ଣ ରହିଛି । ସେହିପରି ବାଇଶି ପାହାଚର ଦ୍ୱିତୀୟ ପାହଚଟି ହେଉଛି ପିତୃଲୋକଙ୍କର ପାହଚ ।
ପିତୃଲୋକ ଏହି ପାହାଚ ଅତିକ୍ରମ କରି ଆଉ ଦେବସ୍ଥାନ ଆଡକୁ ଯାଇପାରନ୍ତି ନାହିଁ। ପିତୃଲୋକ ଦ୍ୱିତୀୟ ପାହାଚ ଡେଇଁ ତୃତୀୟ ପାହାଚକୁ ଯିବା ଉପରେ ନିଷେଧ ରହିଛି । ଏହି ଦ୍ୱିତୀୟ ପାହାଚରେ ପିତୃଲୋକଙ୍କୁ ସ୍ମରଣ କରିବା କଥା । ଏହି ପାହାଚ କୋଣରେ ଲାଗିଥିବା ମାଙ୍କଡା ପଥରରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ମହାପ୍ରସାଦ ଅର୍ପଣ କରିଥାନ୍ତି । ଶ୍ରୀଜୀଉଙ୍କୁ ପହଣ୍ଡି ବେଳେ ଦର୍ଶନ କରିବା ଲାଗି ପିତୃଲୋକମାନେ ଉକ୍ତ ପାହାଚରେ ବର୍ଷସାରା ଅପେକ୍ଷା କରି ରହିଥାନ୍ତି । ରଥଯାତ୍ରା ସମୟରେ ଶ୍ରୀବିଗ୍ରହମାନେ ସେହି ପାହଚ ଉପର ଦେଇ ପହଣ୍ଡିରେ ଗଲେ ପିତୃଲୋକ ତୃପ୍ତି ଅନୁଭବ କରିବା ସହିତ ବିଷ୍ଣୁଲୋକକୁ ଗମନ କରିଥାନ୍ତି ।
(ତଥ୍ୟ: ବିଶିଷ୍ଟ ପ୍ରବଚକ ଶ୍ରୀ ସୂର୍ଯ୍ୟନାରାୟଣ ରଥଶର୍ମା ଓ ଉପସ୍ଥାପନା ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର

Leave A Reply