ମିଜୋରମକୁ ଖ୍ରୀଷ୍ଟିଆନ୍‍ ରାଜ୍ୟ ଦର୍ଶାଇ ରାଜ୍ୟପାଳଙ୍କୁ ବିରୋଧ

0

ନୂଆଦିଲ୍ଲୀ: ନିକଟରେ ଓଡ଼ିଶା ଓ ମିଜୋରମର ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ଭବନ ପକ୍ଷରୁ ନବ ନିଯୁକ୍ତି ଦିଆଯାଇଛି। ଓଡ଼ିଶାରେ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜ୍ୟପାଳ ଭାବରେ ନିଯୁକ୍ତି ଦିଆଯାଇ ଥିବାବେଳେ ମିଜୋରମରେ କୁମ୍ମାନମ୍‍ ରାଜଶେଖରନଙ୍କୁ ରାଜ୍ୟପାଳ ଭାବରେ ନିଯୁକ୍ତି ଦିଆଯାଇଛି। ଅବସରପ୍ରାପ୍ତ ଲେପ୍ଟନ୍ୟାଣ୍ଟ ଜେନେରାଲ ନିର୍ଭୟ ଶର୍ମାଙ୍କ କାର୍ଯ୍ୟକାଳ ସମ୍ପନ୍ନ ହେବା ପରେ ରାଜଶେଖରନଙ୍କୁ ରାଜ୍ୟପାଳ ଭାବରେ ରାଷ୍ଟ୍ରପତି ମନୋନୀତ କରିଛନ୍ତି। ହେଲେ ମିଜୋରମରେ ରାଜଶେଖରନଙ୍କୁ ରାଜ୍ୟପାଳ କରିବା ରାଜ୍ୟ ପାଇଁ କ୍ଷତିକାରକ ବୋଲି ଦର୍ଶାଯାଇ ଆନ୍ଦୋଳନ ଆରମ୍ଭ ହୋଇଛି। ଗ୍ଲୋବାଲ କାଉନସିଲ ଅଫ ଇଣ୍ଡିଆନ ଖ୍ରୀଷ୍ଟିଆନ୍‍ ଓ ପିପୁଲ୍ସ ରିପ୍ରେଜିଣ୍ଟେସନ୍‍ ଫର ଆଇଣ୍ଡେଟିଟି ଆଣ୍ଡ ସ୍ଟେଟସ୍‍ ଅଫ ମିଜରମ(ପିଆରଆଇଏସଏମ) ନାମକ ଦୁଇଟି ସଂଗଠନ ରାଜ୍ୟପାଳଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ପିଆରଆଇଏସଏମ୍‍ ପ୍ରାରମ୍ଭରେ ଏକ ସ୍ୱେଚ୍ଛାସେବୀ ସଂଗଠନ ଭାବରେ କାର୍ଯ୍ୟ କରୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ଏକ ରାଜନୈତିକ ଦଳରେ ପରିବର୍ତ୍ତିତ ହୋଇଥିଲା। ଉଭୟ ସଂଗଠନ ରାଜ୍ୟପାଳଙ୍କୁ ବିରୋଧ କରିବା ପ୍ରଚ୍ଛଦରେ ମୁଖ୍ୟ କାରଣ ରାଜଶେଖରନ ପୂର୍ବରୁ ଆରଏସଏସର ପ୍ରଚାରକ ଦାୟିତ୍ୱ ତୁଲାଇଛନ୍ତି ବେଲି ସେମାନେ ଅଭିଯୋଗ କରିଛନ୍ତି। ପିଆରଆଇଏସଏମ ଅଧ୍ୟକ୍ଷ ବନଲାଲରୁଆନା ନବ ନିଯୁକ୍ତ ରାଜ୍ୟପାଳଙ୍କୁ ଆଣ୍ଟି ସେକୁଲାର ଦର୍ଶାଇବା ସହ ସେ ଜଣେ ଆରଏସଏସ ଓ ବିଏଚପିର କାର୍ଯ୍ୟକର୍ତ୍ତା ବୋଲି ଉଲ୍ଲେଖ କରିଛନ୍ତି। ଏଭଳି କ୍ଷେତ୍ରରେ ସେ ଜଣେ ଖ୍ରୀଷ୍ଟିଆନ ବିରୋଧୀ ବ୍ୟକ୍ତି ବୋଲି ଅଭିଯୋଗ କରିଛନ୍ତି ବନଲାଲରୁଆନା। ଏ ସମ୍ପର୍କରେ ସେ ଗଣମାଧ୍ୟରେ ମିଜୋରମକୁ ଏକ ଖ୍ରୀଷ୍ଟିୟାନ ରାଜ୍ୟ ଭାବରେ ଉଲ୍ଲେଖ କରିବା ସହ ଚଳିତ ବର୍ଷର ଶେଷାର୍ଦ୍ଧରେ ମିଜୋରମରେ ନିର୍ବାଚନ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ। ଏଭଳି ପରିସ୍ଥିତିରେ ବିଜେପି ରାଜ୍ୟପାଳଙ୍କୁ ବ୍ୟବହାର କରିବ ବୋଲି ଶ୍ରୀ ବନଲାଲରୁଆନା ଆଶଙ୍କା ପ୍ରକାର କରିଛନ୍ତି। ଏ ସମ୍ପର୍କରେ ମିଜୋରମର ସମସ୍ତ ଚର୍ଚ୍ଚ ଓ ରାଜନୈତିକ ଦଳକୁ ପତ୍ର ଲେଖି ନବ ନିଯୁକ୍ତ ରାଜ୍ୟପାଳଙ୍କୁ ବିରୋଧ କରିବାକୁ ଶ୍ରୀ ବନଲାଲରୁଆନା ଆହ୍ୱାନ କରିଛନ୍ତି। ଶ୍ରୀ ବନଲାଲରୁଆନା ମିଜୋରମକୁ ଏକ ଖ୍ରୀଷ୍ଟିଆନ ରାଜ୍ୟ ବୋଲି ଉଲ୍ଲେଖ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave A Reply