ପୁଲିସ ଗାଡି ଉପରେ ଆତଙ୍କବାଦୀଙ୍କ ବୋମା ମାଡ଼: ୧୬ ଆହତ

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିଥିବା ସୀମାପାର୍‍ ଆତଙ୍କବାଦୀମାନେ ଇତିମଧ୍ୟରେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛନ୍ତି। ସେମାନେ ସୁରକ୍ଷାବାହିନୀ ସହିତ ସାଧାରଣ ନାଗରିକଙ୍କୁ ମଧ୍ୟ ନିଶାଣ କରିଛନ୍ତି। ସୋପିଆନ୍‍ ଜିଲା ଅନ୍ତର୍ଗତ ବାଟାପୋରା ଚୌକ୍‍ଠାରେ ପୁଲିସ ଗାଡି ଉପରେ ଆତଙ୍କବାଦୀ ବୋମା ମାଡ କରିବାରୁ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୯ ସାଧାରଣ ନାଗରିକ ଅଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଥିବାବେଳେ ସୁରକ୍ଷାବାହିନୀ ପକ୍ଷରୁ ଘଟଣାସ୍ଥଳକୁ ଘେରାଉ କରାଯାଇଛି। କିଛି ଦିନ ପୂର୍ବରୁ ଶ୍ରୀନଗରର ବାଦ୍‍ଶାହ ବ୍ରିଜ୍‍ ଉପର ଦେଇ ଯାଉଥିବା ସିଆର୍‍ପିଏଫ୍‍ର ଏକ ପାଟ୍ରୋଲିଂ ଗାଡି ଉପରେ ଆତଙ୍କବାଦୀମାନେ ବୋମା ମାଡ଼ କରିଥିଲେ। ଗତ ସପ୍ତାହଠାରୁ ଏହି ଆତଙ୍କବାଦୀମାନେ ରାଜ୍ୟର ସୁରକ୍ଷା ବାହିନୀ ଏବଂ ରାଜନେତାମାନଙ୍କ ଉପରେ କ୍ରମାଗତ ଆକ୍ରମଣ କରିଆସୁଛନ୍ତି।
ଅପରପକ୍ଷରେ ପାକିସ୍ତାନ ରେଞ୍ଜର୍ସ ଓ ବିଏସ୍‍ଏଫ ମଧ୍ୟରେ ପୁନର୍ବାର ସୀମାରେ ଅସ୍ତ୍ରବିରତି ସହିତ ଶାନ୍ତିରକ୍ଷା ପାଇଁ ବୈଠକ ଅନୁଷ୍ଠିତ ହୋଇଛି। କମାଣ୍ଡରସ୍ତରୀୟ ଏହି ବୈଠକ ସନ୍ତୋଷଜନକ ଥିବା ଉଭୟ ପକ୍ଷରୁ କୁହାଯାଇଛି। ସୀମାର ଦୁଇ ପାଖ ଅଞ୍ଚଳକୁ ଗୁଳିଗୋଳା ବର୍ଷଣରୁ ମୁକ୍ତ ରଖିବା ପାଇଁ ଉଭୟପକ୍ଷ ରାଜି ହୋଇଛନ୍ତି। ଏହାଛଡ଼ା ୨୦୦୩ର ଅସ୍ତ୍ରବିରତି ରାଜିନାମାକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ କରିବାକୁ ଉଭୟ ପକ୍ଷ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ତାରିଖରେ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ବୋଲି ବୈଠକ ପରେ କୁହାଯାଇଛି।
ସେପଟେ ପାକିସ୍ତାନ ସରକାର ଅସ୍ତ୍ରବିରତି ଉଲ୍ଲଙ୍ଘନ ପ୍ରସଙ୍ଗରେ ଭାରତର ଅଭିଯୋଗ ଉପରେ ମତ ରଖି କହିଛନ୍ତି ଯେ ପଡ଼ୋଶୀ ରାଷ୍ଟ୍ର ସହିତ ଯୁଦ୍ଧ କରିବାର ସାମାନ୍ୟତମ ସମ୍ଭାବନା ନାହିଁ। ପାକିସ୍ତାନୀ ସେନାର ମେଜର ଜେନେରାଲ ଆସିଫ ଗଫୁର ଅଭିଯୋଗ କରିଛନ୍ତି ଯେ ଭାରତ ପକ୍ଷରୁ ଇତିମଧ୍ୟରେ ୧୦୭୭ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଗଲାଣି।

Leave A Reply