ଭଦ୍ରକ: ନିର୍ବାପିତ ହୋଇଯାଇଛି ମୁକ୍ତି ସଂଗ୍ରାମର ଏକ ଦେଦୀପ୍ୟମାନ ଶିଖା। ଯବନୀକା ପଡ଼ିଛି ଦେଶପ୍ରେମକୁ ନେଇ ଉଦ୍ଦୀପନାରେ ସଦା ଉଛଳ ଏକ ସୁଦୀର୍ଘ ଜୀବନର। ଇତି ଘଟିଛି ତ୍ୟାଗ, ସଂଘର୍ଷ ଓ ସେବାର ଗୋଟିଏ ଜ୍ୱଳନ୍ତ ଉଦାହରଣର। ଧରା ଧାମରେ ଦୀର୍ଘ ୧୦୩ ବର୍ଷରୁ ଊଦ୍ଧ୍ୱର୍ କାଳ ବିତାଇଥିବା ସେହି ମଣିଷ ଜଣକ ଥିଲେ ଏକ ଜୀବନ୍ତ ଇତିହାସ। ଅବର୍ତ୍ତମାନରେ ବି ସେ ରହିଥିବେ କେତେ କାହାଣୀର ଇତିହାସ ହୋଇ। ଜୀବନ ଦୀପ ଲିଭିଯାଇଥିଲେ ବି ଆଗାମୀ ପିଢ଼ିମାନଙ୍କ ପାଇଁ ସେ ପ୍ରେରଣାର ଆଲୋକ ବର୍ତ୍ତିକା ହୋଇ ରହିଥିବେ। ସେ ହେଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୌର ଚନ୍ଦ୍ର ମହାପାତ୍ର। ଆଜି ସନ୍ଧ୍ୟା ୫ଟା ୫୫ ମିନିଟ ସମୟରେ ଭଦ୍ରକ ହସପିଟାଲରେ ୧୦୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ସବୁଠି ଶୋକର ଛାୟା ଖେଳିଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଶୋକବାର୍ତ୍ତାରେ କହିଛନ୍ତି ଯେ ଗୌରଚନ୍ଦ୍ର ମହାପାତ୍ର ଜଣେ ସଚ୍ଚା ଗାନ୍ଧୀବାଦୀ ନେତା ଭାବେ ଗାନ୍ଧୀ ମୂଲ୍ୟବୋଧର ପ୍ରସାର ତଥା ସାମାଜିକ ପ୍ରଗତି ଦିଗରେ ସାରା ଜୀବନ ସମର୍ପିତ ରହଥିଲେ। ତାଙ୍କ ବିୟୋଗରେ ମୁକ୍ତି ସଂଗ୍ରାମର ଶେଷ ସ୍ତମ୍ଭର ପତନ ହୋଇଛି। ସ୍ୱର୍ଗତ ଗୌର ଚନ୍ଦ୍ରଙ୍କର ପତ୍ନୀ ମୀରା ଦେବୀ, ୯ ଜଣ ପୁଅ ଓ ୪ ଜଣ ଝିଅ ଅଛନ୍ତି।
ଗୌରଚନ୍ଦ୍ର ହେଉଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସୁପୁତ୍ର ତଥା ପୂର୍ବତନ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ ସାନଭାଇ। ୧୯୧୫ ମସିହା ଜୁନ ୧୯ ତାରିଖରେ ଭଦ୍ରକ ସହରର ‘ଭାଗବତ ଭବନ’ରେ ତାଙ୍କର ଜନ୍ମ। ସେ ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ଓ ଭଦ୍ରକ କଲେଜରୁ ସ୍ନାତକ ପାସ କରିଥିଲେ। କାନ୍ତକବିଙ୍କ ଦ୍ୱାରା ପ୍ରତିଷ୍ଠିତ ଡଗର ପତ୍ରିକାର ପ୍ରକାଶକ ଭାବେ ବ୍ରିଟିଶ ପୁଲିସ ଦ୍ୱାରା ଗିରଫ ହୋଇ କାରାବରଣ କରିଥିଲେ ଗୌରଚନ୍ଦ୍ର। ଜଣେ ଗାନ୍ଧୀବାଦୀ ମଣିଷ ତଥା ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ବେଶ ସୁଖ୍ୟାତି ଅର୍ଜିଥିଲେ। ଭାରତ ଛାଡ ଆନ୍ଦୋଳନ ସମୟରେ କଟକ ଓ ବ୍ରହ୍ମପୁର ଜେଲରେ ବନ୍ଦୀ ହୋଇ ରହିଥିବାବେଳେ ଗୌରଚନ୍ଦ୍ର ଅନେକ କବିତା ଓ ହାସ୍ୟ ରସାତ୍ମକ ସାହିତ୍ୟ ସୃଷ୍ଟି କରିଥିଲେ। ତାଙ୍କରି ଉଦ୍ୟମରେ ବ୍ରହ୍ମପୁର ଜେଲରୁ ହାସ୍ୟ ରସାତ୍ମକ ହାତଲେଖା ‘ବିଦୂଷକ’ ପ୍ରକାଶ ପାଇଥିଲା। ଜୀବନବ୍ୟାପୀ ଗାନ୍ଧୀ ଆଦର୍ଶର ପ୍ରଚାର କରୁଥିଲେ ଗୌରଚନ୍ଦ୍ର। ସେଥି ପାଇଁ ରାଜନୀତିରେ ପ୍ରବେଶ କରି ନ ଥିଲେ ବି ଅନ୍ୟ ବୃତ୍ତି ଗ୍ରହଣ କରି ନ ଥିଲେ। ଶିକ୍ଷକତାକୁ ବୃତ୍ତି ଭାବେ ଗ୍ରହଣ କରିଥିଲେ। ସେ ଓଡ଼ିଆ ଭାଷା ସାହିତ୍ୟକୁ ମଧ୍ୟ ବହୁ ଉପାଦେୟ ପୁସ୍ତକ ଭେଟି ଦେଇଛନ୍ତି। ଶାସନର ଚକ ତଳେ, ହରିଜନ ଗୀତ, ଏଇ ଦେଶେ ମୋର ଘର, ଆମ ଗାଁ, ଗାଁ ମାଟି ଡାକେ, କିଛି ଅଭୁଲା ସ୍ମୃତି, ଆତ୍ମଜୀବନୀ ଯେତିକି ମନେପଡେ, ନାଟକ ସେବା ସଂଘ ଇତ୍ୟାଦି ସମତେ ଆହୁରି ଅନେକ ତାଙ୍କ ସାହିତ୍ୟ ସୃଷ୍ଟିର ସେ ଥିଲେ ସ୍ରଷ୍ଟା। ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଦ୍ୱାରା ସେ ସମ୍ବର୍ଦ୍ଧିତ ହୋଇଥିଲେ। ରାଜ୍ୟର ଶତାଧିକ ଅନୁଷ୍ଠାନ ଦ୍ୱାରା ସେ ସମ୍ବର୍ଦ୍ଧିତ ହୋଇଥିଲେ।
ପରଲୋକରେ ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ର
Popular Categories



