www.samajalive.in
Friday, December 5, 2025
20.1 C
Bhubaneswar

ଧାମରାରେ ହେବ ବାଣିଜ୍ୟିକ ବିମାନବନ୍ଦର

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନ ଓ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ଧାମରାଠାରେ ବାଣିଜ୍ୟିକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ ଧାମରା ବନ୍ଦର ଏବଂ ପାରିପାର୍ଶ୍ବିକ ଅଞ୍ଚଳ ବିକାଶ ସମ୍ବନ୍ଧୀୟ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ସମୀକ୍ଷା ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଧାମରାଠାରେ ଏକ ଉଚ୍ଚ ମାନର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ଧାମରାଠାରେ ଏକ ବନ୍ଦର ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିନିମନ୍ତେ ଜମି ନିର୍ଦ୍ଧାରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସେ ଭଦ୍ରକ ଜିଲାପାଳଙ୍କୁ ନିର୍ଦେଶ ଦେଇଥିଲେ।
ଜାମୁଝାଡ଼ି-ଧାମରା ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ କରିବାକୁ ଶ୍ରୀ ପାଢ଼ୀ ପୂର୍ତ୍ତ ସଚିବଙ୍କୁ ନିର୍ଦେଶ ଦେବା ସହିତ ନିର୍ମାଣ ପୂର୍ବରୁ ଏବଂ ନିର୍ମାଣ ସମୟରେ ଉକ୍ତ ରାସ୍ତାକୁ ଯାତାୟାତ ଯୋଗ୍ୟ କରିବାକୁ ମରାମତି କାର୍ଯ୍ୟ ୧୫ଦିନ ମଧ୍ୟରେ ସାରିବାକୁ ପରାମର୍ଶ ଦେଇଥିଲେ। ଧାମରା ବନ୍ଦର ଅଞ୍ଚଳରେ ଏକ ପୁଲିସ ଷ୍ଟେସନ ଓ କମ୍ୟୁନିଟି ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା। ଏଥିପାଇଁ ଆବଶ୍ୟକ ପ୍ରଶାସନିକ ଏବଂ ବୈଷୟିକ ସହାୟତା ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।
ଇତିମଧ୍ୟରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହାୟତାରେ ଧାମରାଠାରେ କେନ୍ଦ୍ରୀୟ ମାଧ୍ୟମିକ ବୋର୍ଡ଼(ସିବିଏସଇ) ଅନୁମୋଦିତ ଏକ ଉଚ୍ଚ ମାନର ବିଦ୍ୟାଳୟ କାର୍ଯ୍ୟକ୍ଷମ କରାଯାଇଛି। ଉଦ୍ୟୋଗ ସାମାଜିକ ଦାୟିତ୍ୱବୋଧ(ସିଏସଆର) କାର୍ଯ୍ୟକ୍ରମ ବାବଦରେ ଧାମରା ବନ୍ଦର କର୍ତ୍ତୃପକ୍ଷ ଗତ ୪ବର୍ଷରେ ପ୍ରାୟ ୧୯କୋଟି ଟଙ୍କା ବିନିଯୋଗ କରିଛନ୍ତି ଏବଂ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାୟ ୯କୋଟି ଟଙ୍କା ପ୍ରାବଧାନ କରିଛନ୍ତି ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ କହିଥିଲେ। ସିଏସଆର ଅର୍ଥକୁ ଆବଶ୍ୟକତା ଭିତ୍ତିକ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ବିକାଶ ଏବଂ ନୂତନ ଜୀବିକା ନିର୍ବାହ ପନ୍ଥା ସୃଷ୍ଟି ଆଦି ପ୍ରକଳ୍ପରେ ବିନିଯୋଗ କରିବା ପାଇଁ ଶ୍ରୀ ପାଢ଼ୀ ପରାମର୍ଶ ଦେଇଥିଲେ। ବୈଠକରୁ ଜଣାପଡ଼ିଛି ଯେ ଧାମରା ବନ୍ଦର ନିର୍ମାଣ ଓ ବିକାଶରେ ବନ୍ଦର କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୮୦୦୦କୋଟି ଟଙ୍କା ବିନିଯୋଗ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବନ୍ଦରରେ ୨୫ନିୟୁତ ଟନ୍‍ କାର୍ଗୋ କାରବାର କ୍ଷମତା ବିଶିଷ୍ଟ ୨ଟି ଆମଦାନୀ ଓ ରପ୍ତାନି ବର୍ଥ କାର୍ଯ୍ୟକ୍ଷମ ରହିଛି। ୧୮କିମି ପର୍ଯ୍ୟନ୍ତ ‘ନାଗିଭେସନ ଚାନେଲ’ ପ୍ରସ୍ତୁତ କରାଯାଇଛି ଏବଂ ୬୨ କିମି ପାଣିଜ୍ୟ କରିଡ଼ୋର ନିର୍ମାଣ କରାଯାଇଛି। ୨୦୧୭-୧୮ ମସିହାରେ ଏହି ବନ୍ଦର ମାଧ୍ୟମରେ ସମୁଦାୟ ୨୧.୪୩ନିଯୁତ ଟନର ପଦାର୍ଥ ଆମଦାନୀ ଓ ରପ୍ତାନି କରାଯାଇଛି।
ଶିଳ୍ପାଞ୍ଚଳ ପ୍ରତିଷ୍ଠା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୫୦୦ଏକର ଜାଗା ଏବଂ ବିମାନବନ୍ଦର ପ୍ରତିଷ୍ଠା ପାଇଁ ୪୪୪ ଏକର ଜାଗା ଚିହ୍ନଟ କରାଯାଇଛି ବୋଲି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭଦ୍ରକର ଜିଲାପାଳ ଜ୍ଞାନରଞ୍ଜନ ଦାସ ଜଣାଇଥିଲେ। ଧାମରା ଅଞ୍ଚଳରେ ଥିବା ସରକାରୀ ଜମିର ସୀମା ଚିହ୍ନଟ କରି ସେସବୁକୁ ଜବରଦଖଲମୁକ୍ତ ରଖିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ଜିଲାପାଳ ଓ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ।
ବୈଠକରେ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ,ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ଶାସନ ସଚିବ ମନୋଜ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଡ.ଚନ୍ଦ୍ରଶେଖର କୁମାର, ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories