www.samajalive.in
Friday, December 5, 2025
27.1 C
Bhubaneswar

ରାତି ୧୧ଟା ପୂର୍ବରୁ ବନ୍ଦ ହେବନି ଶ୍ରୀମନ୍ଦିର

ପୁରୀ: ରାତି ୧୧ଟା ପୂର୍ବରୁ ବନ୍ଦ ହେବନି ଶ୍ରୀମନ୍ଦିର ସିଂହଦ୍ୱାର। ପ୍ରତ୍ୟହ ସକାଳ ୫ଟା ସୁଦ୍ଧା ମନ୍ଦିର ଦ୍ୱାର ଫିଟାଯିବ। ଶ୍ରୀଜୀଉଙ୍କ ଦୈନନ୍ଦିନ ସେବାପୂଜା ଶୃଙ୍ଖଳିତ କରିବାକୁ ନୀତି ସବ୍‍କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସେଥିରେ ଅଧ୍ୟକ୍ଷତା କରିଥିଲେ। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଦିନ ୧୦ଟା ୩୦ସୁଦ୍ଧା ଭୋଗମଣ୍ଡପ ନୀତି ସମ୍ପନ୍ନ ହେବ। ଭକ୍ତମାନେ ଆନନ୍ଦବଜାରରେ ଅନ୍ନମହାପ୍ରସାଦ ପାଇପାରିବେ। ସନ୍ଧ୍ୟା ୬ଟା ୧୦ରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହେବ। ରାତି ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଶ୍ରୀଜୀଉଙ୍କ ବଡ଼ସିଂହାର ବେଶ ଏବଂ ବଡ଼ସିଂହାର ଭୋଗ କରାଯିବ। ପାଳିଆ ସେବକମାନେ ନୂଆ ନୀତିନିର୍ଘଣ୍ଟ ଅନୁଯାୟୀ କାର୍ଯ୍ୟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି। ଶ୍ରୀଜୀଉଙ୍କ ଅଦରକାରୀ ଘୋଡ଼ବସ୍ତ୍ରଗୁଡ଼ିକ ଆଉ ବ୍ୟବହାର କରାନଯାଇ କୋଇଲି ବୈକୁଣ୍ଠରେ ପୋତା ଯିବାକୁ ସ୍ଥିର କରାଯାଇଛି। ଶ୍ରୀମନ୍ଦିର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟରେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାନଯିବା ପାଇଁ ସେବକ ପ୍ରତିନିଧି ପରାମର୍ଶ ଦେଇଛନ୍ତି। ଗତ ଜୁଲାଇ ୧୬ତାରିଖରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଜଣେ ମହିଳା ଅଧିକାରୀ ଜଗମୋହନ ଏବଂ ଗର୍ଭଗୃହ ଛାତ ଅନୁଧ୍ୟାନ କରିବାକୁ ଆସିଥିଲେ। ଏହାଦ୍ୱାରା ପରମ୍ପରା ଉଲ୍ଲଘଂନ ହେବା ଆଶଙ୍କା କରି ତାଙ୍କୁ ଅନୁମତି ଦିଆଯାଇ ନଥିଲା। ଏହି ପ୍ରସଙ୍ଗ ମଙ୍ଗଳବାର ନୀତି ସବ୍‍କମିଟି ବୈଠକରେ ଉଠିଥିଲା। ମହିଳା ଅଧିକାରୀଙ୍କ ପରିବର୍ତ୍ତେ ପୁରୁଷ ଅଧିକାରୀଙ୍କ ଦ୍ୱାରା ମରାମତି କାର୍ଯ୍ୟ ଅନୁଧ୍ୟାନ ପାଇଁ ସେବକ ପରାମର୍ଶ ଦେଇଛନ୍ତି।
ଶ୍ରୀଜୀଉଙ୍କ କୃଷ୍ଣ ବଳରାମ ବେଶ ଏବଂ ଗଜ ଉଦ୍ଧାରଣ ବେଶରେ ନିୟୋଜିତ ସେବକଙ୍କ ପାଉଣା ବୃଦ୍ଧି ପାଇଁ ସ୍ଥିର କରାଯାଇଛି। ଦୀର୍ଘ ୩୩ବର୍ଷ ପରେ ପାଉଣା ବୃଦ୍ଧି ନିମନ୍ତେ ପ୍ରଶାସନ ରାଜି ହୋଇଛି। ସାହାଣମେଲା ତଥା ପର୍ବପର୍ବାଣିଗୁଡ଼ିକରେ ଭକ୍ତଙ୍କ ଗହଳି ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ଅଧିକ ପ୍ରତିହାରୀ ସେବକ ନିୟୋଜିତ କରାଯିବ। ୩୦ଜଣ ପ୍ରତିହାରୀ ପ୍ରତ୍ୟହ ସକାଳ ମଙ୍ଗଳ ଆଳତିଠାରୁ ମହାପ୍ରଭୁଙ୍କ ରାତ୍ରପହୁଡ଼ ପର୍ଯ୍ୟନ୍ତ ଭିତରକାଠ, ଜୟବିଜୟ ଦ୍ୱାର ଏବଂ ବେହେରଣଦ୍ୱାର ପାଖରେ ରହି ଶୃଙ୍ଖଳା ରକ୍ଷା କରିବେ। ଦିନକୁ ଅନ୍ୟୂନ ୨ଥର ଟିକଟ ଦର୍ଶନ କରାଯିବା ସମ୍ପର୍କରେ ଆଲୋଚନା ହୋଇଛି। ତେବେ ଏହା କେବେଠାରୁ କାର୍ଯ୍ୟକାରୀ କରାଯିବ ଏବଂ ଟିକଟ ମୂଲ୍ୟ କେତେଟଙ୍କା ରଖାଯିବ ସେଥିନେଇ ନିଷ୍ପତ୍ତି ହୋଇପାରି ନାହିଁ। ବିଭିନ୍ନ ପର୍ବପର୍ବାଣିରେ ସର୍ବଯାତ୍ରା ଯୋଗାଣିଆ ଯୋଗାଇ ଆସୁଥିବା ନଡ଼ିଆ, ପଇଡ, କ୍ଷୀର, ସର, ଛେନା, ଦହି ଏବଂ ପାଚିଲା କଦଳୀ ଦର ବୃଦ୍ଧି କରାଯାଇଛି। କୋଠଭୋଗ ଗୋଦାମ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ସ୍ଥିର ହୋଇଛି।
ନୀତି ସବ୍‍କମିଟିର ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟମାନେ ପାଟ୍ଟଯୋଶୀ ମହାପାତ୍ର, ଭିତରଛୁ ମହାପାତ୍ର ଓ ତଳୁଛ ମହାପାତ୍ରଙ୍କୁ ମନୋନୀତ କରାଯାଇଛି। ଜିଲାପାଳ ଜ୍ୟୋତିପ୍ରକାଶ ଦାସ, ଆରକ୍ଷୀ ଅଧୀକ୍ଷକ ଡା. ସାର୍ଥକ କୁମାର ଷଡ଼ଙ୍ଗୀ, ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶଙ୍କ ସମେତ ବିଭିନ୍ନ ସେବକ ନିଯୋଗ କର୍ମକର୍ତ୍ତା ଏବଂ ପରିଚାଳନା କମିଟି ସଭ୍ୟ ବୈଠକରେ ଉପସ୍ଥିତ ଥିଲେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories