www.samajalive.in
Saturday, December 6, 2025
15.1 C
Bhubaneswar

ନିରବ ମୋଦିଙ୍କ ପାସପୋର୍ଟ ରଦ୍ଦ, ସକ୍ରିୟ ଇଣ୍ଟରପୋଲ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ହୋଇଥିବା ୧୧,୫୦୦ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦି ଏବଂ ତାର ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିରବ ମୋଦି ଏବଂ ତାର ସହଯୋଗୀ ମେହୁଲ ଚୌକସିଙ୍କ ପାସପୋର୍ଟକୁ ସାମୟିକ ଭାବେ ୪ ସପ୍ତାହ ପାଇଁ ରଦ୍ଦ କରିଦେଇଛି । ଦେଶରେ ନିରବ ମୋଦିଙ୍କ ଥିବା ୧୨ରୁ ଊର୍ଦ୍ଧ୍ବ ଗୃହ ଓ କାର୍ଯ୍ୟାଳୟ ଉପରେ ଗତକାଲି ଚଢଉ କରାଯାଇଥିଲା। ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି)ର ଅଧିକାରୀମାନେ ସେଠାରେ ଉପସ୍ଥିତ ଅଛନ୍ତି । ଏପର୍ଯ୍ୟନ୍ତ ନିରବ ମୋଦିଙ୍କ ୫୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ମୁମ୍ବଇର କାଲା ଘୋଡ଼ା ଅଞ୍ଚଳରେ ନିରବ ମୋଦିଙ୍କ ସୋରୁମ୍‌ ଉପରେ ଗତକାଲି ଚଢଉ କରାଯାଇଥିଲା । ଏବେ ଇଡ଼ିର ଅଧିକାରୀମାନେ ସେଠାରେ ଉପସ୍ଥିତ ରହି ତଲାସୀ ଜାରି ରଖିଛନ୍ତି । ନିରବ ମୋଦିଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍‌ ଆଉଟ ନୋଟିସ୍‌ ଜାରି କରାଯାଇଛି। ଏହାସହ ମେହୁଲ ଚୌକସିଙ୍କ ଗୀତାଞ୍ଜଳି ଗ୍ରୁପ୍‌ର ୬ଟି ରାଜ୍ୟରେ ଥିବା ୨୦ଟି ଠିକଣା ଉପରେ ଚଢଉ କରାଯାଇଛି । ସିବିଆଇ ଏହି ଘଟଣାରେ ଜାଲ କାଗଜପତ୍ର ପ୍ରସ୍ତୁତିର ମାଷ୍ଟରମାଇଣ୍ଡ କୁହାଯାଉଥିବା ଗୋକୁଳନାଥ ଶେଟ୍ଟୀଙ୍କ ଘର ଉପରେ ଚଢଉ କରିଛି । ସିବିଆଇ ପକ୍ଷରୁ ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ମେହୁଲ ଚୌକସିଙ୍କ ଗୀତାଞ୍ଜଳି କମ୍ପାନୀ ବିରୋଧରେ ଏକ ମାମଲା ଦାୟର କରାଯାଇଛି । ସେପଟେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହି ମାମଲାରେ ସଂପୃକ୍ତ ୧୮ କର୍ମଚାରୀଙ୍କୁ ନିଲମ୍ବିତ କରିଛି । ଠକେଇର ଅଭିଯୁକ୍ତ ନିରବ ମୋଦି, ତାଙ୍କ ପତ୍ନୀ ଓମି ମୋଦି, ଭାଇ ନିଶାଲ ମୋଦି ଏବଂ ଗୀତାଞ୍ଜଳିର ପ୍ରମୋଟର ମେହୁଲ ଚୌକସିଙ୍କୁ ଧରିବା ପାଇଁ ଇଣ୍ଟରପୋଲକୁ ଡିଫ୍ୟୁଜନ ନୋଟିସ୍‌ ଜାରି କରାଯାଇଛି । ଏହି ମାମଲାରେ ନିରବ ମୋଦି ଓ ମେହୁଲ ଚୌକସିଙ୍କୁ ସପ୍ତାହେ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି । ଯଦି ନିର୍ଦ୍ଧାରିତ ସମୟରେ ଉଭୟ ଉପସ୍ଥିତ ନହେବେ ତେବେ ବିଦେଶ ମନ୍ତ୍ରଣାଳୟ ସେମାନଙ୍କ ପାସପୋର୍ଟକୁ ସମ୍ପୂର୍ଣ୍ଣ ରଦ୍ଦ କରିଦେବ ବୋଲି କୁହାଯାଇଛି । ସିବିଆଇ ନିରବ ମୋଦିଙ୍କୁ ୟୁରୋପ ଏବଂ ଆମେରିକାରେ ଖୋଜୁଛି। ଏହାବାଦ ନିରବ ମୋଦିଙ୍କ ହଂକଂସ୍ଥିତ ଠିକଣା ଉପରେ ସିବିଆଇ ନଜର ରଖିଛି। ଡିଫ୍ୟୁଜନ ନୋଟିସ୍‌ ପରେ ଇଣ୍ଟରପୋଲ ଅଭିଯୁକ୍ତଙ୍କୁ ଧରିବା ପାଇଁ ସକ୍ରିୟ ହୋଇ ଉଠିଛି। ଫଳରେ ଖୁବଶୀଘ୍ର ନିରବ ମୋଦିଙ୍କୁ ଠାବ୍‌ କରାଯିବ ବୋଲି ଆଶା କରାଯାଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories