ଧାମରାରେ ଉପକୂଳ ସୁରକ୍ଷାଭ୍ୟାସ ସାଗର ବିଜଲି-୨୦୧୯
ଧାମରା : ଓଡିଶା ଉପକୂଳକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ,ରାଜ୍ୟ ପୁଲିସ,ଭରତୀୟ ନେଭି ଏବଂ ଏମାନଙ୍କୁ ସହଯୋଗର ହାତ ବଢାଇଛି ଆନ୍ଧ୍ର ଏବଂ ପଶ୍ଚିମବଙ୍ଗ ପୁଲିସ ଆଗେଇ ଆସିଛନ୍ତି । ଦିନକୁ ଦିନ ରାଜ୍ୟ ସୀମାନ୍ତରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢି ବଢି ଚାଲିଛି। ଏମାନଙ୍କୁ ପ୍ରତିହିତ କରିବା ପାଇଁ ସୁରକ୍ଷାଭ୍ୟାସ ସାଗର ବିଜଲୀ -୨୦୧୯ ଆରମ୍ଭ ହୋଇଛି। ମୁମ୍ବାଇ ୨୬ ନଭେମ୍ବର ୨୦୧୧ ମସିହାରେ ହୋଇଯାଇଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହିତ କରିବା ତଥା ଆତଙ୍କବାଦୀମାନଙ୍କୁ ସମୂଳେ ଲୋପ କରିବା ଏଇ କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ। ଓଡିଶା ସରକାରଙ୍କ ତରଫରୁ ୨୦୧୯-୨୦ମସିହା ପାଇଁ ଉପକୂଳବର୍ତୀ ଅଞ୍ଚଳ ଯଥା-ଭଦ୍ରକର (ଧାମରା), ପାରାଦ୍ୱୀପ, କେନ୍ଦ୍ରାପଡା, ବାଲେଶ୍ୱର ଜିଲ୍ଲାରେ ମଙ୍ଗଳବାର ସକାଳ୬ଟାରେ ଉପକୂଳ ସୁରକ୍ଷାଭ୍ୟାସ ଆରମ୍ଭ ହୋଇଛି। ଏହି ସୁରକ୍ଷାଭ୍ୟାସ ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନେଭି, ଆନ୍ଧ୍ର ପୁଲିସ, ପଶ୍ଚିମବଙ୍ଗ ଏବଂ ଓଡିଶା ପୁଲିସଙ୍କ ମିଳିତ ସହଯୋଗରେ ଆରମ୍ଭ ହୋଇଛି। ଏଥିପାଇଁ ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଭାରତୀୟ ନେଭିର କିଛି ସଦସ୍ୟ ଗୁପ୍ତଚର(ବ୍ଲୁ ଫୋର୍ସ) ହିସାବରେ ଧାମରା ଅଞ୍ଚଳକୁ ଆସନ୍ତି, ଅନ୍ୟଦଳଟିରେ ଯଥା ଧାମରା ପୁଲିସ ଏବଂ ଭଦ୍ରକ ଜିଲ୍ଲା ପୁଲିସ ଧାମରା ଉପକୂଳ ଅଞ୍ଚଳ ଯଥା-ଧାମରା, ଧାମରା ପୋର୍ଟ କମ୍ପାନୀ ଲିମିଟେଡ, ଧାମରା ମତ୍ସ୍ୟପୋତାଶ୍ରୟ, ଚନ୍ଦନୀପାଳ, କରଞମାଳ, ବାଲିମୁଣ୍ଡା, କସିଆ, ଚୁଡାମଣୀ ଜେଟି, ଚୁଡାମଣି ଘାଟ ଏବଂ ବାସୁଦେବପୁର ଠାରେ ସାଦା ପୋଷାକରେ ପହରା ଦେଉଥାନ୍ତି। ଯଦି ଗୁପ୍ତଚରମାନେ(ବ୍ଲୁ ଫୋର୍ସ) ଆସି ନିର୍ଧାରିତ ହୋଇଥିବା ସ୍ଥାନରେ ବିନା କିଛି ବାଧା ବିଘ୍ନରେ ପହଞ୍ଚିଯାଆନ୍ତି ତାହେଲେ ଗୋଇନ୍ଦା ବିଭାଗ ସଜାଗ ନାହିଁ ବୋଲି ଧରାଯାଏ। ଯଦି ନିର୍ଧାରିତ ହୋଇଥିବା ସ୍ଥାନରେ ପଂହଚିବା ପୂର୍ବରୁ ପହରା ଦେଉଥିବା ସାଦା ପୋଷାକ ପରିହିତ ପୁଲିସ (ରେଡ ଫୋର୍ସ) ସେମାନଙ୍କୁ ଧରିନିଏ ତାହେଲେ ଉପକୂଳବର୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଠିକ ଅଛି ବୋଲି ଧରିନିଆଯାଏ। ଆଜିର ଏହି ସୁରକ୍ଷାଭ୍ୟାସରେ ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ, ଏବଂ ସେମାନଙ୍କର ଧାମରା ଠାରେ ନିୟୋଜିତ ହୋଇଥିବା ୨ଟି ବୋଟ, ଚୁଡାମଣୀ ଠାରେ ଥିବା ୨ଟି ସ୍ପିଡ ବୋଟ, କଷ୍ଟମ ବିଭାଗର ବୋଟ ସାମିଲ ହୋଇଥିବା ବେଳେ ଏହି ଷ୍ଟାଇକିଂ ଫୋର୍ସର ଟେକନିକାଲ ଷ୍ଟାଫଙ୍କ ସମେତ ଧାମରା ମେରାଇନ ପୁଲିସ, ବାଂଶଡା ପୁଲିସ, (ରେଡ ଫୋର୍ସ) ଡ୍ୟୁଟି ଆରମ୍ଭ କରିଥିଲେ। ସେମାନେ ଧାମରାରୁ ବାହାରି ଚନ୍ଦନୀପାଳ, ଧାମରା ପ୍ରତିରକ୍ଷାଘାଟୀ, କରଞମାଳ, କରଣପଲ୍ଲୀ, ବାଲିମୁଣ୍ଡା, ବାବୁବାଲି, ତାଳଚୁଆ ପ୍ରଭୃତି ସ୍ଥାନ ମାନଙ୍କରେ ପଇଁତରା ମାରି ବାସୁଦେବପୁର ଠାରେ ଥିବା କସିଆ ପର୍ଯ୍ୟନ୍ତ ଯାଇଥିଲେ ମାତ୍ର ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନେଭି, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ର ପୁଲିସ ମାନଙ୍କ ତରଫରୁ ଗଠିତ ହୋଇଥିବା ବ୍ଲୁ ଫୋର୍ସ (ଗୁପ୍ତଚର ଦଳ) ମାନଙ୍କୁ ଠାବ କରିଥିଲେ ମଧ୍ୟ ସେମାନଙ୍କୁ ଖୋଜି ପାଇବାରେ ସଫଳ ହୋଇନଥିଲେ। ଆଜିର ଏହି ସାଗର କବଚରେ ଧାମରା ଠାରେ ଆରମ୍ଭ ହୋଇଥିବା ବେଳେ ଧାମରା ମତ୍ସ୍ୟପୋତାଶ୍ରୟ ଠାରେ ଜଣେ ସବଇନସପେକ୍ଟର ସମେତ ୬ଜଣ କନେଷ୍ଟବଳ,ଧାମରା ବନ୍ଦର ନିକଟବର୍ତୀ ଅଂଚଳରେ ଜଣେ ସବଇନସପେକ୍ଟରଙ୍କ ସମେତ ୬ଜଣ କନେଷ୍ଟବଳ, ଚନ୍ଦନୀପାଳ ପ୍ରତିରକ୍ଷା ଘାଟି ଠାରେ ଜଣେ ସହକାରୀ ସବଇନସପେକ୍ଟରଙ୍କ ସହ ୩ଜଣ, କସିଆ ଠାରେ ୪ଜଣ, ଚୁଡାମଣୀ ଜେଟିରେ ୪ଜଣ ଏବଂ ଚୁଡାମଣୀ ଘାଟ ଠାରେ ୪ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ ମଧ୍ୟ ଆଜି ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ବ୍ଲୁ ଫୋର୍ସଙ୍କୁ ଠାବ କରିବାରେ ସଫଳ ହୋଇ ପାରି ନଥିଲେ ବୋଲି ଜଣାଯାଇଛି।