www.samajalive.in
Saturday, December 6, 2025
14.1 C
Bhubaneswar

ଦେଶବାସୀଙ୍କୁ ଇନ୍ଧନ ନିଆଁରେ କଲବଲ କରୁଛନ୍ତି ମୋଦୀ : ନିରଞ୍ଜନ

ଭୁବନେଶ୍ୱର: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଗତ ସାଢ଼େ ୪ବର୍ଷ ଧରି ଦେଶବାସୀଙ୍କୁ ଚକମା ଦେଖାଇ ଚାଲିଛି। କେତେବେଳେ କଳାଟଙ୍କା ଫେରାଇ ଆଣିବୁ ତ ଆଉ କେତେବେଳେ ସବୁ ଆକାଉଣ୍ଟରେ ୧୫ଲକ୍ଷ ଜମା କରିଦେବୁ ଏମିତି ପୁଳା ପୁଳା ମିଛ କହି ଦେଶବାସୀଙ୍କୁ ଠକି ଚାଲିଛନ୍ତି। ବିଦେଶୀ ରାଷ୍ଟ୍ରକୁ ଶସ୍ତାରେ ଇନ୍ଧନ ଦେବାପାଇଁ ଦେଶବାସୀଙ୍କ ଉପରେ ବେଡି ଉପରେ କୋରଡା ଭଳି ତୈଳଦର ବୃଦ୍ଧି କରିଚାଲିଛନ୍ତି। କେନ୍ଦ୍ର ପେଟ୍ରୋଲ ମନ୍ତ୍ରାଳୟର ଅପାରଗତା ଯୋଗୁଁ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ମୂଲ୍ୟ ଆକାଶ ଛୁଆଁ ହୋଇଛି। ଗତ ୫୨ ମାସ ମଧ୍ୟରେ କେନ୍ଦ୍ର ସରକାର ୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଟିକସ ଆକାରରେ ସଂଗ୍ରହ କରିଛନ୍ତି। ଏବେ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ମୂଲ୍ୟ ଆକାଶ ଛୁଆଁ ହୋଇଛି ଏବଂ ସାଧାରଣ ଲୋକ, ମଧ୍ୟମ ବର୍ଗ, କୃଷକ, ପରିବହନକାରୀ ଏବଂ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀମାନେ ଏହି ଇନ୍ଧନ ଦାଉରେ ଛଟପଟ ହେଉଛନ୍ତି। ଏହି ପ୍ରତିବାଦରେ ଆସନ୍ତାକାଲି ପୂର୍ବାହ୍ନ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ କରାଯିବ। ଏଥିରେ ଆମ୍ବୁଲାନ୍‍ସ ସେବା, ଖୀର ଗାଡି ଭଳି ଜରୁରୀ ସେବାକୁ ବାଦ୍‍ ଦିଆଯିବ। ଏହି ସମୟରେ କଂଗ୍ରେସର ନେତା ଓ କର୍ମୀ ସଂଜମତା ରକ୍ଷା କରି ବନ୍ଦକୁ ସଫଳ କରିବାପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି।
ରବିବାର କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡ଼ି ସରକାର କେବଳ ଲୋକ ଦେଖାଣିଆ ଭାବେ ବନ୍ଦ ପାଳନ କରି ବସି ପଡ଼ିଲା। ଯଦି ବାସ୍ତବରେ ରାଜ୍ୟବାସୀଙ୍କ ପ୍ରତି ସମର୍ଥନ ରହିଛି ତେବେ ଆସନ୍ତାକାଲି ବିଧାନସଭାକୁ ଓଳିଏ ପାଇଁ ସରକାର ବନ୍ଦ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ୨୦୧୪ ମେ ୧୬ ତାରିଖରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ ପିଛା ୧୦୭.୦୯ ଡଲାର ରହିଥିଲାବେଳେ ସମ୍ପ୍ରତି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୩ ଡଲାର ରହିଛି, ଯାହା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଥିବା ମୂଲ୍ୟର ପ୍ରାୟ ୪୦ ପ୍ରତିଶତ। ତଥାପି ମୋଦି ସରକାର ସମୟରେ ପେଟ୍ରୋଲ/ଡ଼ିଜେଲ ମୂଲ୍ୟ ଆକାଶଛୁଆଁ ଭାବରେ ବୃଦ୍ଧି ପାଇଚାଲିଛି। ୨୦୧୪ ମେ’ରେ ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୨୧୧.୭% ବୃଦ୍ଧି କରାଯାଇଛି। ସେତେବେଳେ ଲିଟର ପିଛା ମାତ୍ର ୯ ଟଙ୍କା ୨ ପଇସା ଥିବାବେଳେ ଏବେ ଲିଟର ପିଛା ୧୯ ଟଙ୍କା ୪୮ ପଇସା ହୋଇଛି। ଭାରତରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୭୮ଟଙ୍କାରୁ ୮୬ ଟଙ୍କା ଏବଂ ଡିଜେଲ ଲିଟର ୭୦ ଟଙ୍କାରୁ ୭୫ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ଏକ ତଥ୍ୟରେ ଜଣାଯାଇଛି ଯେ ମୋଦୀ ସରକାର ୧୫ଟି ବିଦେଶୀ ରାଷ୍ଟ୍ରକୁ ପେଟ୍ରୋଲ ଲିଟର ପିଛା ମାତ୍ର ୩୪ ଟଙ୍କାରେ ଏବଂ ୨୯ଟି ରାଷ୍ଟ୍ରକୁ ଡିଜେଲ ଲିଟର ପିଛା ମାତ୍ର ୩୭ ଟଙ୍କାରେ ବିକ୍ରି କରୁଛନ୍ତି। ଏହି ରାଷ୍ଟ୍ରଗୁଡିକ ମଧ୍ୟରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଆମେରିକା, ମାଲୟେସିଆ ଏବଂ ଇସ୍ରାଏଲ ରହିଛି। ମୋଦି ସରକାର ଏହିଭଳି ଭାବରେ ଦେଶବାସୀଙ୍କୁ ପ୍ରତାରିତ କରିବା ସହିତ ସେମାନଙ୍କ ପଛରୁ ଛୁରୀକା ଘାତ କରିଛନ୍ତି। ଦେଶରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧିପାଇବା ସହିତ ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସମ୍ମିଳୀନରେ ଏଆଇସିସି ସାଧାରଣ ସମ୍ପାଦକ ଜି ରୁଦ୍ର ରାଜୁ ଓ ମିଡ଼ିଆ ସେଲର ରାଜ୍ୟ ମୁଖ୍ୟ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories