ତଥାପି ସୁରକ୍ଷିତ ନୁହେଁ ୟେଦୁରପ୍ପାଙ୍କ ଆସନ

0

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଏସ ୟେଦୁରପ୍ପାଙ୍କ ଆସନ ଶପଥ ଗ୍ରହଣ ପରେ ମଧ୍ୟ ସୁରକ୍ଷିତ ନୁହେଁ। ବିଳମ୍ବିତ ରାତିରେ ସୁପ୍ରିମ କୋର୍ଟ ଚାଲିଲା। କଂଗ୍ରେସ ପକ୍ଷରୁ ରାତି ଅଧରେ ଆବେଦନ ମଧ୍ୟ ହେଲା। ଆଉ ଦେଖୁଦେଖୁ ବଡ଼ି ଭୋରରେ କର୍ଣ୍ଣାଟକର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କଲେ। କିନ୍ତୁ ୨୪ଘଣ୍ଟା ସମୟସୀମା ମଧ୍ୟରେ ୟେଦୁରପ୍ପାଙ୍କୁ ସମର୍ଥନ ତାଲିକା କୋର୍ଟରେ ଦାଖଲ କରିବାକୁ ପଡ଼ିବ। ଏତେ ସବୁ ସତ୍ତେ୍ୱ ବିଜେପି ପାଖରେ ୧୧୨ଜଣ ବିଧାୟକଙ୍କ ସମର୍ଥନ ଆଣିବା ସମ୍ଭବ ନୁହେଁ। ଫଳରେ ୟେଦୁରପ୍ପା ବହୁମତ ପ୍ରମାଣିତ କରିବା ଏବେ ମଧ୍ୟ କାଠିକର। କର୍ଣ୍ଣାଟକର ୨୨୨ଟି ଆସନ ମଧ୍ୟରୁ ବିଜେପିକୁ ୧୦୪ଟି ଆସନ ମିଳିଛି। ଅର୍ଥାତ୍‍ ମ୍ୟାଜିକ ସଂଖ୍ୟା ୧୧୨ଟି ଆସନରୁ ବିଜେପି ପାଖରେ ୮ଟି ଆସନ କମ୍‍ ରହିଛି।
ଅପରପକ୍ଷରେ କଂଗ୍ରେସକୁ ୭୮ଟି ଆସନ ମିଳିଥିବାବେଳେ ଜେଡିଏସକୁ ୩୭ଟି ଆସନ ମିଳିଛି। ସେହିପରି ବିଏସପିକୁ ଗୋଟିଏ ଓ ଅନ୍ୟାନ୍ୟ ଆସନ ୨ଟି ରହିଛି। ଅପରପକ୍ଷରେ ନିର୍ବାଚନ ପରିଣାମ ଘୋଷଣା ପରେ କଂଗ୍ରେସ ଓ ଜେଡିଏସ ମେଣ୍ଟ କରିଛନ୍ତି।
ବିଜେପି ଯେତେବେଳେ ସର୍ବବୃହତ ନିର୍ବାଚିତ ଦଳ ଭାବେ ସରକାର ଗଢିବାକୁ ଦାବୀ ଉପସ୍ଥାପନ କରିଛି ସେତେବେଳେ କଂଗ୍ରେସ ଓ ଜେଡିଏସ ମେଣ୍ଟ ମ୍ୟାଜିକ ନମ୍ବର ଅତିକ୍ରମ କରିବାରେ ସଫଳ ହୋଇଛନ୍ତି। ଗୁରୁବାର ସକାଳ ୯ଟାରେ ଶପଥ ଗ୍ରହଣ ଉତ୍ସବ ସମ୍ପନ୍ନ ପରେ ରାଜ୍ୟପାଳ ୟେଦୁରପ୍ପାଙ୍କୁ ୧୫ଦିନ ମଧ୍ୟରେ ବହୁମତ ସାବ୍ୟସ୍ତ କରିବାକୁ ସମୟ ଦେଇଛନ୍ତି। ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇ ଥିବା ସମର୍ଥନ ପତ୍ର ମାଗିଛନ୍ତି। ଏହି ମାମଲା ସୁପ୍ରିମ କୋର୍ଟରେ ଶୁକ୍ରବାର ଶୁଣାଣି ହେବ। ଏହି ଶୁଣାଣି ସମୟରେ ବିଜେପି ପକ୍ଷରୁ ସମର୍ଥନ ପତ୍ରରେ ୧୧୨ଜଣ ବିଧାୟକଙ୍କ ଦସ୍ତଖତ ଦାଖଲ କରିବାକୁ ପଡ଼ିବ। ଯଦି ବିଜେପି ଏହି ସମର୍ଥନ ପତ୍ର ଦାଖଲ ନକରେ ତେବେ ୟେଦୁରପ୍ପାଙ୍କୁ ନିଜ ଆସନକୁ ବଞ୍ଚାଇବାକୁ ନୂଆ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ଏଥିରେ ସନ୍ଦେହ ନାହିଁ।

Leave A Reply