ଗଣେଶ ଭସାଣିରେ ଗଡ଼ିଲା ମୁଣ୍ଡ: ଦୁଇ ସାହି ଗଣ୍ଡଗୋଳରେ ଜଣେ ମୃତ, ୩ ଗୁରୁତର

ଗୁରୁଡିଝାଟିଆ: ଗଣେଶ ପୂଜା ଭସାଣିକୁ ନେଇ ଧୁରୁଷିଆର ୨ ସାହି ଭିତରେ ତୁମୁଳ ସଂଘର୍ଷ ଘଟିଛି। ଏଥିରେ ସୂର୍ଯ୍ୟକାନ୍ତ ସାମଲ(୧୬) ନାମକ ଜଣେ ନାବାଳକର ଜୀବନ ଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ କଟକ ବଡମେଡିକାଲରେ ସୂର୍ଯ୍ୟକାନ୍ତର ମୃତ୍ୟୁ ଘଟିଥିବା ବେଳେ ସଂଜୟ ବେହେରା, ବିଜୟ ବେହେରା ଓ ସିଦ୍ଧାର୍ଥ ବେହେରା ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ସୂର୍ଯ୍ୟକାନ୍ତ ମୃତଦେହକୁ ପଞ୍ଚାୟତ ଅଫିସ ନିକଟ ଧୁରୁଷିଆ-ଗଜାମ୍ବ ରାସ୍ତା ଉପରେ ରଖି କ୍ଷତିପୂରଣ ସାଙ୍ଗକୁ ତୁରନ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ସ୍ଥାନୀୟ ଯୁବକମାନେ ଦାବି କରିଥିଲେ। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ସନ୍ତୋଷ ବେହେରା(୨୮), ପ୍ରଭୁଦତ୍ତ ପରିଡା(୨୦)  ଓ ଦୀପକ ବେହେରା (୨୮)  । ସମସ୍ତ ଅଭିଯୁକ୍ତ ଧୁରୁଷିଆ ଗ୍ରାମର । ସୂଚନାଯୋଗ୍ୟ, ମଙ୍ଗଳବାର ଧୁରୁଷିଆ ଗ୍ରାମରେ ହରିଜନ ସାହି ଓ ମଝି ସାହିର ଗଣେଶ ଭସାଣି ଅନୁଷ୍ଠିତ ହୋଇଥିଲା । ହରିଜନ ସାହିର ମେଢ ଗାଁ ଭିତରକୁ ଯାଉଥିବା ବେଳେ ମଝିସାହି ମେଢ ସେମାନଙ୍କୁ ଯିବା ପାଇଁ ବାଟ ଓଗାଳି ଥିଲେ । ଫଳରେ ସେଠାରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ହରିଜନ ସାହିର ସୂର୍ଯ୍ୟକାନ୍ତ, ସିଦ୍ଧାର୍ଥ, ବିଜୟ ଓ ସଞ୍ଜୟକୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଫଳରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡିଥିଲା । ସେମାନଙ୍କୁ ପ୍ରଥମେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା । ହେଲେ ଅଧିକ ଚିକିତ୍ସା ଆବଶ୍ୟକ ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବିଳମ୍ବିତ ରାତିରେ ସୂର୍ଯ୍ୟକାନ୍ତର ମୃତ୍ୟୁ ଘଟିଥିଲା । ମୃତ ସୂର୍ଯ୍ୟକାନ୍ତ ଗାଁର ରବି ସାମଲଙ୍କ ଏକମାତ୍ର ପୁତ୍ର। ବୁଧବାର ହତ୍ୟାକାଣ୍ଡ ସ୍ଥଳକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏଲ. ଦିବ୍ୟା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବଦତ୍ତ ବରାଳ, ଏସଡିପିଓ ଉମାକାନ୍ତ ନାୟକ ଓ ଥାନା ଅଧିକାରୀ ରବି ନାରାୟଣ ବେହେରା ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୌଣସି ଅନୁମତି ନ ଥାଇ ଗୋଟିଏ ଗାଁର ୨ଟି ସାହିରେ କିଭଳି ଉଚ୍ଚଶବ୍ଦରେ ଡିଜେ ବଜାଇ ଭସାଣି ଶୋଭାଯାତ୍ରା କରାଯାଉଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବବର୍ଷ ମଧ୍ୟ ଦୁଇସାହି ମଧ୍ୟରେ ବିବାଦ ରହିଥିଲା । ହେଲେ କିଛି ମାସ ପୂର୍ବେ ମିଳାମିଶା ହୋଇଥିଲା ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି।

kalyan agarbati

Comments are closed.