ଖୋଲିଲା ରାଜଭବନ ଉଦ୍ୟାନ, ଜନସାଧାରଣଙ୍କ ସହ ମିଶିଲେ ରାଜ୍ୟପାଳ
ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଆଜିଠାରୁ ଖୋଲାଯାଇଛି। ପ୍ରଥମ ଦିନରେ ତିନି ହଜାରରୁ ଅଧିକ ଜନସାଧାରଣ ରାଜଭବନର ମନୋରମ ଉଦ୍ୟାନ ପରିଦର୍ଶନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଡ଼ ହରିବାବୁ କମ୍ଭମପତି ଏବଂ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପତି ଜନସାଧାରଣଙ୍କ ସହ ମିଶି ବାର୍ତ୍ତାଳାପ କରିଥିଲେ। ନିଜର ପିତାମାତା / ଅଭିଭାବକଙ୍କ ସହ ଆସିଥିବା ଛୋଟ ଛୋଟ ଶିଶୁମାନଙ୍କ ସହ ମିଶିବା ସହିତ ସେମାନଙ୍କୁ ଚକୋଲେଟ୍ ଏବଂ ପେନ୍ ପ୍ରଦାନ କରିଥିଲେ। ଏହାବ୍ୟତୀତ ଉଦ୍ୟାନ ପରିଦର୍ଶନ କରୁଥିବା ଭିନ୍ନକ୍ଷମମାନଙ୍କ ସହ ମିଶି ବାର୍ତ୍ତାଳାପ କରିଥିଲେ। ଦର୍ଶକମାନେ ରାଜଭବନ ଉଦ୍ୟାନର ନୈସର୍ଗିକ ଶୋଭାରାଜି, ବିଭିନ୍ନ କିସମର ବୃକ୍ଷ ଲତା, ପୁଷ୍ପରାଜି, ମ୍ୟୁଜିକ୍ ଫାଉଣ୍ଟେନ, ହରିଣ ଉଦ୍ୟାନ, ମୟୁର ତଥା ଅନ୍ୟାନ୍ୟ ପକ୍ଷୀ, ମୁକ୍ତ ଆକ୍ୱାରିୟମ୍ ପରିଦର୍ଶନ କରି ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ।
ସୂଚନାଯୋଗ୍ୟଯେ, ଚଳିତ ଜାନୁଆରୀ ମାସ ୨୨ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ରାଜ ଭବନ ଉଦ୍ୟାନ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। କେବଳ ମୋବାଇଲ୍ ଆପ୍ ପଞ୍ଜୀକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ ଏବଂ ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏଥିନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ୍ସ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶାର ମୋବାଇଲ୍ ଆପ୍ ଡାଉନ୍ଲୋଡ଼ କରିବାକୁ ପଡ଼ିବ। ଓଡ଼ିଶାର ରାଜଭବନ ୱେବ୍ସାଇଟରେ ଉପଲବ୍ଧ ଥିବା କ୍ୟୁ-ଆର୍ କୋଡ଼ ମାଧ୍ୟମରେ ମୋବାଇଲ୍ ଆପ୍ ମଧ୍ୟ ଡାଉନଲୋଡ଼ କରାଯାଇପାରିବ। ଉପରୋକ୍ତ ଧାର୍ଯ୍ୟ ତାରିଖ ଅବଧି ମଧ୍ୟରେ ଅପରାହ୍ନ ଘ ୨.୩୦ମି. ରୁ ୫ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ପରିଦର୍ଶନ ସମୟ ଧାର୍ଯ୍ୟ କରାଯାଇଛି।
ସେହିପରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏସଂପର୍କରେ ଏଡ଼ିସି / ଚିଫ୍ ସିକ୍ୟୁରିଟି ଅଫିସରଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ନିମନ୍ତେ ଅନୁରୋଧ ପତ୍ର ପଠାଇବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି। ସ୍କୁଲ ପିଲାମାନଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ ପ୍ରତିଦିନ (ରବିବାର ବ୍ୟତୀତ) ସକାଳ ଘ ୮.୩୦ମି. ରୁ ୧୦ ଘଟିକା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଏ ସଂପର୍କରେ ଅଧିକ ବିବରଣୀ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ୱେବ୍ସାଇଟ୍ www.rajbhavanodisha.gov.in ପରିଦର୍ଶନ କରିପାରିବେ। ସ୍କୁଲ ଛାତ୍ରଛାତ୍ରୀମାନେ ସ୍କୁଲ ୟୁନିଫର୍ମ ଓ ପରିଚୟ କାର୍ଡ଼ ପରିଧାନ ପୂର୍ବକ ଶିକ୍ଷକ / ଶିକ୍ଷୟିତ୍ରୀ / ସ୍କୁଲ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଆସିବାକୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟଯେ ସମସ୍ତ ଉଦ୍ୟାନ ଦର୍ଶନାର୍ଥୀମାନଙ୍କ ପାଇଁ ନ୍ୟୁ ଅଭିଷେକ ହଲ୍ ନିକଟସ୍ଥ ୩ ନମ୍ବର ଗେଟରେ ପ୍ରବେଶ ଏବଂ ସିକ୍ୟୁରିଟି ବାରାକ ନିକଟସ୍ଥ ଗେଟରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।
Comments are closed.