କିମ୍ ଜଙ୍ଗଙ୍କ ହୋଟେଲ ଖର୍ଚ୍ଚ କିଏ ଦେବ? ପୁଣି ବିବାଦରେ ଉତ୍ତର କୋରିଆ ଓ ଆମେରିକା
ୱାସିଂଟନ: ଉତ୍ତର କୋରିଆ ଓ ଆମେରିକା ମଧ୍ୟରେ ସମ୍ପର୍କରେ ତିକ୍ତତା ଉଭୟ ଦେଶର ରାଷ୍ଟ୍ରପତିଙ୍କ ସାକ୍ଷାତକାର ପରେ କମିବ ଏଭଳି ଏକ ଆର୍ଶା କରୁଛନ୍ତି ସମଗ୍ର ବିଶ୍ୱବାସୀ। ତେବେ ଉଭୟ ରାଷ୍ଟ୍ର ମୁଖିଆଙ୍କ ସମ୍ପର୍କରେ ସୁଧାର ଆସିବା ପୂର୍ବରୁ କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ବିବାଦ ଅଧିକ ଘନିଭୂତ ହେଉଥିବା ଦୃଶ୍ୟମାନ ହେଉଛି। ଡୋନାଲ୍ଡ ଟ୍ରମ୍ପ ଓ କିମ୍ ଜଙ୍ଗଙ୍କ ମଧ୍ୟରେ ସିଙ୍ଗାପୁରରେ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ଶିଖର ସମ୍ମିଳନୀରେ ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି। ଉଭୟ ରାଷ୍ଟ୍ର ଏହି ସାକ୍ଷାତକାରକୁ ନେଇ ବେଶ୍ ଆଶାବାଦୀ ମଧ୍ୟ ଅଛନ୍ତି। ତେବେ ଇତିମଧ୍ୟରେ ଦେଖା ଦେଇଛି ଆଉ ଏକ ସମସ୍ୟା। କିମ୍ ଜଙ୍ଗ ଓ ତାଙ୍କ ପ୍ରତିନିଧିମଣ୍ଡଳୀଙ୍କ ହୋଟେଲ ଖର୍ଚ୍ଚ କିଏ ବହନ କରିବ? ଉତ୍ତରକୋରିଆ ଉପରେ ଆମେରିକା ଦ୍ୱାରା ଲଗା ଯାଇଥିବା ପ୍ରତିବନ୍ଧକ ହେତୁ ତା’ର ଅର୍ଥବ୍ୟବସ୍ଥା ବେଶ୍ ଦୁର୍ବଳ ହୋଇଯାଇଛି। ଏଭଳି ଅର୍ଥ ବ୍ୟବସ୍ଥା ମଧ୍ୟରେ ବିଦେଶରେ ଅନୁଷ୍ଠିତ ହେବାକୁ ଥିବା ଶିଖର ସମ୍ମିଳନୀରେ ଉତ୍ତର କୋରିଆର ଖର୍ଚ୍ଚ କିଏ ବହନ କରିବ। ସିଙ୍ଗାପୁର ନଦୀ ମୁହାଣରେ ଅବସ୍ଥିତ ହୋଟେଲ ଫୁଲଣ୍ଟନର ପ୍ରେସିଡ଼େନସିଆଲ ସୁଟ୍ର ଦିନକର ଭଡ଼ା ୬୦୦୦ଡଲାର। ଏହାକୁ ନେଇ କିମ୍ ଜଙ୍ଗଙ୍କ ପ୍ରତିନିଧି ମଣ୍ଡଳୀ ମୁଖ୍ୟ କିମ ଚାଙ୍ଗ ସନ୍ ଓ ହ୍ୱାଇଟ ହାଉସ ପ୍ରତିନିଧି ମଣ୍ଡଳୀର ଉପମୁଖ୍ୟ ହେଙ୍ଗିନ୍ଙ୍କ ମଧ୍ୟରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି। ବେଶ୍ କିଛି ସପ୍ତାହର ଅନିଶ୍ଚିତତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ ଏଭଳି ଆଲୋଚନାକୁ ବାତିଲ କରି ଦେଇଥିଲେ। ତେବେ ଉଭୟ ପକ୍ଷର ରାଜନୈତିକ ପ୍ରୟାସ ପରେ ପୁଣି ଥରେ ଏହି ସାକ୍ଷାତକାର ଚୂଡ଼ାନ୍ତ ହୋଇଛି।
କିମ ଜଙ୍ଗଙ୍କ ବିଳାଶ ବହୁଳ ହୋଟେଲରେ ରହିବାର ଖର୍ଚ୍ଚ ଆମେରିକା ବହନ କରିବାକୁ ଆଗ୍ରହୀ। ତେବେ ଆମେରିକା ଦ୍ୱାରା କିମ୍ ଜଙ୍ଗଙ୍କ ଖର୍ଚ୍ଚ ବହନ କରିବାକୁ ଉତ୍ତରକୋରିଆ ନିଜ ଅପମାନ ବୋଲି ଭାବିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ହ୍ୱାଇଟ ହାଉସର ପ୍ରତିନିଧି ମଣ୍ଡଳୀ ମୁଖ୍ୟ ଆଶଙ୍କା ପ୍ରକାଶ କରୁଛନ୍ତି। ଫଳରେ ଏହି ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ରାଷ୍ଟ୍ର ସିଙ୍ଗାପୁରକୁ କିମ୍ ଜଙ୍ଗ ଓ ତାଙ୍କ ପ୍ରତିନିଧି ମଣ୍ଡଳୀଙ୍କ ଖର୍ଚ୍ଚ ବହନ କରିବାକୁ ଆମେରିକା ଅନୁରୋଧ କରିଛି। ଅପରପକ୍ଷରେ ଆମେରିକାର ବିଦେଶ ମନ୍ତ୍ରୀ ଜିମ ମୋଣ୍ଟିସ ରବିବାର ପରମାଣୁ ଅସ୍ତ୍ର ସଂରକ୍ଷଣକୁ ନଷ୍ଟ ନକରୁଛି ସେତେ ପର୍ଯ୍ୟନ୍ତ ଉତ୍ତରକୋରିଆ ଉପରେ ଲାଗିଥିବା ପ୍ରତିବନ୍ଧକ ଅପରିବର୍ତ୍ତିତ ରହିବ। ଦକ୍ଷିଣ କୋରିଆ ଓ ଜାପାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ମୋଣ୍ଟିସଙ୍କ ସାକ୍ଷାତକାରରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଆମେରିକାର ବିଦେଶ ମନ୍ତ୍ରୀ। ଏଭଳି ପରିସ୍ଥିତିରେ ଆମେରିକା ଓ ଉତ୍ତରକୋରିଆ ରାଷ୍ଟ୍ରପତିଙ୍କ ସାକ୍ଷାତକାରକୁ ନେଇ ସମଗ୍ର ବିଶ୍ୱ ଆଶାବାଦୀ ରହିଥିବାବେଳେ ମୁଖ୍ୟତଃ ଆମେରିକା ଏହି ସାକ୍ଷାତକାରକୁ ସଫଳ କରିବା ଦିଗରେ ବ୍ୟାପକ ପ୍ରୟାସ ଜାରି ରଖିଛି।