ଉନ୍ନାଓ ଘଟଣାରେ ହେବ ସିବିଆଇ ତଦନ୍ତ
ଲକ୍ଷ୍ନୌ: ଉନ୍ନାଓ ଗଣ ବଳାତ୍କାର ଘଟଣାର ସିବିଆଇକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ସ୍ଥାନୀୟ ବିଧାୟକ କୂଲଦୀପ ସେଗଲଙ୍କୁ ଅଭିଯୁକ୍ତ କରିବାକୁ ଦାବୀ କରାଯାଇ ଥିବାବେଳେ ପୁଲିସ ତଦନ୍ତ କରି ତାଙ୍କ ଭାଇଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ଅପରପକ୍ଷରେ ପୁଲିସ ତଦନ୍ତରେ ନିରପେକ୍ଷତା ଅବଲମ୍ବନ କରି ନଥିବା ଅଭିଯୋଗରେ ସମ୍ପୃକ୍ତ ଥାନା ପ୍ରଭାରୀ ଅଶୋକ କୁମାରଙ୍କ ସମେତ ୬ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ୨୬୦ ଦିନ ପୂର୍ବେ ଏହି ଗଣବଳାତ୍କାର ଘଟିଥିଲା। ୪ଜୁନ୍ ୨୦୧୭ରେ ପିଡ଼ିତାଙ୍କୁ ବିଜେପି ବିଧାୟକଙ୍କ ସମେତ ଅନ୍ୟ ସହଯୋଗୀ ତାଙ୍କୁ ଗଣ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ୧୧ଜୁନରେ ପିଡ଼ିତା ହଠାତ ନିରୁଦ୍ଦିଷ୍ଟ ହୋଇଯାଇ ଥିଲେ। ୧୨ଜୁନରେ ପରିବାରବର୍ଗ ପିଡ଼ିତାଙ୍କ ନିରୁଦ୍ଦିଷ୍ଟ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଓରାୟାରୁ ଉଦ୍ଧାର କରି କୋର୍ଟରେ ହାଜର କରିଥିଲେ। ସେଠାରେ ପିଡ଼ିତାଙ୍କ ୧୬୪ ଧାରା ଅନ୍ତର୍ଗତ ଜବାନବନ୍ଦୀ ରେକର୍ଡ଼ କରାଯାଇ ଥିଲା। ୩୦ଜୁନରେ ପିଡ଼ିତାଙ୍କୁ ତାଙ୍କ କକା ସାଙ୍ଗରେ ନେଇ ଦିଲ୍ଲୀ ଚାଲିଗଲେ। ସେଠାରେ ପିଡ଼ିତା ତାଙ୍କ କାକିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇ ଥିଲେ। ୧ ଅଗଷ୍ଟରେ ପୁଲିସ ମାମଲାର ଚାର୍ଜସିଟ୍ ଦାଖଲ କରିବା ସହ ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିଥିଲା। ୧୭ ଅଗଷ୍ଠ ୨୦୧୭ରେ ପିଡ଼ିତା ଉନ୍ନାଓ ଫେରିବା ସହ ଗଣବଳାତ୍କାର ସମ୍ପର୍କରେ ପରିବାରବର୍ଗଙ୍କୁ ଜଣାଇ ଥିଲେ। ଉକ୍ତ ଦିନ ପରିବାରବର୍ଗ ଥାନରେ ଯାଇ ଗଣବଳାତ୍କାର ସମ୍ପର୍କରେ ଅଭିଯୋଗ କରିଥିଲେ। ଉକ୍ତ ଦିନ ପୁଲିସ ପିଡ଼ିତାଙ୍କୁ କୋର୍ଟରେ ହାଜର କରି ପୁଣି ଥରେ ଧାରା ୧୬୪ରେ ଜବାନବନ୍ଦୀ ରେକର୍ଡ଼ କରିଥିଲେ। ତେବେ ଏହି ଜବାନବନ୍ଦୀରେ ପିଡ଼ିତା ଅଭିଯୁକ୍ତ ବିଧାୟକ କୂଳଦୀପ ସେଗଲଙ୍କ ସମ୍ପୃକ୍ତି ସମ୍ପର୍କରେ କିଛି କହି ନଥିଲେ। ୩ ଏପ୍ରିଲ ୨୦୧୮ରେ ପିଡ଼ିତାଙ୍କ ପିତାଙ୍କୁ ପୁଲିସ ପ୍ରବଳ ମାଡ଼ ମରି ଜେଲ ହାଜତରେ ପଠାଇ ଦେଇଥିଲେ। ଜେଲରେ ପିଡ଼ିତାଙ୍କ ପିତା ରକ୍ତ ବାନ୍ତି କରିବାରୁ ତାଙ୍କୁ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଜିଲାପାଳଙ୍କ ପ୍ରତ୍ୟକ୍ଷତାରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି ତଦନ୍ତରେ ପିଡ଼ିତାଙ୍କ ପିତାଙ୍କୁ ଜେଲ ହାଜତରେ ପଠାଇବା ପୂର୍ବରୁ ଠିକ୍ ଭାବରେ ମେଡ଼ିକାଲ ଯାଞ୍ଚ କରାଯାଇ ନଥିର୍ଲା ପ୍ରମାଣିତ ହୋଇଥିଲା। ଏପରିକି ଜେଲ ଡାକ୍ତର ମଧ୍ୟ ସଠିକ୍ ଭାବରେ ପିଡ଼ିତାଙ୍କ ପିତାଙ୍କ ଚିକିତ୍ସା କରି ନଥିବା ଜଣା ପଡ଼ିଥିଲା। ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲାପାଳ।