ଇରାନ୍‍ରେ ନାଚିବା ଅପରାଧ!

0

ତେହେରାନ୍‍ : କୌଣସି କାରଣରୁ ଖୁସିରେ ନାଚିବା ଏହାର ଦୃଶ୍ୟକୁ ଭିଡିଓ କରି ସାମାଜିକ ଗଣମାଧ୍ୟମ ଇନ୍‍ଷ୍ଟ୍ରାଗ୍ରାମ୍‍ରେ ପ୍ରସାରିତ କରିବା ଅପରାଧରେ ଇରାନ ପୁଲିସ ଜଣେ ୧୮ବର୍ଷୀୟା ତରୁଣୀ ତଥା ଜିମ୍‍ନାଷ୍ଟ ମାଦେହ୍‍ ହୋଜାବ୍ରିଙ୍କୁ ଗିରଫ କରିଛି। ତେବେ ହୋଜାବ୍ରିଙ୍କ ସପକ୍ଷରେ ସଂଖ୍ୟାଧିକ ତରୁଣୀ ଓ ମହିଳା ପ୍ରତିବାଦର ସ୍ୱର ଉତ୍ତୋଳନ କରିଛନ୍ତି। ସେମାନେ ଘରେ ନାଚିବା ସହ ଏହାର ଭିଡିଓ ଚିତ୍ର ଉତ୍ତୋଳନ ପୂର୍ବକ ଏହାକୁ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରସାରିତ କରିଛନ୍ତି। ହୋଜାବ୍ରିଙ୍କ ସପକ୍ଷରେ ଇରାନ୍‍ ମହିଳାମାନେ ଏକ ସାମାଜିକ ଅଭିଯାନ ଆରମ୍ଭ କରିଦେଇଛନ୍ତି। ଖୁସିରେ ଜଣେ ଘର ଭିତରେ ନାଚିବା ଓ ଏହାକୁ ଅନ୍ୟମାନଙ୍କ ଉପଭୋଗ ପାଇଁ ବାଣ୍ଟିବା ଅଦୌ ଅପରାଧ ନୁହେଁ ବୋଲି ସ୍ୱର ଉଠିଛି। ଇରାନ୍‍ ମହିଳାଙ୍କ ସହ ବିଶ୍ୱର ଅନ୍ୟ ମୁସଲମାନ ରାଷ୍ଟ୍ରର ମହିଳାମାନେ ସ୍ୱର ମିଶାଇଥିବା ସାମାଜିକ ଗଣମାଧ୍ୟମରୁ ଦେଖିବାକୁ ମିଳିଛି। ସାଉଦିଆରବ ଶାସକ ଦେଶରେ ମହିଳାଙ୍କୁ ସ୍ୱାଧୀନତା ଦେଇ ଚାଲିଥିବାବେଳେ ଇରାନ୍‍ ସରକାର ସେମାନଙ୍କୁ ଘରର ଚାରି କାନ୍ଥ ମଧ୍ୟରେ ଲୁଚାଇ ରଖିବା ଉଦ୍ୟମ କରିବା ନିନ୍ଦନୀୟ ବୋଲି ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।
ହୋଜାବ୍ରି ଗତ ସପ୍ତାହରେ ମୁହଁରୁ ସ୍କାର୍ଫ ହଟାଇ(ସ୍କାର୍ଫ ପିନ୍ଧିବା ଇରାନ୍‍ରେ ବାଧ୍ୟତାମୂଳକ) ଘରେ ନାଚୁଥିବାର ଭିଡିଓ ଇନ୍‍ଷ୍ଟାଗ୍ରାମ୍‍ରେ ଛାଡ଼ିଥିଲେ। ଶୁକ୍ରବାର ସ୍ଥାନୀୟ ଟିଭି ଏହି ଦୃଶ୍ୟକୁ ପ୍ରସାରିତ କରିଥିଲା। ହୋଜାବ୍ରି ନୈତିକତାର ବାଡ଼ ଡେଇଁ ଏଭଳି ନୃତ୍ୟ ପ୍ରଦର୍ଶନ କରିବାକୁ ଏକ ଅପରାଧ ଭାବେ ଚିତ୍ରଣ କରାଯାଇଥିଲା; ଯାହାକୁ ନେଇ ଏବେ ପ୍ରତିବାଦର ସ୍ୱର ତୀବ୍ର ହୋଇଛି। ଅନେକ ହୋଜାବ୍ରିଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ; ନିକଟ ଅତୀତରେ ଇରାନ୍‍ ସରକାର ଏଭଳି କେତୋଟି ଘଟଣାରେ ଯୁବତୀ ଓ ମହିଳାଙ୍କୁ ଗିରଫ କରିଥିବାର ଖବର ଏବେ ସାମ୍ନାକୁ ଆସିଛି।

Leave A Reply